ଉପାନ୍ତ ଅଞ୍ଚଳବାସୀଙ୍କୁ ଟମାଟୋ ଦେଇଛି ଜୀବିକା

Advertisment
ଉପାନ୍ତ ଅଞ୍ଚଳବାସୀଙ୍କୁ ଟମାଟୋ ଦେଇଛି ଜୀବିକା

ଦେବଗଡ଼: ବଣ ପାହାଡ଼ଘେରା ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବରେ ଜଣାଶୁଣା ସଡ଼ୋ ପଞ୍ଚାୟତ। ପଞ୍ଚାୟତବାସୀ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ଏବଂ ପ୍ରାଣୀପାଳନ କରି ପରିବାର ପୋଷଣ କରନ୍ତି। ତେବେ ପଞ୍ଚାୟତର ଆଦିବାସୀବହୁଳ ଗ୍ରାମ କାଲଚିପଡ଼ାଡିହି, ବେଲୁଆମ, ଡଙ୍ଗାପଥର, ପତରାଝରୀ, ଟୁଲୁବଡ଼ିହି ଓ ସଡ଼ୋ ଗ୍ରାମର ବହୁ ଚା‌ଷୀ ନିଜ ଚାଷରେ ନୂତନ ବୈଜ୍ଞାନିକ କୌଶଳ ଆପଣେଇ ଟମାଟୋ(ପାତଳଘଣ୍ଟା) ଚାଷକରି ଏହାକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବିକ୍ରି ପାଇଁ ପଠାଇ ଲାଭବାନ ହୋଇ ପାରିଛନ୍ତି।

ପଞ୍ଚାୟତର କାଲଚିପଡ଼ାଡିହି ଗ୍ରାମର ଯୁବଚାଷୀ ପ୍ରଦୀପ ଲାକ୍ରା ଏବଂ ଅନ୍ୟମାନେ ଉଦ୍ୟାନ ବିଭାଗ, କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଷିୟିକ ଜ୍ଞାନକୌଶଳ ସହାୟତାରେ ପଞ୍ଚାୟତର ପ୍ରାୟ ୧୦୦ ଏକର ଜମିରେ ଟମାଟୋ ଚାଷ କରୁଛନ୍ତି। ଏଥିସହ ବର୍ତ୍ତମାନ ଟମାଟୋ ଅମଳ କରି ଜିଲ୍ଲା ଓ ଜିଲ୍ଲା ବାହାରକୁ ବିକ୍ରି ପାଇଁ ପଠାଉଛନ୍ତି। ସେମାନଙ୍କ ନିକଟକୁ ବ୍ୟବସାୟୀମାନେ ଆସି କିଲୋପ୍ରତି ୪୦ ଟଙ୍କା ମୂଲ୍ୟରେ ଟମାଟୋ କିଣି ନେଉଥିବା ଚାଷୀମାନେ କହିଛନ୍ତି। ସେମାନେ ୧ ଲକ୍ଷ ଟଙ୍କାରୁ ଅଧିକ ଆଦାୟ କରି ପାରିଛନ୍ତି। ଗ୍ରାମର ଗାଣ୍ଡରୁ ମିଞ୍ଜ ଓ ଗୋସାଇଁ ମିଞ୍ଜ ଚଳିତ ବର୍ଷ ଟମାଟୋ ଚାଷ ଭଲ ରୋଜଗାର କରିଥିବା କହିଛନ୍ତି। ଗମନାଗମନ ଓ ଜଳସେଚନର ସୁବିଧା ହେଲେ ଅଞ୍ଚଳବାସୀ ଟମାଟୋ ସହିତ ରବି ଓ ଖରାଦିନିଆ ଅର୍ଥକରୀ ଫସଲ ଚାଷ କରି ଜିଲ୍ଲାର ଚାହିଦା ପୂରଣ କରିପାରିବେ ବୋଲି ଆଶା ରଖିଛନ୍ତି। ତେବେ ଟମାଟୋ ଚାଷକରି ସ୍ବାବଲମ୍ବୀ ହୋଇପାରିଥିବା ବେଳେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe