ଟ୍ରକ୍‌ ଅଟକାଇ ଲୁଟ୍‌ ଘଟଣାରେ ୨ ଗିରଫ

ଟ୍ରକ୍‌ ଅଟକାଇ ଲୁଟ୍‌ ଘଟଣାରେ ୨ ଗିରଫ

ରିଆମାଳ: ଗତ ୧୩ ତାରିଖ ଦିନ ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଟାସର ପିଟାସିକ ମଝିରେ ଥିବା କଲଭଟ ନିକଟରେ ଦୁଇଟି ଲୁହାପଥର ବୋଝେଇ ଟ୍ରକ୍‌କୁ ଅଟକାଇ ହୋଇଥିବା ଲୁଟ୍‌ ମାମଲାରେ ପୁଲିସ୍‌ ଗୁରୁବାର ୨ ଜଣଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି। ସେମାନେ ହେଲେ ଝାରଡିହି ଗାଁର ଦୁଃଶାସନ ପ୍ରଧାନ (୨୯) ଓ ଯୁଧିଷ୍ଠିର ମାଝୀ (୩୦)। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇବା ଥାନାଧିକାରୀ ଅଜୟ ତିର୍କୀ ସୂଚନା ଦେଇଛନ୍ତି।
ପୁଲିସ୍‌ର ସୂଚନାନୁସାରେ ଦୁଇଟି ଟ୍ରକ୍‌ (ଓଡି ୦୯ଏ-୮୫୩୫ ଓ ଓଡି ୦୯ଏ-୮୬୩୫) ୧୩ ତାରିଖ ଦିନ କୋଇଡ଼ାରୁ ଲୁହାପଥର ବୋଝେଇ କରି ଅନୁଗୁଳ ଯାଉଥିଲେ। ତେବେ ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ବେଳେ କଟାସର-ପିଟାସିକ ମଝିରେ ଥିବା କଲଭର୍ଟ ନିକଟରେ ଦୁଃଶାସନ ଓ ଯୁଧିଷ୍ଠିର ଏକ ବାଇକ୍‌ (ଓଡି ୦୯ସି-୭୯୯୯)ରେ ପହଞ୍ଚି ଗାଡ଼ି ଦୁଇଟିକୁ ଅଟକାଇଥିଲେ। ସେମାନେ ଭୁଜାଲି ଦେଖାଇ ଚାଳକ ଦ୍ୱୟଙ୍କୁ ଭୟଭୀତ କରିବା ସହ ସେମାନଙ୍କ ଠାରୁ ୨ ହଜାର ଟଙ୍କା ଲୁଟି ନେଇ କୁଣ୍ଢେଇଗୋଳା ଆଡ଼କୁ ଫେରାର୍‌ ହୋଇଯାଇଥିଲେ। ଏ ନେଇ ଗାଡ଼ି ଦ୍ୱୟର ମାଲିକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଡାଙ୍ଗି ଗାଁର ସୁମନ୍ତ ରାଉତ (୩୭) ଓ ପ୍ରଶାନ୍ତ ରାଉତ (୩୭) କୁଣ୍ଢେଇଗୋଳା ଥାନାରେ ପହଞ୍ଚି ଲିଖିତ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe