ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ୁଛି:ପ୍ରତିକାର ପାଇଁ ଭାରତୀୟ ମଜଦୁର ସଂଘର ଦାବିପତ୍ର

Advertisment
ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ୁଛି:ପ୍ରତିକାର ପାଇଁ ଭାରତୀୟ ମଜଦୁର ସଂଘର ଦାବିପତ୍ର

ଦେବଗଡ଼: ଓଡ଼ିଶାରେ ଅଣସଂଗଠିତ ଶ୍ରମିକ ଓ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ଶ୍ରମିକମାନେ ବିଭିନ୍ନ କଳ କାରଖାନା, କୋଠାବାଡି, ସେତୁ ନିର୍ମାଣ, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ୍‌, ଟେଲିଫୋନ, ବିଭିନ୍ନ ଖଣି ଖାଦାନ ଇତ୍ୟାଦିରେ ନିୟୋଜିତ ଥାଇ ନିର୍ଯାତିତ ହେଉଛନ୍ତି। ଏହା ସହିତ କେନ୍ଦୁପତ୍ର, ବିଡି, ଅଙ୍ଗନଓ୍ଵାଡ଼ି, ଆଶା, ମଧ୍ୟାନ୍ନ ଭୋଜନ, ସୁରକ୍ଷା କର୍ମଚାରୀ ଓ ସରକାରୀ ଅଫିସରେ ନିୟୋଜିତ ଠିକା କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହେବା ସହ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସ୍ଥାୟୀ ନିଯୁକ୍ତି ତ ଦୂରର କଥା ଚାକିରୀ କ୍ଷେତ୍ରରେ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ପାଇପାରୁ ନାହାନ୍ତି। ତେଣୁ ଏହାର ପ୍ରତିବାଦ ସ୍ୱରୂପ ବୁଧବାର ଭାରତୀୟ ମଜଦୁର ସଂଘ, ଦେବଗଡ଼ ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଦାବିଗୁଡ଼ିକ ଅନୁସାରେ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ମୁତାବକ ଠିକାଦାର ପରିବର୍ତ୍ତନ ବେଳେ ସ୍ଥାୟୀ କାର୍ଯ୍ୟରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ଛଟେଇ ନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିବା, ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଛୋଟ ବଡ଼ ଉଦ୍ୟୋଗରେ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍‌ସ ବାଧ୍ୟତାମୂଳକ କରାଯିବା, ଉକ୍ତ ଆଟେଣ୍ଡାନ୍‌ସ ଆଧାରରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠିକା କର୍ମଚାରୀଙ୍କୁ ବେତନ ପ୍ରଦାନ, ସମସ୍ତ ଠିକା କର୍ମଚାରୀମାନଙ୍କୁ ପରିଶ୍ରମ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ପଦୋନ୍ନତି ଓ ଦରମା ବୃଦ୍ଧି, ଠିକା କର୍ମଚାରୀ ଓ ସ୍କିମଓ୍ଵାର୍କରମାନଙ୍କୁ ପ୍ରତ୍ୟେକ ବର୍ଷ ବୋନସ ପ୍ରଦାନ, କେବିକେ ଜିଲ୍ଲା ସହ ସମସ୍ତ ଜିଲ୍ଲାରେ ଦେଶାନ୍ତର ଯାଉଥିବା ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା, ମନରେଗା ଯୋଜନା ଅନ୍ତର୍ଗତ ସର୍ବନିମ୍ନ ୨୦୦ ଦିନର କାମ ଶ୍ରମଜୀବୀଙ୍କୁ ଯୋଗାଇବା, ଦାଦନ ଓ ସମସ୍ତ ସରକାରୀ ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ, ଦାଦନ ଶ୍ରମିକ ଚାଲାଣରେ ଲିପ୍ତ ସମସ୍ତ ସରକାରୀ ଓ ବେସରକାରୀ ଦଲାଲଙ୍କୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡବିଧାନ କରାଯିବା ଆଦି ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ବେଳେ ସଂଘ ଶାଖା ସଂପାଦକ ଦିଲୀପ ଗଡନାୟକ, ସଭାନେତ୍ରୀ ନେତ୍ରାମଣି ବେହେରା, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ସାହୁ, ଶ୍ରୀବତ୍ସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe