Destitute while alive, problem of finding land for burial even after death Photograph: (sambad.in)
ଘୁ.ଉଦୟଗିରି: ଜଣେ ମାନସିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ମୃତ୍ୟୁ ପରେ ସମାଧି ଦେବା ପାଇଁ ଦୀର୍ଘ ଘଣ୍ଟା ପୁଲିସ ଏବଂ କିଛି ସମାଜସେବୀଙ୍କୁ ନୟାନ୍ତ ହେବାକୁ ପଡିଛି। ମାନସିକରୋଗ ଗ୍ରସ୍ତ ହୋଇ ଏଣେତେଣେ ବୁଲୁଥିଲେ ଓକିଲ କହଁରଙ୍କ ବୟସ ଆନୁମାନିକ ୫୫ ବର୍ଷରୁ ଅଧିକ ହେବ ।
ସେ ରାଇକିଆ ବ୍ଲକ ଅଧିନରେ ଥିବା ପାଜିମାହା ଗ୍ରାମର ବାସିନ୍ଦା।ପରିବାର କହିଲେ କେହି ନାହାନ୍ତି। ବହୁ ବର୍ଷ ହେବ ସେ ଏହିପରି ମାନସିକରୋଗ ଗ୍ରସ୍ତ ହୋଇ ଏଣେ ତେଣେ ବୁଲୁଥିଲେ। ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନାନୁସାରେ ସେ ଗତ କାଲି କଟଡିଙ୍ଗିଆ ଅଞ୍ଚଳରେ ବୁଲୁଥିଲେ।
କୌଣସି କାରଣ ବଶତଃ ତାଙ୍କର ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଗ୍ରାମର ଗ୍ରାମବାସୀମାନେ ତାଙ୍କୁ ଚିକିତ୍ସା ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର କେହି ସମ୍ପର୍କୀୟ ନ ଥିବା ପୁଲିସ ଜାଣିବା ପରେ ମୃତଦେହ ଜବତ କରି କେସ୍ ନମ୍ୱର ୨/୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଏହାର ତଦନ୍ତ ଭାର ଏଏସ୍ଆଇ ବୁଲୁ ବେହେରାଙ୍କୁ ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରିବା ନିମନ୍ତେ ଜମି ଖୋଜିଲା ବେଳକୁ ମିଳିଲା ନାହିଁ ।
ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ସହଯୋଗ କଲେନାହିଁ । ପ୍ରଥମେ କନବାଗିରି ଅଞ୍ଚଳରେ ସମାଧି ଦେବା ନିମନ୍ତେ ବାରଣ କରାଯାଇଥିଲା। କାରଣ ମୃତ ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା କାରଣରୁ କାନବାଗିରି ଗ୍ରାମବାସୀ ମନା କରିଥିଲେ । ପରେ ଶବକୁ ନେଇ ବାଲୁପାଙ୍ଗା ଲୋକଙ୍କ ପାହାଡ଼ ନିକଟରେ ଥିବା ଜଙ୍ଗଲ ଜମିରେ ଶବ ସମାଧି କରିବା ନିମନ୍ତେ ଜେସିବି ମାଧ୍ୟମରେ ଗାତ ଖୋଳା ସରିଥିଲା ଠିକ୍ ସେତିକି ବେଳକୁ ବାଲୁପାଙ୍ଗା ଗ୍ରାମର ଲୋକମାନେ ଆସି ଶବ ସମାଧି ଦେବା ପାଇଁ ମନା କରିଥିଲେ ।
ସ୍ଥାନୀୟ ପୁଲିସ ପ୍ରଶାସନ ସେମାନଙ୍କୁ ବୁଝସୁଝା କରି ସମାଧାନ କରିବା ନିମନ୍ତେ ପ୍ରୟାସ କରିଥିଲେ ସୁଦ୍ଧା ସେମାନେ ରାଜି ହୋଇ ନଥିଲେ ।
ବଞ୍ଚିଥିବା ଅବସ୍ଥାରେ ତାଙ୍କର କେହି ନ ଥିଲେ। ମୃତ୍ୟୁ ପରେ ମଧ୍ୟ କେହି ନାହାନ୍ତି । ଶବକୁ ପ୍ରଶାସନ ଓ ସମାଜସେବୀମାନେ ସକାଳୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧରି ବୁଲିଥିଲେ। କିନ୍ତୁ ସଂସ୍କାର ପାଇଁ ଜାଗା ମିଳି ନଥିଲା। ତେବେ ପରବର୍ତ୍ତୀ ସମୟରେ ବାଲୁପାଙ୍ଗାଠାରେ ଗାତ ଖୋଳା ସରିଥିଲା ଓ ସମାଧି ଦେବାକୁ ଶବ ରଖା ହେଇଥିଲା ସେହି ସମୟରେ ବାଲୁପପାଙ୍ଗା ଲୋକମାନେ ଆସି ମନା କରିଥିଲେ ।
ସେପଟେ ସରକାର ମଧ୍ୟ ଏହିପରି ଅସହାୟ ଅପରିଚିତ,ଦୀନହୀନ ଲୋକଙ୍କୁ ସମାଧି କିମ୍ବା ଶବ ସତ୍କାର କରିବା ପାଇଁ ଜାଗା ରଖି ନ ଥିବା ବେଳେ ଅଞ୍ଚଳର ଲୋକମାନେ ମଧ୍ୟ ଜାଗା ଦେଲେ ନାହି।
ଅଧିକ ପଢ଼ନ୍ତୁ: ପାଣିହାଣ୍ଡିରେ ପଡ଼ି ୨ବର୍ଷର ଶିଶୁକନ୍ୟା ମୃତ
ଦୀର୍ଘ ଘଣ୍ଟା ଶବକୁ ଧରି ବୁଲି ବୁଲି ଶେଷରେ ସେମାନେ ଅନ୍ୟ ଜାଗା ଦେଖାଇଥିଲେ ଓ ସେଠାରେ ଶବ ସମାଧି ଦିଆଯାଇଥିଲା । ଅନ୍ତିମ ସଂସ୍କାର କାର୍ଯ୍ୟରେ ନଗର ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ,ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଏଏସଆଇ ରବିନ୍ଦ୍ର ସେଠୀ,ବୁଲୁ ବେହେରା,ହାବିଲଦାର ବିଷ୍ଣୁ ସେଠୀ, ସମେତ ସମାଜ ସେବୀ ଆମନ ଚନ୍ଦ୍ର ନାୟକ,ସାମ୍ବାଦିକ ସାମନ୍ତ ଶେଖର ନାୟକ,ଏନ୍ ରାଜା ରାଓ, ସମାଜସେବୀ ରୋହିତ ପ୍ରଧାନ, ସୁବ୍ରମଣ୍ୟମ୍ ନାୟକ,ଏବଂ ରାଇକିଆ ପାଜିମାହା ଅଞ୍ଚଳର ଯୁବକମାନେ ଉପସ୍ଥିତ ରହି ଅନ୍ତିମ ସଂସ୍କାର କରାଇଥିଲେ ।
ତେବେ ପ୍ରଶାସନ ପକ୍ଷରୁ ଦୀନହୀନ, ଅପରିଚିତ,ଅଜଣା ଲୋକଙ୍କ ନିମନ୍ତେ ଏକ ସମାଧିସ୍ଥଳ ଯୋଗାଇ ସୁବିଧା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ
Follow Us