ସୁନ୍ଦରଗଡ଼ରେ ଉନ୍ନୟନ ଆୟୁକ୍ତଙ୍କ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Advertisment

ଖରାରେ ଠିଆ ନୃତ୍ୟଦଳ, ୱାଡି ପ୍ରକଳ୍ପର ତଥ୍ୟ ନପାଇ ବର୍ଷିଲେ

ଖରାରେ ଠିଆ ନୃତ୍ୟଦଳ, ୱାଡି ପ୍ରକଳ୍ପର ତଥ୍ୟ ନପାଇ ବର୍ଷିଲେ

ସୁନ୍ଦରଗଡ଼ରେ ଉନ୍ନୟନ ଆୟୁକ୍ତଙ୍କ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

ସୁନ୍ଦରଗଡ଼/କୁତ୍ରା: ରାଜ୍ୟ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ବୁଧବାର ଦିନ ତମାମ ଝାରସୁଗୁଡ଼ାରେ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ, ସମୀକ୍ଷା ଓ କୋଭିଡ ମୁକାବିଲା ସମ୍ପର୍କରେ ଆଲୋଚନା ପରେ ରାତିରେ ସୁନ୍ଦରଗଡ଼ ପହଞ୍ଚିଥିଲେ। ଆଜି ସକାଳୁ ସେ ବିଭିନ୍ନ ବ୍ଲକ ଅଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାମ ପରିଦର୍ଶନ କରି ଅପରାହ୍ନରେ ଜିଲ୍ଲା ପ୍ରଶାସନ ସହ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଓ କୋଭିଡ ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ କରୋନା ସଂକ୍ରମିତ ଗୃହହୀନଙ୍କୁ ସଂଗରୋଧରେ ରଖିବା ପାଇଁ ବନ୍ଦ ପଡ଼ିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମସି)ଗୁଡ଼ିକୁ ପୁଣି ଥରେ ଖୋଲିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୁତ୍ରା ବ୍ଲକରେ କିଛି ପ୍ରକଳ୍ପ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ଆୟୁକ୍ତ ଭୀଷଣ ବିଗିଡ଼ିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ୧ଟା ୪୫ରେ ଆୟୁକ୍ତ ଶ୍ରୀ ଜେନା କୁତ୍ରା ବ୍ଲକକୁ ପହଞ୍ଚିଲା ବେଳେ ସେଠାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରିବା ପାଇଁ ସଭା ମଞ୍ଚ ଓ ଆଦିବାସୀ ନୃତ୍ୟଦଳ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଆୟୁକ୍ତ ଏସବୁ ପସନ୍ଦ କରନ୍ତି ନାହିଁ ବୋଲି କେହି ଜଣେ ଅଧିକାରୀ ସୂଚନା ଦେବା ପରେ ନୃତ୍ୟଦଳକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିଲା।

publive-image

କିନ୍ତୁ ତାହା ଆୟୁକ୍ତଙ୍କ ନଜରରେ ପଡ଼ିଥିଲା। ସେମାନେ ଧୁଧୁ ଖରାରେ ଝାଳନାଳ ହୋଇ ତାଙ୍କୁ ଅପେକ୍ଷା କରିଥିବା ଦେଖି ଅଧିକାରୀଙ୍କ ଉପରେ ବର୍ଷିଥିଲେ ସେ। ଏପରିକି ରାଗରେ ସେ ଚୌକିରେ ବି ବସି ନଥିଲେ। ଏହା ପରେ ସେ କୁତ୍ରାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରସ୍ତୁତ ଉଦ୍ୟାନ କୃଷି ପ୍ରକଳ୍ପ ପରିଦର୍ଶନ କରିଥିଲେ। ଗୋଟିଏ ଏରିଆରେ ଥିବା ୧୪ ଜଣ ଚାଷୀଙ୍କ ୨୯.୪୭ ଏକର ଜମିରେ କାଜୁ, ଆମ୍ବ, ଅମୃତଭଣ୍ଡା, ତରଭୁଜ ସମେତ ବିବିଧ ଚାଷ କରାଯାଇଛି।

ଏସବୁ ଜମିକୁ ପାଣି ଯୋଗାଇବାକୁ ୭ଟି ସୌରଚାଳିତ ଗଭୀର ନଳକୂପ ବ୍ୟବସ୍ଥା କରାଯାଇଛି। ଆୟୁକ୍ତ ଶ୍ରୀ ଜେନା ଏହାକୁ ପରିଦର୍ଶନ କଲା ବେଳେ ପ୍ରକଳ୍ପର ବ୍ୟୟ ଅଟକଳ ସମ୍ପର୍କରେ ଜାଣିବାକୁ ଚାହିଥିଲେ। କିନ୍ତୁ ଉପସ୍ଥିତ ଡିଏମଏଫ ଅଧିକାରୀ କି ଦାୟିତ୍ବରେ ଥିବା ସଂସ୍ଥା ତଥ୍ୟ ଦେଇ ନପାରିବାରୁ ସେ ବିରକ୍ତ ପ୍ରକାଶ କରିଥିଲେ। ସେହିପରି ପ୍ରକଳ୍ପର ହିତାଧିକାରୀ ଚାଷୀଙ୍କ ସହ ଆଲୋଚନା କରି କାହିଁକି ଏଠି ଆମ୍ବ, କାଜୁ ଲଗାଯାଇଛି। ଏଥିରେ ଲାଭ କ’ଣ, ଭବିଷ୍ୟତ ଯୋଜନା କ’ଣ ବୋଲି ପଚାରିଥିଲେ ମଧ୍ୟ ଚାଷୀମାନେ କୌଣସି ସନ୍ତୋଷଜନ ଉତ୍ତର ଦେଇପାରି ନଥିଲେ। ଏଥିରେ ଅଧିକାରୀଙ୍କ ଉପରେ ବିଗିଡ଼ି ଯାଇଥିଲେ ଶ୍ରୀ ଜେନା।

ସେ ସୁନ୍ଦରଗଡ଼ ଫେରିବା ଭିତରେ ତୁରନ୍ତ ଅଫିସ ଯାଇ ସମସ୍ତ କାଗଜପତ୍ର ଦେଖି ପ୍ରକଳ୍ପର ସମସ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ସେ ଖୁଟମୁଣ୍ଡାରୁ ପୁର୍କାପାଲିକୁ ସଂଯୋଗ କରୁଥିବା ଦାନପଡ଼ା ପୋଲ ଦେଖିଥିଲେ। ସକାଳୁ ସେ ସୁନ୍ଦରଗଡ଼ ପ୍ରଦକ୍ଷିଣ ଗୃହରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଲେଫ୍ରିପଡା ବ୍ଲକକୁ ଯାଇ ସରଫଗଡ଼, କାଦୋମାଲରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ନିର୍ମିତ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ଦେଖିବା ସହ ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ପ୍ରକଳ୍ପର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ଫେରିବା ବାଟରେ ସୁର୍ଗୁଡା ଠାରେ କାର୍ଯ୍ୟକ୍ଷମ ମା' ଗୃହ ପରିଦର୍ଶନ କରି ଏହାର ପରିଚାଳକ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜିର ଏହି ଗସ୍ତରେ ତାଙ୍କ ସହ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ବିକାଶ ନିଗମ (ଓମବାଡସି)ର ମୁଖ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦାରି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ର, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe