ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଲାସୁତରା ପାଇଁ ବିକାଶ ବାଟବଣା ଅଭିଯୋଗ

ଖଣି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ଦାବି

ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଲାସୁତରା ପାଇଁ ବିକାଶ ବାଟବଣା ଅଭିଯୋଗ
ମୋହନା: ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଲାସୁତରା ପାଇଁ ପଞ୍ଚାୟତର ବିକାଶ ଅଟକି ରହିଛି। ସରକାରଙ୍କ ମାଳମାଳ ଯୋଜନାମାନ ସଫଳ ରୂପାୟନ ହୋଇପାରୁ ନଥିବା ବେଳେ ଲୋକମାନେ ଉତ୍ତମ ସେବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଖବର ଆସିଛି ମୋହନା ବ୍ଲକ୍ ଅଧୀନ ଖଣି ପଞ୍ଚାୟତରୁ। ପଞ୍ଚାୟତର ସରପଞ୍ଚ ଯମୁନା ମଳିକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାକର ପ୍ରଧାନଙ୍କ ସଲାସୁତରା ଓ ମନମୁଖୀ କାର୍ଯ୍ୟକଳାପ ଚରମ ସୀମାରେ ପହଞ୍ଚିଛି। ଏପରିକି ଉଭୟ ମିଶି ପଞ୍ଚାୟତକୁ ଆସୁଥିବା ଜନହିତକର ଯୋଜନା ଗୁଡ଼ିକୁ ହଡ଼ପ କରୁଥିବା ଭଳି ଅଭିଯୋଗ ଆସିଛି।
ଏନେଇ ପଞ୍ଚାୟତର ସମସ୍ତ ୱାର୍ଡ଼ମେମ୍ବର ମୋହନା ବିଡିଓ ବଂଶୀଧର ଖୋସଲାଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।  ଅଭିଯୋଗ ପ୍ରକାରେ ଖଣି ପଞ୍ଚାୟତ ନୂତନ ଭାବେ ଗଠନ ହେବା ପରେ ପଞ୍ଚାୟତବାସୀ ଜଣେ ଶିକ୍ଷିତ ଯୁବତୀ ଭାବେ ଯମୁନାଙ୍କୁ ସରପଞ୍ଚ ଭାବେ ବାଛି ଥଲେ। ସେ ମଧ୍ୟ ସରପଞ୍ଚ ହେବା ପରେ ଲୋକମାନଙ୍କ ବିକାଶ ପାଇଁ କାମ କରିବେ ବୋଲି କଥା ଦେଇଥିଲେ। ତେବେ ସେ ସରପଞ୍ଚ ହେବା ପରେ ସବୁ କିଛି ବଦଳି ଯାଇଥିଲା। ସେ ତାଙ୍କ ମନମୁଖୀ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲେ।
ପଞ୍ଚାୟତ ଗଠନକୁ ୪ ବର୍ଷ ବିତିଥିଲେ ମଧ୍ୟ ପଞ୍ଚାୟତରେ ମାସିକ ବୈଠକ ବସୁନଥିବା ବେଳେ ରେଜୁଲେସନ୍ ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହିଁ। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ଯୋଜନା ସଂପର୍କରେ ସାଧାରଣ ଲୋକମାନେ ସାମାନ୍ୟତମ ସୂଚନା ପାଇ ପାରୁ ନାହାନ୍ତି। ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଟିଏ ବି ଆଜି ଯାଏ ନିର୍ମିତ ହୋଇ ପାରିନାହିଁ। କେଉଁ ଯୋଜନାରେ କେତେ ଟଙ୍କା ଆସିଥିଲା କେତେ ଖର୍ଚ୍ଚ ହେଲା ତାର ତାଲିକା ନାହିଁ। ଫନି ବାତ୍ୟାର ସହୟତା ସଂପର୍କରେ ପଞ୍ଚାୟତବସୀ ଅଜ୍ଞ ରହିଛନ୍ତି। ସେହିପରି ତିତ୍‌ଲି ସମୟରେ ଆସିଥିବା ଚାଉଳ ହେରଫେର୍ ହୋଇଛି। ଏଭଳି ସରପଞ୍ଚଙ୍କ ବିରୋଧରେ ଅଭିଯୋଗର ତାଲିକା ବହୁତ ଲମ୍ବା ରହିଥିବା ୱାର୍ଡ଼ମେମ୍ବର ମାନେ ପ୍ରକାଶ କରିଛନ୍ତି।
ୱାର୍ଡ ମେମ୍ବର ଏଷ୍ଟରୀ ମଳିକ, ସୁଭଦ୍ରା ନାୟକ, ରମାକାନ୍ତ ମଳିକ, ନାଏବ ସରପଞ୍ଚ ଦୁର୍ଦୁମେରୀ ନାୟକ, କୁନ୍ତଳା ମଳିକ, ଲାଜାର ଶବର ଓ ଲିଳାବତୀ ମଳିକ ଲିଖିତ ଭାବେ  ଏହି ଅଭିଯୋଗ ଜଣାଇଛନ୍ତି। ଅନ୍ୟପକ୍ଷରେ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାକର ପ୍ରଧାନଙ୍କୁ ମୋହନା ପଞ୍ଚାୟତକୁ ବଦଳି କରାଯାଇଥିଲେ ମଧ୍ୟ ସେ ଆଜି ସୁଦ୍ଧା ଖଣି ପ˚ଚାୟତ ଦାୟିତ୍ବରେ ରହିଥିବା ଅଭିଯୋଗ ହୋଇଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe