International Fund for Animal Welfare
ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ବାଘଧରିଆ ଗାଁ ନିକଟ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାମ୍ଭିକ ତଦନ୍ତରୁ ଜଣାଯାଇଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଘଟଣାସ୍ଥଳରେ ଏକ ବାରହା ବି ମରି ପଡ଼ିଥିବା ସୂଚନା ରହିଛି। ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଟିର ଶବବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲରୁ ଗତ ରବିବାର ଦିନ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ହାତୀର ବୟସ ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ରବିବାର ଦିନ କେତେକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଏକ ମାଈ ହାତୀ ପଡ଼ିଥିବା ଦେଖି ଗ୍ରାମରେ ଖବର ଦେଇଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ମହାବିରୋଡ଼ ରେଞ୍ଜ ଦାୟିତ୍ବରେ ଥିବା କାମାକ୍ଷାନଗର ଇଷ୍ଟରେଞ୍ଜ ଅଧିକାରୀ ସତ୍ୟ ନାରାୟଣ ସାହୁ ଟିମ୍ ସହିତ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। କଙ୍କଡାହାଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟ ବିକ୍ରମ ତରାଇ ଶବ ବ୍ୟବଚ୍ଛେଦ କରିଥିଲେ। ମାଈ ହାତୀଟି ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାର ଗର୍ଭରୁ ମୃତ ଛୁଆକୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତାଯାଇଥିଲା।
Follow Us