ବଧୂହତ୍ୟା ମାମଲାରେ ମା, ପୁଅଙ୍କୁ ଆଜୀବନ କାରାଦଣ୍ଡ

Advertisment
ବଧୂହତ୍ୟା ମାମଲାରେ ମା, ପୁଅଙ୍କୁ ଆଜୀବନ କାରାଦଣ୍ଡ

Hands of the prisoner on a steel lattice close up

କାମାକ୍ଷାନଗର : କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବାମାଶଙ୍କର ମିଶ୍ର ଆଜି ଏକ ବଧୂହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଭୁବନ ଥାନା ଓଢଣା ଗ୍ରାମର ପୂର୍ଣ୍ଣିମା ସେଠୀ ଓ ତାଙ୍କ ପୁଅ ପବିତ୍ର ସେଠୀଙ୍କୁ ଆଜୀବନ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି। ମୃତ ବଧୂଙ୍କ ନାମ ସୁମିତ୍ର ମହାରଣା ଓ ତାଙ୍କ ଘର କଟକ ଜିଲ୍ଲାର ବିଡ଼ାନାସୀ ଅଞ୍ଚଳରେ।

ମାମଲା ବିବରଣୀରୁ ପ୍ରକାଶ, ବିଡ଼ାନାସୀ ଅଞ୍ଚଳର ମନୋରଞ୍ଜନ ମହାରଣାଙ୍କ ଝିଅ ସୁମିତ୍ରା ୨୦୧୪ ମସିହା ଜୁଲାଇ ୧୧ ତାରିଖରେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ନିଖୋଜ ହେବାର ୭ ଦିନ ପରେ ସୁମିତ୍ରା ତାଙ୍କ ପରିବାରକୁ ଫୋନ୍‌ କରି ଜଣାଇଥିଲେ, ସେ ଭୁବନ ଥାନା ଓଢଣା ଗ୍ରାମର ପବିତ୍ର ସେଠୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ବିବାହର କିଛି ଦିନ ପରେ ସୁମିତ୍ରା ଜାଣିବାକୁ ପାଇଥିଲେ ପବିତ୍ର ପୂର୍ବରୁ ଅନ୍ୟ ଜଣକୁ ବିବାହ କରିଛନ୍ତି।

ଏ ସଂପର୍କରେ ସୁମିତ୍ରା ପଚାରିବାରୁ ପବିତ୍ର ତାଙ୍କୁ ଗାଳିଗୁଲଜ କରିଥିଲେ। କିଛି ଦିନ ପରେ ସୁମିତ୍ରା ନିଜ ବାପଘରକୁ ଫୋନ୍‌ ନ କରିବାରୁ ପରିବାର ଲୋକେ ଓଢଣା ଗ୍ରାମକୁ ଆସିଥିଲେ। ସେଠାରେ ଶୁଣିବାକୁ ପାଇଥିଲେ ଯେ ପବିତ୍ର ଓ ତାଙ୍କ ମା ପୂର୍ଣ୍ଣିମା ସୁମିତ୍ରାକୁ ହତ୍ୟା କରି ବ୍ରାହ୍ମଣୀ ନଦୀରେ ଭସାଇ ଦେଇଛନ୍ତି। ସୁମିତ୍ରାଙ୍କ ପରିବାର ଲୋକ ଏ ସଂପର୍କରେ ପବିତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସୁମିତ୍ରା ଆତ୍ମହତ୍ୟା କରିବାରୁ ସେ ଭୟରେ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ। ସୁମିତ୍ରାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୂ ହତ୍ୟା କରିଥିବା ନେଇ ସୁମିତ୍ରାଙ୍କ ପିଉସା ଗୋବିନ୍ଦ ମହାରଣା ୨୦୧୪ ମସିହା ଅକ୍ଟୋବର ୨୬ ତାରିଖରେ ଭୁବନ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏହି ଘଟଣାର ତଦନ୍ତ କରି ବଧୂହତ୍ୟା ଅଭିଯୋଗରେ ପବିତ୍ର ଓ ତାଙ୍କ ମା ପୂର୍ଣ୍ଣିମାଙ୍କୁ ଗିରଫ କରିଥିଲା। ସୁମିତ୍ରାଙ୍କୁ ହତ୍ୟା କରି ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିବା ଉଭୟ ପୁଲିସ ନିକଟରେ ସ୍ୱୀକାର କରିଥିଲେ। ଆଜି ଏହି ମାମଲାର ବିଚାର କରି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶ୍ରୀ ମିଶ୍ର ଅଭିଯୁକ୍ତ ମା ଓ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବରାଜ ବେହେରା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe