OdishaLive
ଅନୁଗୁଳ: ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର। ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଓ ମନ୍ତ୍ରଣା ଚାଲିଥିଲା, ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଛି। ଏ ସବୁ ପରେ ବିଜେପି ତାର ଲୋକସଭା ପାଇଁ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଢେଙ୍କାନାଳରୁ ପୁଣି ଥରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ଉପରେ ଦଳ ଭରସା କରିଛି।
ଟିକେଟ ପାଇ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଦେବା ସହ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ଶାସିତ ସରକାରଙ୍କ ଚକ୍ରାନ୍ତ ଯୋଗୁଁ କମ୍ ବ୍ୟବଧାନରେ ହାରିଥିବା ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି ରୁଦ୍ର ନାରାୟଣ ପାଣି। ସେ କହିଛନ୍ତି, ରାଜ୍ୟର ଶାସନ ଅଣଓଡ଼ିଆଙ୍କ ହାତରେ ଟେକି ଦେଇଛନ୍ତି ସରକାର। ଢେଙ୍କାନାଳ ଲୋକସଭା କ୍ଷେତ୍ର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେଠାରୁ ନିର୍ବାଚନ ଲଢ଼ିବା ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନ ଓ ଢେ଼ଙ୍କାନାଳରୁ ରୁଦ୍ରନାରାୟଣ ପାଣିଙ୍କୁ ଟିକେଟ ମିଳିଛି।
Follow Us