କାମାକ୍ଷାନଗର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଘର ଆଗରେ ଡିନାମାଇଟ ଫୁଟାଇ ଦୁଇଜଣ ଗିରଫ ହୋଇଥିବାର ଖବର ମିଳିଛି। ଡିନାମାଇଟ ବିସ୍ଫୋରଣରେ ଘରର ମୁଖ୍ୟ ଗେଟର ଗ୍ରିଲ ଭାଙ୍ଗିବା ସହ ଘରର କାନ୍ଥ ଓ ଛାତ ଫାଟି ଯାଇଛି। ଏଭଳି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମରେ।
ମହୁଲପାଳ ଗ୍ରାମର ବାଲୁଙ୍କେଶ୍ବର ଦେହୁରୀ ଓ ପଡ଼ୋଶୀ ରବି ପେଣ୍ଠେଇଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗିରହିଥିଲା। ଗତକାଲି ଦିନ ବେଳା ମଧ୍ୟ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ତେବେ କାଲି ରାତି ପ୍ରାୟ ୧୧.୦୦ ଟା ବେଳକୁ ବାଲୁଙ୍କେଶ୍ବର ପରିବାର ଖାଇପିଇ ଶୋଇଥିବା ବେଳେ ରବି ପେଣ୍ଠେଇଙ୍କ ଦୁଇ ପୁଅ ଶାନ୍ତନୁ ଓ ଲିକୁନ୍ ବାଲୁଙ୍କେଶ୍ବରଙ୍କ ଘରେ ଡିନାମାଇଟ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବିସ୍ଫୋରଣରେ ଗ୍ରିଲ ଭାଙ୍ଗିବା ସହ କାନ୍ଥ ଓ ଛାତ ଫାଟିଯାଇଛି। ସୌଭାଗ୍ୟବଶତଃ ପରିବାର ଲୋକଙ୍କର କୌଣସି କ୍ଷତି ହୋଇନାହିଁ।
ବାଲୁଙ୍କେଶ୍ବର ଥାନାରେ ଲିଖିତ ଅଭିଯୋଗ ପରେ ରବି ପେଣ୍ଠେଇ ଓ ତାଙ୍କ ପୁଅ ଶାନ୍ତନୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୁଲିସ। ତେବେ ଲିକୁନ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।
Follow Us