ସାମାଜିକ ସଂସ୍କୃତି, ପରଂପରା ଓ ଭାଇଚାରାର ପର୍ବ ‘ଦିଆଲି ପରବ’ ପାଳିତ

Advertisment
ସାମାଜିକ ସଂସ୍କୃତି, ପରଂପରା ଓ ଭାଇଚାରାର ପର୍ବ ‘ଦିଆଲି ପରବ’ ପାଳିତ

ରାୟଗଡା: ରାୟଗଡା ଜିଲ୍ଲା ଡମ୍ ସମାଜର ଦିଆଲି ପରବ ଭେଟଘାଟ ମହାସମାରୋହରେ ପାଳିତ ହୋଇଯାଇଛି। ହଜାର ହଜାର ଲୋକ ଚାରୋଟି ବିରାଟ ରାଲିରେ ବାହାରିଥିଲେ। ପ୍ରଥମ ରାଲି ଷ୍ଟେସନ ଛକରୁ ଜିସିଡି ପଡ଼ିଆରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ଦ୍ବିତୀୟ ରାଲି ଆମ୍ବାଗୁଡା ଛକରୁ, ତୃତୀୟ ରାଲି ମାଝିଗୌରୀ ମନ୍ଦିର ଛକରୁ ଏବଂ ଚତୁର୍ଥ ରାଲି ଚାକାଗୁଡା ଛକରୁ କପିଳାସ ଛକ ହୋଇ ଜିସିଡି ପଡିଆରେ ପହଞ୍ଚିଥିଲା। ଏଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳଛାୟା ପ୍ରକଳ୍ପର ଅଧିକାରୀ ଦୟାନିଧି ବାଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମୋହନ ମହାନନ୍ଦିଆ ଏବଂ ଉପେନ୍ଦ୍ର ନାୟକ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା ଏବଂ ସହଯୋଗରେ ଜନାର୍ଦ୍ଦନ ଗରଡା, ଗୋବିନ୍ଦ ନାୟକ, ପୁରେନ୍ଦ୍ର ପାଣି, ରବୀ ଗରଡିଆ, ମହେନ୍ଦ୍ର ବାଗ, କାମ ବିଡିକା, ହୃଷୀକେଶ କୁଲଦୀପ ପ୍ରମୁଖ ରହିଥିଲେ।

ପ୍ରତିବର୍ଷ ଡମ୍ ସମାଜ ପକ୍ଷରୁ ଦିଆଲି ପରବ ପାଳନ କରାଯାଇଛି। ଏହି ପରବ ହେଉଛି ଜମ୍ ସମାଜର ସାମାଜିକ ସଂସ୍କୃତି, ପରଂପରା ଓ ଭାଇଚାରାର ପର୍ବ। ଏହା ଡମ୍ ସମାଜର ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅବସରରେ ସମାଜ ପକ୍ଷରୁ ଶିକ୍ଷା, ସମାଜିକ ବ୍ୟବସ୍ଥା, ଜନସଂଖ୍ୟା, ଭୌଗଳିକ ସ୍ଥିତି, ଆର୍ଥିକ ସ୍ଥିତି, ରାଜନୈତିକ ଅବହେଳା ସଂପର୍କରେ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ତେବେ ସମାଜ ପକ୍ଷରୁ ରହିଥିବା ଦାବିଗୁଡିକ ମଧ୍ୟରୁ ଏସସି ଓ ଏସଟି ବିଭାଗରେ ପରିଚାଳିତ ସ୍କୁଲମାନଙ୍କରେ ଅନୁସୂଚିତ ଜାତିର ପିଲାଙ୍କୁ କେବଳ ୧୦ ପ୍ରତିଶତ ସଂରକ୍ଷଣ ପ୍ରଯ୍ୟାପ୍ତ ନୁହେଁ। ଅନୁସୂଚିତ ଜାତିର ପିଲାଙ୍କ ପାଇଁ ପ୍ରତ୍ୟେକ ସ୍କୁଲ, କଲେଜରେ ୧୦୦ରୁ ୪୦୦ ଶଯ୍ୟା ବିଶିଷ୍ଟ ହୋଷ୍ଟେଲ ନିର୍ମାଣ କରାଯାଉ। ପ୍ରତ୍ୟେକ ବ୍ଲକରେ ୫୦୦ ଶଯ୍ୟା ବିଶିଷ୍ଟ ଦେୟମୁକ୍ତ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଉ। ସେହିପରି ଏକ ହଜାର ଶଯ୍ୟା ବିଶିଷ୍ଟ ଦେୟମୁକ୍ତ ହୋଷ୍ଟେଲ ନିର୍ମାଣ କଲେ ପିଲାମାନେ ସେଠାରେ ରହି ଯୁକ୍ତ ଦୁଇ, ଯୁକ୍ତି ତିନି ପାଠ ପଢିପାରିବେ।

ରାୟଗଡା ଜିଲ୍ଲାରେ ରହିଥିବା କଲେଜଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରିବା ସହ ଅଧ୍ୟାପକ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉ। ଛାତ୍ରଛାତ୍ରୀମାନଙ୍କର ପସନ୍ଦ ମୁତାବକ ବିଷୟ ପଢିବାକୁ ସୁଯୋଗ ଉପଲବ୍ଧ କରାଯାଉ। ଜିଲ୍ଲାରେ ମୋଟ ଜନସଂଖ୍ୟା ହିସାବରେ ଏସସିମାନଙ୍କ ସଂଖ୍ୟା ଦ୍ବିତୀୟ ସ୍ଥାନରେ ରହିଥିବାରୁ ତେଣୁ ରାନୈତିକ ଦ୍ବିତୀୟ ପଦବି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ କରାଯାଉ। ଜିଲ୍ଲାରେ ତିନୋଟି ବିଧାନସଭା ଆସନ ରହିଛି। ଏହାକୁ ସାତୋଟି ବିଧାନସଭାରେ ବୃଦ୍ଧି କରାଯାଉ। ଜିଲ୍ଲାରେ ବାସ କରୁଥିବା ଅନେକ ଅନୁସୂଚିତ ଜାତିର ଲୋକଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇ ନାହିଁ। ସେମାନଙ୍କୁ ଚିହ୍ନଟ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଦାବି ରହିଛି। ଏତେ ବଡ ବିରାଟ ଜନ ସମାଗମ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଆଲୋଚନା ଜୋର ଧରିଥିଲା। ଏହି ସମାଜ ରାଜନୈତିକ ଉଥର ପୁଥର କରିପାରେ ବୋଲି ଆଲୋଚନା ହେଉଥିଲା।ଆଗାମୀ ନିର୍ବାଚନରେ ଏହି ସମାଜ ନେତାଙ୍କ ଭାଗ୍ୟ ବଦଳାଇବା ସହ ବଡ ଧରଣର ଏକ ଯୋଜନା କରୁଥିବା ସୂଚନା ମିଳିଛି।ତେବେ ଆଗାମୀ ନିର୍ବାଚନରେ ଏହି ସମାଜ କଣ କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe