ସମ୍ବଲପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଭୟଭୀତ ନ ହେବାକୁ କହିଲା ସ୍ବାସ୍ଥ୍ୟବିଭାଗ, ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଆକ୍ରାନ୍ତ

ସମ୍ବଲପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଭୟଭୀତ ନ ହେବାକୁ କହିଲା ସ୍ବାସ୍ଥ୍ୟବିଭାଗ, ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ହୀରାକୁଦ ପରେ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବା ଖବର ପଦାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଲୋକଙ୍କ ମଧ୍ୟରେ ଭୟ ବୃଦ୍ଧି ପାଉଥିବା ଦେଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାକକ୍ଷରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି। ହୀରାକୁଦରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସମ୍ବଲପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି। ଗତ ୧୯ ତାରିଖରେ ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟବିଭାଗ ସୂଚନା ଦେଇଛି। ପ୍ରକୋପ ପ୍ରଭାବିତ ଅଞ୍ଚଳରୁ ୨୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରୁ ୬୧ ଟି ବିକ୍ଷିପ୍ତ ମାମଲା ସାମ୍ନାକୁ ଆସିଛି ବୋଲି ସ୍ପଷ୍ଟ କରାଯାଇଛି। ସମ୍ବଲପୁର ସହରର ମାତୃବିହାର ଓ ଦାନୀପାଲି ଭଳି ଅଞ୍ଚଳରେ କିଛି ବିକ୍ଷିପ୍ତ ଘଟଣା ଦେଖିବାକୁ ମିଳିଥିବା କଥାକୁ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରାଯାଇଥିବା ବେଳେ ମାମଲାଗୁଡିକ ଡାଇରିଆ ରୋଗର ସଂଜ୍ଞାକୁ ନିର୍ଦ୍ଦିଷ୍ଟ ଭାବେ ପୂରଣ କରେ ନାହିଁ ବୋଲି କହାଯାଇଥିଲା। ଦୂଷିତ ଖାଦ୍ୟ, ଗରମ ଜଳବାୟୁ, ଅସୁରକ୍ଷିତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଅଭ୍ୟାସ ଅଭାବ କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା କହାଯାଇଥିଲା। ଦୂଷିତ ଖାଦ୍ୟ ଓ ପାନୀୟ ଜଳ ଏଥିପାଇଁ ମୁଖ୍ୟ କାରଣ ବୋଲି କହାଯାଇଥିଲା। ତେଣୁ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ କହାଯାଇଛି। ଝାଡ଼ାବାନ୍ତିରେ ଏକାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କହାଯାଉଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇ ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହାଯାଇଛି। ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ପ୍ରଭାବିତ ଅଞ୍ଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୁତୟନ କରାଯାଇଛି। ଜିଲ୍ଲା ରାପିଡ୍ ରେସପନ୍ସ ଟିମ୍ ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ସହରାଞ୍ଚଳ ସ୍ୱାସ୍ଥ୍ୟ ଟିମ୍ ଘର ଘର ବୁଲି ସୁରକ୍ଷିତ ପାନୀୟ ଜଳ ଅଭ୍ୟାସ, ପରିମଳ ଏବଂ ସ୍ୱଚ୍ଛତା ଉପରେ ସଚେତନ କରାଯାଉଛି। ଏଡିଏମ୍‌ଓ ଡା. ଅଶୋକ ଦାସ, ଏସ୍ଏମ୍ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦ, ଡିପିଏମ୍‌ ଏନ୍‌ଏଚଏମ ମୌସୁମୀ ମିଶ୍ର, ସମ୍ବଲପୁରର ଏପିଡେମିଓଲୋଜିଷ୍ଟ ଡା. ଜ୍ଞାନରଞ୍ଜନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ଅପାରଗ ପିଏଚ୍‌ଡି ଅଧିକାରୀଙ୍କ ପାଇଁ ବ୍ୟାପୁଛି ଝାଡ଼ାବାନ୍ତି

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳକୁ ଝାଡ଼ାବାନ୍ତି ବ୍ୟାପିବାର ଏକ ମୁଖ୍ୟ କାରଣ ବୋଲି କହାଯାଇଛି। କିନ୍ତୁ ସମ୍ବଲପୁରରେ ପାନୀୟ ଜଳ ଯୋଗାଣ ଦାୟିତ୍ବରେ ଥିବା ପିଏଚ୍‌ଡି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଏବେ ଚରମସୀମାରେ ପହଞ୍ଚିଛି। ସେମାନଙ୍କ ଅବହେଳା ଯୋଗୁ ସହରବାସୀ ଏବେ ଅସୁବିଧା ଭୋଗୁଛନ୍ତି। ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ଜଣ୍ଡିସ୍‌ ଭୟ ବି ମୁଣ୍ଡ ଟେକିଛି। ଲୋକେ ପାଇପ୍‌ ଫାଟିଲେ ମରାମତି ପାଇଁ ପିଏଚ୍‌ଡି ବିଭାଗର ଅଧିକାରୀଙ୍କୁ ଜଣାନ୍ତି। କିନ୍ତୁ ଅଧିକାରୀମାନେ ମରାମତି କଥା ଚିନ୍ତା କରନ୍ତି ନାହିଁ। ସେହି କାରଣରୁ ସହରରେ ମାଳମାଳ ସ୍ଥାନରେ ପିଏଚ୍‌ଡି ପାଇପ୍‌ ଫାଟି ପାଣି ଅପମିଶ୍ରଣ ହେଉଛି। ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତିର ଶିକାର ହେଉଛନ୍ତି। ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ପିଏଚ୍‌ଡି ବିଭାଗ ଅଧିକାରୀଙ୍କ ଅବହେଳା ଦେଖି ନିରବଦ୍ରଷ୍ଟା ସାଜିଛି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ଝାଡ଼ାବାନ୍ତିର ଅନ୍ୟତମ ମୁଖ୍ୟ କାରଣ କହାଯାଉଥିବା ଦୂଷିତ ଖାଦ୍ୟ ମଧ୍ୟ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗୁଣାତ୍ମକ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଏସ୍‌ଏମସିର ଖାଦ୍ୟ ନିରାପତ୍ତା ଦଳକୁ ଅଚାନକ ପରିଦର୍ଶନ/ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଗୁପଚୁପ, ଦହବରା, ଠେଲା, ଫାଷ୍ଟଫୁଡ୍‌ ଦୋକାନଗୁଡ଼ରେ ବ୍ୟବହାର ହେଉଥିବା ଅପରିଷ୍କାର ପାଣି ଉପରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଗ୍ଲୋବ୍ସ ବ୍ୟବହାର ସହ ସୁଦ୍ଧ ପାଣି ବ୍ୟବହାର ବାଧ୍ୟତାମୂଳକ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe