ଦିଶା ବୈଠକ; ଯୋଜନା ତ୍ବରାନ୍ବିତକୁ ଗୁରୁତ୍ବ

Advertisment

ଜାତୀୟ ସ୍ବାସ୍ଥ୍ୟ ମିସନରେ ଖର୍ଚ୍ଚ ୧୩୯୭, ମନରେଗାରେ ଲକ୍ଷେ ୨୨ ହଜାର ଜଣଙ୍କୁ କାମ

ଜାତୀୟ ସ୍ବାସ୍ଥ୍ୟ ମିସନରେ ଖର୍ଚ୍ଚ ୧୩୯୭, ମନରେଗାରେ ଲକ୍ଷେ ୨୨ ହଜାର ଜଣଙ୍କୁ କାମ

ଦିଶା ବୈଠକ; ଯୋଜନା ତ୍ବରାନ୍ବିତକୁ ଗୁରୁତ୍ବ

Sambad

କେନ୍ଦ୍ରାପଡ଼ା: ଜିଲ୍ଲା ଉନ୍ନୟନ ସମନ୍ବୟ ଏବଂ ପରିଚାଳନା କମିଟି (ଦିଶା)ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅନୁଭବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଯୋଜନାଗୁଡ଼ିକର ତ୍ବରାନ୍ବିତ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ କାର୍ଯ୍ୟକ୍ରମ, ଡିଜିଟାଲ ଇଣ୍ଡିଆ, ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଜାତୀୟ ରାଜପଥ ପ୍ରକଳ୍ପ, ରେଳ ବିକାଶ ନିଗମ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯୋଜନା ସହ ଶିକ୍ଷା ବିଭାଗ ଅଧୀନ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିସନରେ ୨୦୨୦-୨୧ ବର୍ଷରେ ଜିଲ୍ଲାକୁ ୩୬୪୧.୬୧ ଲକ୍ଷ ଟଙ୍କା ମିଳିଥିଲା। ଏଥିରୁ ୧୩୯୭.୪୭ ଲକ୍ଷ ଖର୍ଚ୍ଚ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା।

ସେହିପରି ବିଭିନ୍ନ ଓପିଡି ଗୃହ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ୨୯୩.୧୮ ଲକ୍ଷ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଥିଲା। ସେହିପରି କୋଭିଡ୍ ପରିଚାଳନା ପାଇଁ ପ୍ରାରମ୍ଭରେ ୧୧୩୦ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଛତାଠାରେ ୧୭୦ ଶଯ୍ୟା, ସମନ୍ବିତ ଯତ୍ନ କେନ୍ଦ୍ର ୧୦ ଏବଂ ଭେଣ୍ଟିଲେଟର ୫ ରହିଥିବା ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ୍‌ ୫,୮୪,୫୧୫ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ୮୯୩୫ ଜଣ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହୋଇଛନ୍ତି ଓ ୨୭ ଜଣ ପ୍ରାଣ ହରାଇଥିବା ସୂଚନା ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲାରେ କୋଭିଡ ସୁପରିଚାଳନା ନେଇ ସାଂସଦ ଜିଲ୍ଲାପାଳ ଏବଂ ସ୍ବାସ୍ଥ୍ୟ ବିଭାଗକୁ ସାଂସଦ ବଧେଇ ଜଣାଇଥିଲେ। ସେହିପରି ମନରେଗାରେ ୧ ଲକ୍ଷ ୨୨ ହଜାର ୩୨୫ ଜଣକୁ କାମ ଯୋଗାଇ ଦିଆଯାଇଥିବା ବେଳେ ମିଶନ ଶକ୍ତି ଗୃହ ନିର୍ମାଣରେ ଜିଲ୍ଲାରେ ୮୮ଟି ଗୃହ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୫୩ଟିର ନିର୍ମାଣ ଶେଷ ହୋଇଥିବା ସୂଚନା ଦିଆଯାଇଥିଲା।

ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମେଡି‌କାଲ କଲେଜ ଓ ହାସପାତାଳର ୧୩୦ ରୋଗୀ ଶଯ୍ୟା ବିଶିଷ୍ଟ ଉନ୍ନୟନ କାର୍ଯ୍ୟ, ଡାକ୍ତରମାନଙ୍କ ଅନୁଦାନ ପଦବି, ଜରୁରି ମେଡିକାଲ ଆମ୍ବୁଲାନ୍ସ ସେବା, ବୋଟ୍ ଆମ୍ବୁଲାନ୍ସ ସେବା, ମହାପ୍ରୟାଣ ଯୋଜନା, ଜନନୀ ସୁରକ୍ଷା, ରାଷ୍ଟ୍ରୀୟ ନିଦାନ ଓ ସହାୟ ଯୋଜନା, ନିର୍ମଳ ଯୋଜନା ସହ ଜାତୀୟ ସ୍ବାସ୍ଥ୍ୟ ମିଶନ ଆର୍ଥିକ ଅନୁଦାନ ଓ ଖର୍ଚ୍ଚ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ କାର୍ଯ୍ୟକ୍ରମରେ ୬୯୯ ଶିଶୁ ଓ ନିଦାନ ଏବଂ ସହାୟ ଯୋଜନାରେ ୧୦୧ ହିତାଧିକାରୀ ଉପକୃତ‌ ହୋଇଥିବା କୁହାଯାଇଥିଲା। ସେହିପରି ବୈଠକରେ ଧାମରା-ପାରାଦୀପ, ପଙ୍କପାଳ-ତାଳଚେର ଜାତୀୟ ଜଳପଥ ଯୋଜନା-୫ ଅଗ୍ରଗତି କାର୍ଯ୍ୟ ସହ ହରିଦାସପୁର-ପାରାଦୀପ ରେଳ ପଥରେ ୯ଟି ପାସେଞ୍ଜର ଟ୍ରେନ୍‌ ଚଳଣି ନେଇ ସମୀକ୍ଷା କରାଯାଇଥିଲା।
ବୈଠକରେ ବିଧାୟକ ଶଶୀ ଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା ଯୋଗଦେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାର ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe