ଦେବୋତ୍ତର ବିଭାଗର ଅପାରଗତା, ହରିବଳଦେବଜୀଉ ମହାପ୍ରଭୁଙ୍କ ଦୈନିକ ନୀତିରେ ବିଘ୍ନ

Advertisment
ଦେବୋତ୍ତର ବିଭାଗର ଅପାରଗତା, ହରିବଳଦେବଜୀଉ ମହାପ୍ରଭୁଙ୍କ ଦୈନିକ ନୀତିରେ ବିଘ୍ନ

ବାରିପଦା  : ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ରୀତିନୀତିରେ ଆଜି ଗୁରୁତର ବିଘ୍ନ ଦେଖାଦେଇଛି। ଦୈନନ୍ଦିନ ନୀତି ପାଇଁ ରେଜିଷ୍ଟରରେ ଉଲ୍ଲେଖ କରାଯାଇଥିବା ଖଲି ଦନା ସାମଗ୍ରୀ ସେବାୟତମାନଙ୍କୁ ଯୋଗାଇ ଦିଆ ନ ଯିବା ଫଳରେ ମହାପ୍ରଭୁଙ୍କ ଅବକାଶ ବାଲ୍ୟ ଭୋଗ ସକାଳ ୬ ବଦଳରେ ପ୍ରାୟ ମଧ୍ୟାହ୍ନ ଗୋଟାଏ ସମୟରେ ସମ୍ପନ୍ନ ହୋଇଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଠାକୁରମାନେ ଭୋକରେ ରହିଥିଲେ। ସେବା କାର୍ଯ୍ୟରେ ନିୟୋଜିତ ସେବାୟତମାନେ ମଧ୍ୟ ଭୋକ ଉପବାସରେ ମନ୍ଦିରରେ ଜଗି ବସିଥିଲେ। ଏହାକୁ ନେଇ ସେବାୟତ ଓ ଭକ୍ତ ମହଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରାଜାରାଜୁଡ଼ା ଶାସନ ଅମଳରୁ ଗଡ଼ଜାତ ମୟୂରଭଞ୍ଜରେ ରହିଥିବା ସମସ୍ତ ମଠ ମନ୍ଦିରରେ ଠାକୁରମାନଙ୍କ ସେବା କାର୍ଯ୍ୟରେ ଯେପରି କୌଣସି ପ୍ରକାରରେ ବିଘ୍ନ ନ ଘଟେ ସେଥି ନିମନ୍ତେ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୪୪ ହଜାର ୪ ଶହରୁ ଅଧିକ ଏକର ସମ୍ପତ୍ତି ସହିତ କୋଟି କୋଟି ଟଙ୍କା ମୂଲ୍ୟର ମଣି, ମାଣିକ ଖଚିତ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଛାଡ଼ି ଦେଇଯାଇଥିଲେ । ସେହିପରି ମନ୍ଦିରରେ ପାଳନ କରାଯାଉଥିବା ସମସ୍ତ ଦୈନନ୍ଦିନ ନୀତି ଓ ପାର୍ବଣୀ ନୀତିର ବିଷଦ ବିବରଣୀ ଏକ ରେଜିଷ୍ଟର୍‌ରେ ପଞ୍ଜିକୃତ କରାଯାଇଥିଲା । ଯାହାକୁ ଡବଲ ରେଜିଷ୍ଟ୍ରାର କୁହାଯାଉଛି । ପଞ୍ଜିକୃତ ଦୈନନ୍ଦିନ ନୀତିରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ସକାଳ ଆଳତୀ ପ୍ରାତଃ ସାଢ଼େ ୫, ଅବକାଶ ବାଲ୍ୟ ଭୋଗ ପ୍ରାତଃ ୬, ଖେଚୁଡ଼ି ଭୋଗ ପୂର୍ବାହ୍ନ ୧୧, ପହଡ଼ ସାଢ଼େ ୧୧, ପହଡ଼ ଭଙ୍ଗା ସଂ‌ଧ୍ୟା ସାଢ଼େ ୫, ପଣା ଠାଆ ସନ୍ଧ୍ୟା ସାଢ଼େ ୫, ସନ୍ଧ୍ୟା ଆଳତୀ ସନ୍ଧ୍ୟାରେ, ପୁରି ମୋହନ ଭୋଗ ରାତି ୮, ମୋଟା ଅରୁଆ ଭୋଗ ରାତି ୧୦ ଏବଂ ବଡ଼ ସିଂହାର ବେଶ ଓ ପହଡ଼ ରାତି ସାଢ଼େ ୧୦ରେ ହୋଇଥାଏ। ମାତ୍ର ବିଭିନ୍ନ ସମୟରେ ଦେବୋତ୍ତର ବିଭାଗର ପରିଚାଳନାଗତ ଅପାରଗତା କାରଣରୁ ମହାପ୍ରଭୂଙ୍କ ସେବା କାର୍ଯ୍ୟରେ ବିଘ୍ନ ହେଉଥିବା ବାରମ୍ବାର ସାମ୍ନାକୁ ଆସିଛି । ତେବେ ଆଜି ଏହା ସମସ୍ତ ସୀମା ଅତିକ୍ରମ କରିଯାଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଏନେଇ ଦେବୋତ୍ତର ବିଭାଗର ପ୍ରତିକ୍ରିୟା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe