ତେଲେଙ୍ଗାନା ଇଟାଭାଟିରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ବାପାଙ୍କୁ ସାଙ୍ଗରେ ନେଇଗଲା ସର୍ଦ୍ଦାର!

Advertisment

ତଦନ୍ତ ଆରମ୍ଭ କରିନି ଶ୍ରମ ବିଭାଗ, ପୁଲିସ ପାଖରେ ବି ପହଞ୍ଚିନି ମାମଲା

ତଦନ୍ତ ଆରମ୍ଭ କରିନି ଶ୍ରମ ବିଭାଗ, ପୁଲିସ ପାଖରେ ବି ପହଞ୍ଚିନି ମାମଲା

ତେଲେଙ୍ଗାନା ଇଟାଭାଟିରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ବାପାଙ୍କୁ ସାଙ୍ଗରେ ନେଇଗଲା ସର୍ଦ୍ଦାର!

Representative image

ବଲାଙ୍ଗୀର: ଦାନା ପାଇଁ ଦାଦନ ଯାଇଥିବା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ତେଲେଙ୍ଗାନା ଇଟାଭାଟିରେ ତିନିଜଣ କ୍ରେନ୍‌ ଡ୍ରାଇଭର ଗଣଦୁଷ୍କର୍ମ କରିଥିଲେ। ଆଉ ଠାରନାରରେ ଦିବ୍ୟାଙ୍ଗ ଝିଅ ବାପାଙ୍କୁ ସବୁ କଥା ବଖାଣିବା ପରେ ବାପା ଅଭିଯୋଗ କରିବାକୁ ଗାଁକୁ ଆସିଥିଲେ। କିନ୍ତୁ ଗାଁକୁ ଆସୁଆସୁ ସର୍ଦ୍ଦାରର ନାଲିଆଖି। ଆସିବା ଦିନଠାରୁ ସର୍ଦ୍ଦାର ଦିବ୍ୟାଙ୍ଗ ଯୁବତୀଙ୍କ ବାପାଙ୍କୁ କୁଆଡ଼େ ନେଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗାଁରେ କାମଧନ୍ଧା ଅଭାବରୁ ବେଲପଡ଼ା ବ୍ଲକ ଅଂଚଳର ଏକ ପରିବାର ତେଲେଙ୍ଗାନା ରାଜ୍ୟ କରିମନଗର ଜିଲ୍ଲା କଟନାପଲ୍ଲୀ ନିକଟରେ ଥିବା ଏକ ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଗତ ହୋଲି ଦିନ ରାତିରେ ପରିସ୍ରା ପାଇଁ ବାହାରକୁ ଆସିଥିବା ସମୟରେ ତିନିଜଣ ମାତାଲ କ୍ରେନ୍‌ ଡ୍ରାଇଭର ଉକ୍ତ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏତେ ସବୁ ପରେ ବି ସେଠାକାର ଇଟାଭାଟି ମାଲିକ ଓଲଟା ଦାଦନ ଖଟିବାକୁ ଯାଇଥିବା ପରିବାରକୁ ଗାଳିଗୁଲଜ କରିଥିଲା। ଶେଷରେ ସେଠାରୁ ସବୁ ଘଟଣାର ଭିଡିଓ କରି ବଲାଙ୍ଗୀର ଜିଲ୍ଲାର କେତେ ଜଣ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମକୁ ପଠାଇଥିଲେ।

ତେଲେଙ୍ଗାନାରୁ ଲୁଚିଛପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା ଗାଁକୁ ଫେରିଥିଲେ। ଶନିବାର ଗାଁରେ ପହଞ୍ଚି ଥାନାରେ ଅଭିଯୋଗ କରିବାକୁ ଯିବାକୁ ସଜବାଜ ହେଉଥିଲେ। ଏହାରି ଭିତରେ ଦାଦନ ପଠାଇଥିବା ସର୍ଦ୍ଦାର ଆସି ତାଙ୍କୁ ଗାଡ଼ିରେ ବସାଇ ବୋହି ନେଇଛି। ଘର ସାମ୍ନାରେ ଏକ ବ୍ୟାଗ ଥୁଆହୋଇଛି। ଏଠାରେ ଥିବା ପରିବାରର ଅନ୍ୟମାନେ କହିଛନ୍ତି ସର୍ଦ୍ଦାର ସାଙ୍ଗରେ ଡାକିନେଇଛି। ଏଭଳି ଭାବେ ଏବେ ମାମଲା ଥାନାକୁ ବି ଯାଇପାରିନି। ଶ୍ରମ ବିଭାଗ ଏତେ ଘଟଣା ଲୋକଲୋଚନକୁ ଆସିଥିଲେ ବି ଘଟଣାର ତଦନ୍ତ ଆରମ୍ଭ କରିନି। ଜିଲ୍ଲା ଦିବ୍ୟାଙ୍ଗ ସଂଘ ଏବେ ଘଟଣାକୁ ଗୁରୁତ୍ବର ସହ ନେଇଛି। ଆଠଦିନ ଭିତରେ ଦୋଷୀ ଗିରଫ ନହେଲେ ଆନ୍ଦୋଳନକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏ ଘଟଣାରେ ପୁଲିସ କିମ୍ବା ଶ୍ରମ ଅଧିକାରୀ କୌଣସି ତଦନ୍ତ ଆରମ୍ଭ କରି ନାହାନ୍ତି।

ପ୍ରଶାସନିକ ଅପାରଗତା!

ସାରା ଦେଶ ଲକ୍‌ଡାଉନ୍‌ରେ ଠପ୍‌ ହୋଇଯାଇଥିଲା। ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଦାଦନ ଶ୍ରମିକଙ୍କୁ ନିଜ ନିଜ ଗାଁକୁ ଫେରାଇଥିଲେ। କ୍ୱାରାଣ୍ଟିନ୍ କେନ୍ଦ୍ରମାନ କରାଯାଇ ଶ୍ରମିକଙ୍କୁ ରଖାଯାଇଥିଲା। ଏହାପରେ ସରକାର ଗାଁରେ ଶ୍ରମିକ କାମ ପାଇବେ ବୋଲି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ଲକ୍‌ଡାଉନ୍ ପରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ ସରକାର। ଲକ୍ଷ୍ୟ ଥିଲା କରୋନା କାଳରେ ଦାଦନ ଶ୍ରମିକଙ୍କୁ ଗାଁ ଗାଁରେ କାମ ଯୋଗାଇ ଦିଆଯିବ। ହେଲେ ବଲାଙ୍ଗୀର ଜିଲ୍ଲାରେ ସରକାରଙ୍କ ଏହି ଯୋଜନା ଫେଲ ମାରିଥିଲା। ମନ୍‌ରେଗାରେ ଚାରିଆଡ଼େ ଦୁର୍ନୀତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମରେ ବି କାମ ପାଇଲେନି ଶ୍ରମିକ। ଏଣୁ କିଛି ମାସ ରହିବା ପରେ ପୁଣି ଘରୁ ଗୋଡ଼ କାଢ଼ିଥିଲେ ଅନ୍ୟ ରାଇଜକୁ। ପ୍ରତ୍ୟହ ବାହାର ରାଜ୍ୟର ବସ୍‌ ଆସି ଏଠାକାର ଶ୍ରମିକଙ୍କୁ ନେଇଯାଉଥିଲା।

ବେଆଇନ ଭାବରେ ଦାଦନ ଚାଲାଣ ନିତିଦିନ ହୋଇଥିଲା। କିନ୍ତୁ ଦାଦନ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦାଦନ ଚାଲାଣ ରୋକିବା ପରିବର୍ତ୍ତେ ଜିଲ୍ଲା ପ୍ରଶାସନ ବେଆଇନ ମଣିଷ ଚାଲାଣକୁ ବି ରୋକ ଲଗାଇବାକୁ ଉଦ୍ୟମ କରିନଥିଲା। ବିଗତ ବର୍ଷମାନଙ୍କରେ ପୁଲିସ ଓ ଶ୍ରମ ବିଭାଗ ଚଢ଼ଉ କରି ଦାଦନ ଚାଲାଣ ରୋକିଥାନ୍ତି। ହେଲେ ଏଥର ସେତକ ବି କେହି ପଦକ୍ଷେପ ନେଲେ ନାହିଁ। ଫଳରେ ଯେମିତି ଗାଁକୁ ହଜାର ସଂଖ୍ୟାରେ ଶ୍ରମିକ ଆସୁଥିଲେ, ଠିକ ସେମିତି ପ୍ରତ୍ୟହ ହଜାର ସଂଖ୍ୟାରେ ଶ୍ରମିକ ଏଠାରୁ ଯାଇଥିଲେ। ଆଉ ଏଥର ଆରମ୍ଭ ହୋଇଗଲାଣି ନିର୍ଯାତନାର ଘଟଣା। ଏବେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇ ଇଟାଭାଟିରେ ଫସି ରହିଥିବା ବେଳେ ପ୍ରଶାସନ ଚୁପ୍‌ଚାପ୍‌। ଆଗକୁ ଏମିତି ରହିଲେ ଆହୁରି ଶ୍ରମିକ ନିର୍ଯାତନାର ମାମଲା ବଢ଼ିବ ବୋଲି ସାମାଜିକ କର୍ମୀ ମତବ୍ୟକ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe