ଆଉ ୪ ଦିନ ପରେ ରଜ, ଗାଁଗହଳିରେ ଚାଲିଛି ଦୋଳି ସଜ

Advertisment
ଆଉ ୪ ଦିନ ପରେ ରଜ, ଗାଁଗହଳିରେ ଚାଲିଛି ଦୋଳି ସଜ

ଆନନ୍ଦପୁର: ଆଉ ୪ ଦିନ ପରେ ରଜ। ଏଥିପାଇଁ ଆଜିଠାରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଉଠିଛି। ଆନନ୍ଦପୁର ସମେତ ବିଭିନ୍ନ ସଂଲଗ୍ନ ଗ୍ରାମରେ ଜୋରଦାର ପ୍ରସ୍ତୁତି ଆରମ୍ଭ ‌ହୋଇଛି। ଆନନ୍ଦପୁର, ଘସିପୁରା, ପଦ୍ମପୁର, ବେଲବାହାଳି, ବାରିଗାଁ, ଧକୋଠା, ଶୈଲଙ୍ଗ, ନରସିଂହପୁର, ନାରଙ୍ଗପୁର, ସାଇଁକୁଳ, ବାତୋ, ଦେଓଗାଁ, ଭୋଳନୁଆଗାଁ, ଜରଦାରେ ରଜକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆନନ୍ଦପୁର ବ୍ଲକ ବେଲବାହାଳିରେ ଗ୍ରାମରେ ବେଲେଶ୍ବର ଯୁବକସଂଘ, ସତ୍ୟନାରାୟଣ ରଜକମିଟି, ମା’ମଙ୍ଗଳା ରଜକମିଟି ପକ୍ଷରୁ ରଜ ଉତ୍ସବକୁ ଧୁମଧାମରେ ପାଳନ କରାଯିବାକୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ଉତ୍ସବପାଇଁ ଗ୍ରାମରେ ସଜବାଜ ଆରମ୍ଭ ହୋଇଗଲାଣି।

କେନ୍ଦୁଝର ଜିଲ୍ଲାର ଘସିପୁରାରେ ରଜ ମହୋତ୍ସବର ଏକ ସ୍ବତନ୍ତ୍ରତା ରହିଛି। ଘସିପୁରା ଯୁବକସଂଘ ପକ୍ଷରୁ ଅଷ୍ଟପ୍ରହରୀ ମଣ୍ଡପରେ ଜୟଦୁର୍ଗା ରଜ ମହୋତ୍ସବ ପାଳନ କରାଯାଉଥିବାବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ସେବାସଂଘ ପକ୍ଷରୁ ଗ୍ୟାରେଜ୍ ଛକ ନିକଟରେ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମରେ ଥିବା ସୀତାଦେଇ ଟାଙ୍ଗରରେ ରଜ ପର୍ବ ପାଳନର ସ୍ବତନ୍ତ୍ରତା ରହିଛି। ଏଠାରେ ପାରମ୍ପରିକ ରୀତିରେ ତିନିଦିନ ଧରି ରଜ ଉତ୍ସବ ପାଳନ ହେବାର ପରମ୍ପରା ରହିଛି।

ଦୁଇଦିନ ଧରି ଆଧ୍ୟାତ୍ମିକ ପରିବେଶରେ ରଜ ପାଳନ ହେଉଥିବାବେଳେ ଶେଷଦିନରେ ଶହଶହ ଲୋକ ସାମିଲ ହୋଇ ପାହାଡ଼ ଚଢାର ଆନନ୍ଦ ଉଠାଇଥାନ୍ତି। ରଜପର୍ବର ଅନ୍ୟତମ ଆକର୍ଷଣ ହେଉଛି ଘସିପୁରା ବ୍ଳକ ଭଣ୍ଡାରିଡ଼ିହା ପଞ୍ଚାୟତ ନରସିଂହପୁର ଗ୍ରାମର ପରମ୍ପରିକ ଢିପାମାଡ଼। ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଥିବାବେଳେ ଚଳିତବର୍ଷ ମଧ୍ୟ ଏଥିପାଇଁ ସଜବାଜ ଆରମ୍ଭ ହୋଇଛି। ରଜର ଦୁଇଦିନ ପୁର୍ବରୁ ଗ୍ରାମର ଲୋକମାନେ ଜଙ୍ଗଲକୁ ଯାଇ ଏକ ନିର୍ଦ୍ଦିଷ୍ଟ ଗଛର ଛେଲିକୁ ସଂଗ୍ରହ କରିଥାନ୍ତି। ଏହାକୁ ଦୁଇଟି କାଠିରେ ବାଡ଼େଇ ବାଡ଼େଇ ଶୋଭାଯାତ୍ରାରେ ଗ୍ରାମକୁ ଆଣିଥାନ୍ତି। ଏହାକୁ ମା’ମଙ୍ଗଳାଙ୍କ ପୀଠରେ ରଖି ପୂଜାର୍ଚ୍ଚନା କରାଯିବା ସହିତ ଶେଷରଜର ଅପରାହ୍ଣରେ ଗ୍ରାମର ମ‌ାନସିକଧାରୀ ବ୍ୟକ୍ତିମାନେ ଢିପାମାଡ଼ କରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବାପରେ ପୋଖରୀରେ ବିସର୍ଜନ କରିଥାନ୍ତି। ସେଇଭଳି ତରିମୂଳ ଓ ଦରଡ଼ିପାଳ ଗ୍ରାମରେ ମଧ୍ୟ ପାରମ୍ପରିକ ରୀତିରେ ରଜପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe