ମୃତ୍ୟୁ ପରେ ଚିତ୍ତରଞ୍ଜନଙ୍କ ଚକ୍ଷୁଦାନ

ମୃତ୍ୟୁ ପରେ ଚିତ୍ତରଞ୍ଜନଙ୍କ ଚକ୍ଷୁଦାନ

ସମ୍ବଲପୁର: ସମ୍ବଲପୁର କୁଞ୍ଜେଲପଡ଼ାସ୍ଥିତ ଭୋଳା ଟେଣ୍ଟ ହାଉସ୍‌ ମାଲିକ ଚିତ୍ତରଞ୍ଜନ ଦାଶ(ଚିଣ୍ଟୁ)ଙ୍କର ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ପରିବାର ଲୋକେ ମୃତ ଚିଣ୍ଟୁଙ୍କ ଚକ୍ଷୁଦାନ କରି ମହାନତାର ପରିଚୟ ଦେଇଛନ୍ତି। ଚିଣ୍ଟୁଙ୍କ ଶରୀରରୁ ସୁରକ୍ଷିତ ଭାବରେ ବାହାର କରିଥିବା ଚକ୍ଷୁ ମାଧ୍ୟମରେ ଦୁଇ ଜଣ ଦୃଷ୍ଟିହୀନ ବ୍ୟକ୍ତି ଦୁନିଆ ଦେଖିପାରିବେ।

ସମ୍ବଲପୁର ନିବାସୀ ଚିତ୍ତରଞ୍ଜନ ଦାଶ(ଚିଣ୍ଟୁ, ୩୮) ବରଗଡ଼ ଇଥାନଲ କାରଖାନାରେ ମାନବ ସମ୍ବଳ ବିଭାଗରେ କାର୍ଯ୍ୟରତ ଥିଲେ। ଗତକାଲି ସେ ନିଜ କାର୍‌ରେ ସମ୍ବଲପୁର ଫେରୁଥିବା ସମୟରେ ସାମ୍‌ନା ପଟୁ ଆସୁଥିବା ଏକ ଟ୍ରଲର୍‌ ‌ତାଙ୍କୁ ଧକ୍କା ଦେଇଥିଲା। ପଛରେ ଆସୁଥିବା ତାଙ୍କ ସହକର୍ମୀମାନେ ଗୁରୁତର ଅବସ୍ଥାରେ ଚିଣ୍ଟୁଙ୍କୁ ବିକାଶ ହସ୍ପିଟାଲକୁ ଚିକତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ମଙ୍ଗଳବାର ପରିବାର ଲୋକଙ୍କ ଉପସ୍ଥିତିରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର କରିବା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନେଇଥିଲେ। ପରିବାର ଲୋକେ ଚିଣ୍ଟୁ ଚକ୍ଷୁଦାନ ପାଇଁ ଆଗ୍ରହୀ ଥିବା ଜାଣିବା ପରେ ଏଦିଗରେ ପଦକ୍ଷେପ ନେଇଥି‌ଲେ।

ତାଙ୍କର ବଡ଼ ଭାଇ ପିଣ୍ଟୁ ଦାଶଙ୍କ ସହମତିକ୍ରମେ ଆଜି ଚକ୍ଷୁବ୍ୟାଙ୍କ କର୍ମଚାରୀ ପ୍ରଭାସିନୀଙ୍କ ଦ୍ଵାରା ସୁରକ୍ଷିତ ଭାବରେ ଏହା ସଂଗ୍ରହ କରାଯାଇଥିଲା। ସେ ସମୟରେ ‘ସମ୍ବଳ’ଅନୁଷ୍ଠାନ ର ରାମଦାସ ପଣ୍ଡା, ‘ସଂକଳ୍ପ ପରିବାର’ର ବିକାଶ ଅଗ୍ରୱାଲ, ‘ନିଷ୍ଠା ପରିବାର’ର ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟବଚ୍ଛେଦ ପରେ ମଙ୍ଗଳବାର ଅପରାହ୍‌ଣରେ ତାଙ୍କ ମୃତଦେହ ସମ୍ବଲପୁର ଅଣା ଯାଇଥିଲା। ଅପରାହ୍‌ଣ ପ୍ରାୟ ୨ଟାରେ ସ୍ଥାନୀୟ ରାଜଘାଟଠାରେ ଅନ୍ତିମ ସଂସ୍କାର କରା ଯାଇଥିଲା। ବଡ଼ ଭାଇ ପିଣ୍ଟୁ ମୁଖାଗ୍ନି ଦେଇଥିଲେ। ଅତ୍ୟନ୍ତ ମେଳାପି ଓ ମିଷ୍ଟଭାଷୀ ଚିଣ୍ଟୁଙ୍କ ଅନ୍ତିମ ଦର୍ଶନ ପାଇଁ ରାଜଘାଟରେ ବହୁ ବନ୍ଧୁ ଓ ଆତ୍ମୀୟ ପରିଜନଙ୍କ ଭିଡ଼ ଜମିଥିଲା। ଚିଣ୍ଟୁ ଜଣେ ଉଚ୍ଚ ଶିକ୍ଷିତ, ଉଦ୍ୟମୀ ତଥା ପ୍ରତିଭାବାନ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ଓ ବରଗଡ଼ରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe