ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ ଉତ୍ସବ: ଓଡ଼ିଆ ଜାତି ପାଇଁ ମହତାବଙ୍କ ଅବଦାନ ଅତୁଳନୀୟ

ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ ଉତ୍ସବ: ଓଡ଼ିଆ ଜାତି ପାଇଁ ମହତାବଙ୍କ ଅବଦାନ ଅତୁଳନୀୟ

ବାଲେଶ୍ବର: ମହତାବ ସ୍ମୃତି କମିଟି ଓ ପୂଜ୍ୟପୂଜା ସଂସଦ ପକ୍ଷରୁ ଆଜି ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳରେ ଉତ୍କଳକେଶରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମ୍ମିଳୀତ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଡକ୍ଟର ପୀତବାସ ମିଶ୍ର ଉଦ୍‌ଘାଟନ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ‌ରେବତୀ ସାହିତ୍ୟ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା, ମୁଖ୍ୟବକ୍ତା ଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ସମ୍ମାନୀତ ବକ୍ତା ଭାବେ ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣର ବରିଷ୍ଠ ସହ-ସମ୍ପାଦକ କୁଳମଣି ବାରିକ ପ୍ରମୁଖ ଯୋଗଦେଇ ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ସାହିତ୍ୟ, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ରହିଥିବା ମହତାବଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ମହତାବ ଓଡ଼ିଆ ଜାତି ପାଇଁ ଚିରନମସ୍ୟ ଏବଂ ସବୁବେଳେ ପ୍ରାସଙ୍ଗିକ। ମାତ୍ର ପୂଜ୍ୟପୂଜାର ପରମ୍ପରା ଥିବା ଏ ମାଟିରେ ତାଙ୍କ ପାଇଁ ଯେତିକି କରାଯିବା ଥିଲା ତାହା ହୋଇନାହିଁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା। ମହତାବଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ କେବଳ ତାଙ୍କର ଜୟନ୍ତୀ ଓ ଶ୍ରାଦ୍ଧତିଥି ପାଳନ କରାଯିବା ଯଥେଷ୍ଟ ନୁହେଁ ବରଂ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ତାଙ୍କ ସଂଘର୍ଷମୟ ଆତ୍ମଜୀବନୀ, ବିଭିନ୍ନ ସ୍ଥାନରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଏବଂ ସର୍ବୋପରି ତାଙ୍କୁ ମରଣୋତ୍ତର ଭାରତରତ୍ନ ପୁରସ୍କାର ପ୍ରଦାନ ପାଇଁ ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏବଂ ଶେଷରେ ଧନ୍ୟବାଦ ଦେଇଥିଲେ ସାମ୍ବାଦିକା ଅପର୍ଣ୍ଣା ମହାପାତ୍ର।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିପ୍ଳବ ମହାନ୍ତି, ଭାବଗ୍ରାହୀ ମହାନ୍ତି ଏବଂ ପ୍ରଫେସର ଶତ୍ରୁଘ୍ନ ମଲ୍ଳିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ସଂଯୋଜନାରେ କବି ପ୍ରତିମା ପଣ୍ଡା, କଲ୍ୟାଣୀ ନନ୍ଦ, ପ୍ରଜ୍ଞା ବିଶ୍ବାଳ, ସୁବ୍ରତା ମହାନ୍ତି, ଶାନ୍ତିଲତା ପଣ୍ଡା, ଅଭିଲିପ୍ସା ରଥ, ମଧୁସୂଦନ ମାଝୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe