ଡ୍ରେନେଜ ବିଭାଗ କେଳେଙ୍କାରୀ, କେତେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ?

Advertisment

ଅଧୀକ୍ଷଣଯନ୍ତ୍ରୀ ଚୁପ୍ କାହିଁକି?

ଅଧୀକ୍ଷଣଯନ୍ତ୍ରୀ ଚୁପ୍ କାହିଁକି?

ଆଷାଢ଼ରେ ବର୍ଷା ହଜିଲା, ତଥାପି ହେଜିନି କୃଷି ବିଭାଗ

Sambad

କେନ୍ଦ୍ରାପଡା/ରାଜନଗର: କେନ୍ଦ୍ରାପଡା ଡ୍ରେନେଜ ବିଭାଗର କେଳେଙ୍କାରୀ ହାଟରେ ପଡି ଦାଣ୍ତରେ ଗଡିଲାଣି। ଦୁର୍ନୀତି ପ୍ରମାଣିତ ହେଉଛି। ହେଲେ, କାର୍ଯ୍ୟାନୁଷ୍ଠାନ ନାହିଁ। ପୁଳାପୁଳା ପ୍ରମାଣ ଥାଇ ବି ବିଭାଗ ଚୁପ୍‌ ବସିଛି। ଦୁର୍ନୀତିକୁ ଚାପି ଦିଆଯିବାକୁ ଉଦ୍ୟମ ହୋଇଛି। କେଉଁଠି ୧୦ଫୁଟ ତ ଆଉ କେଉଁଠି ୨୦ ଫୁଟ ଚଉଡାର କେନାଲ ରହିଛି। ଜେସିବି ଶୁଣ୍ଢରେ ଆମ୍ପୁଡି କେନାଲ ଖୋଳା କାମ ସାରି ଦିଆଯାଇଛି। ମାତ୍ର ଏମବି (ମେଜେରମେଂଟ ବୁକ)ରେ କେଉଁଠି ୪୦ ଫୁଟ ତ ଆଉ କେଉଁଠି ୩୦ଫୁଟର କେନାଲ ଖୋଳାଯାଇଥିବା ବିଲ୍‌ ହୋଇଛି। କେନାଲ ଗୁଡିକୁ ନଈ ଭଳି ଚଉଡା ଓ ଗଭୀରର ଖୋଳାଯାଇଥିବା ନେଇ ବିଲ୍‌ କରି ସରକାରୀ ଅର୍ଥ ଉଠାଇ ନିଆଯାଇଥିବା ବେଳେ ପ୍ରକୃତ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ଏହି ବଡ ଧରଣର ଦୁର୍ନୀତି ଧରା ପଡିଛି। କେନାଲ ଖୋଳା ହେବା ପରେ କନିଷ୍ଠଯନ୍ତ୍ରୀ ପ୍ରତି ୨୪୦ ମିଟରକୁ ଗୋଟିଏ ଲେଖାଏ ଚ୍ୟାନେଜ୍‌ ହିସାବକୁ ନେଇ କେନାଲଗୁଡିକୁ ମାପି ଏମ୍‌ବି ଏଂଟ୍ରି କରିଛନ୍ତି। କନିଷ୍ଠଯନ୍ତ୍ରୀ ବିଲ୍‌ କରି ସାରିବା ପରେ ସହକାରୀ ଯନ୍ତ୍ରୀ କେନାଲ ନିକଟରେ ପହଞ୍ଚି ଏହାକୁ ପୁର୍ନବାର ଚେକ ମେଜରମେଂଟ କରିଛନ୍ତି।

ଅଧୀକ୍ଷଣ ଯନ୍ତ୍ରୀ ମଧ୍ୟ ତଦାରଖ କରି କାମ ଠିକ୍ ଅଛି କି ନାହିଁ ତଦାରଖ କରିଛନ୍ତି। ତିନୋଟି ସ୍ତରରେ ବିଲ୍‌ ଯାଂଚ ହୋଇଥିବା ବେଳେ କିପରି ଯେତିକି ଖୋଳାହେଲା ତାର ଦୁଇଗୁଣାରୁ ଅଧିକ ଚଉଡା ଏବଂ ଗଭୀରର ବିଲ୍‌ ହେଲା, ସେ ନେଇ ପ୍ରଶ୍ନ ଉଠିଛି। ଏହାବାଦ ପାଇଲ ଫୁଟ ବ୍ରିଜ ନିର୍ମାଣରେ ବଡ ଧରଣର ଦୁର୍ନୀତିର ପ୍ରମାଣ ମିଳି ସାରିଛି। ଦୁର୍ନୀତି ପ୍ରମାଣିତ ହେବା ପରେ ଓ ଆଖି ତରାଟି ଦେଖିଲା ଭଳି ଦୁର୍ନୀତି ଅଧୀକ୍ଷଣ ଯନ୍ତ୍ରୀ ନିଜେ ଦେଖିବା ପରେ ନିର୍ମାଣାଧୀନ ପାଇଲ ଫୁଟ ବ୍ରିଜ ଉପରେ ଛିଡା ହୋଇ ତାହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ରାଜନଗର ବ୍ଲକ ଦାରୁଓରା ନିକଟରେ ନିର୍ମାଣ ହୋଇଥିବା ପାଇଲ ଫୁଟ ବ୍ରିଜକୁ ଭାଙ୍ଗି ଦିଆଯାଇଛି। କେବଳ ପାଇଲିଂ ଉପାଡିବା ବାକି ରହିଛି। ଦାରୁଓରା ନିକଟରେ ପାଇଲ ଫୁଟ ବ୍ରିଜ ଭଙ୍ଗା ହେବା ଘଟଣାକୁ ମାସେ ପୂରିଲାଣି। ତଦନ୍ତ ବେଳେ ପୁଳାପୁଳା ଦୁର୍ନୀତି ଧରା ପଡିଥିଲା। ମାତ୍ର ଦୁର୍ନୀତିରେ ଜଡିତ ଓ ଦୁର୍ନୀତି କରିଥିବା କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଆଜିଯାଏ କାର୍ଯ୍ୟାନୁଷ୍ଠାନ ନିଆନଯିବା ପଛର କାରଣକୁ ନେଇ ରହସ୍ୟ ବଢିବାରେ ଲାଗିଛି। ଦାରୁଓରା ପାଇଲଫୁଟ ବ୍ରିଜ ଓ ଇଶ୍ବରପୁର, ରିଘାଗଡ, ଦିଘି, ଜୁନୁସନଗର କେନାଲ ଖୋଳାରେ ଫଲ୍ସ ବିଲ କରିଥିବା କନିଷ୍ଠଯନ୍ତ୍ରୀ ଓ ସହକର୍ମୀ ମଧ୍ୟ ପୂର୍ବ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହୋଇଛି। ସମସ୍ତେ ଦୁର୍ନୀତିରେ ଜଡିତ ଥିବାରୁ କିଏ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ? ଯଦି କାର୍ଯ୍ୟାନୁଷ୍ଠାନ ପରେ ଯନ୍ତ୍ରୀ ଉପର ଅଧିକାରୀଙ୍କ ଦୁର୍ନୀତିର ଗୁମର କାଳେ ଖୋଲିଦେବେ ସେ ଭୟରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅଧିକ୍ଷଣଯନ୍ତ୍ରୀ ଚୁପ ବସିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଅଧୀକ୍ଷଣଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, କନିଷ୍ଠଯନ୍ତ୍ରୀଙ୍କୁ ଏ ଡିଭିଜନରେ ଅନ୍ୟ ସେକ୍ସନକୁ ବଦଳି କରାଯାଇଛି। ମୋ ହାତରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେଇ ହେବନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe