ରାଜ୍ୟ ରାଜଧାନୀର ଜିଲ୍ଲାରେ ସର୍ବାଧିକ ନିଶାଡ଼ି

Advertisment
ପଦାକୁ ଆସିଲା ଅବକାରୀ କର୍ମଚାରୀଙ୍କ କଲ୍‌ ରେକର୍ଡିଂ: ‘ଚାନ୍ଦା ଦିଅ, ଚୋରା ମଦ କାରବାର କର’

picz.ge

ଖୋର୍ଦ୍ଧା: ଦେଶର ପଞ୍ଜାବରେ ସର୍ବାଧିକ ନିଶାଖୋର ଓ ନିଶାକାରବାର ହେଉଥିବାରୁ ଏହାକୁ "ଉଡ଼ତା ପଞ୍ଜାବ' ବୋଲି ଆଖ୍ୟା ମିଳିଛି। ଏହି ନାମରେ ଏକାଧିକ ଚଳଚିତ୍ର ମଧ୍ୟ ନିର୍ମିତ ହୋଇଛି। କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ମଧ୍ୟ ରାଜ୍ୟର ନିଶା ଖାଇବା ଓ କାରବାରରେ ରାଜ୍ୟରେ ଆଗଧାଡ଼ିରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଗତ ୪ ବର୍ଷ ଧରି ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥିତ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଖୋର୍ଦ୍ଧା ଜିଲ୍ଲା ମଦ ଠାରୁ ଗଞ୍ଜେଇ ଓ ବ୍ରାଉନସୁଗାର ଯାଏଁ ସମସ୍ତ ନିଶାକାରବାରର ଏକ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ନିୟମିତ ବ୍ୟବଧାନରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ, ବ୍ରାଉନସୁଗାର, ଦେଶୀ ମଦ ଆଦି ଜବତ ହେଉଛି। କେବଳ ଏହାନୁହେଁ ନୟାଗଡ଼, ଗଞ୍ଜାମ, ଫୁଲବାଣୀ, ବୌଦ୍ଧ, ପୁରୀ ଆଦି ଅଞ୍ଚଳକୁ ଏହି ସ୍ଥାନରୁ ବ୍ରାଉନସୁଗାର ଯୋଗାଣ ହେଉଛି। ଏହି ସମସ୍ତ ତଥ୍ୟ ରାଜ୍ୟ ପ୍ରଶାସନ ନିକଟରେ ରହିଥିଲେ ମଧ୍ୟ ଏଭଳି ଏକ ସାଂଘାତିକ ସ୍ଥିତିର ନିୟନ୍ତ୍ରଣ ପାଇଁ କୌଣସି ଉଦ୍ୟମ କରାଯାଉନାହିଁ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଗତ ୪ ବର୍ଷର ତଥ୍ୟାନୁସାରେ, ଖୋର୍ଦ୍ଧାରେ ନିଶାଖୋରଙ୍କ ସଂଖ୍ୟା କ୍ରମାଗତ ବଢ଼ିଛି। ୨୦୧୭-୧୮ ବର୍ଷରେ ୭୭୯ ଜଣ ନିଶାଖୋରଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୮-୧୯ରେ ଏହ ସଂଖ୍ୟା ବୃଦ୍ଧି ପାଇ ୧୧୬୩କୁ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ୭୧୫ ଜଣଙ୍କୁ ନିଶାନିବାରଣ କେନ୍ଦ୍ର ଦ୍ୱାରା ନିଶାମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା।

publive-image

୨୦୨୧-୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୧୩୪ରେ ପହଞ୍ଚିଛି। ନିଶାନିବାରଣ କେନ୍ଦ୍ରରେ ଭର୍ତି ହୋଇଥିବା ଏହି ୨୧୩୪ ଜଣଙ୍କ ମଧ୍ୟରୁ ୯୭୬ଜଣ ମଦ, ୨୯୫ଜଣ ଗଞ୍ଜେଇ ଓ ଭାଙ୍ଗ, ୧୪ଜଣ ଅଫିମ, ୩୬୧ଜଣ ବ୍ରାଉନସୁଗାର, ୧୧୬ଜଣ କୋରସ, ଫେବିକୁଇକ୍ ଓ ଅନ୍ୟ ରସାୟନସାମଗ୍ରୀ ନିଶାଗ୍ରସ୍ତ ଅଟନ୍ତି। ଏହି ସଂଖ୍ୟା ହେଉଛି ଯେଉଁମାନେ ନିଶାମୁକ୍ତି ପାଇଁ ଖୋର୍ଦ୍ଧାର ସରକାରୀ ଚିକିତ୍ସାଳୟ କିମ୍ବା ନିଶା ନିବାରଣ କେନ୍ଦ୍ରକୁ ଆସିଛନ୍ତି। ଯେଉଁମାନେ ନିଶା ନିବାରଣ କେନ୍ଦ୍ରକୁ ଆସିନାହାନ୍ତି ସେମାନଙ୍କ ସଂଖ୍ୟା ଏଯାଏଁ ସଠିକ ନିରୂପିତ ହୋଇନାହିଁ। କେବଳ ଖୋର୍ଦ୍ଧା ସହରର କଥା ଦେଖିବାକୁ ଗଲେ, ଏକ ସ୍ୱେଚ୍ଛାସେବୀ ସଂସ୍ଥାର ତଥ୍ୟାନୁସାରେ, ଖୋର୍ଦ୍ଧା ସହରର ୧୫ରୁ ୪୫ ବର୍ଷ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ୧୮ ହଜାର। ସେମାନଙ୍କ ମଧ୍ୟରୁ ୮ ହଜାର ବ୍ୟକ୍ତି ମଦ ବ୍ୟତୀତ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶାଗ୍ରସ୍ତ ଅଟନ୍ତି। ଏହି କଥାର ସତ୍ୟତା ଖୋର୍ଦ୍ଧାର ୪ଟି ନିଶା ନିବାରଣ କେନ୍ଦ୍ରର ତଥ୍ୟରୁ ଆପାତତଃ ସ୍ପଷ୍ଟ ହେଉଛି। କାରଣ, କେବଳ ଗୋଟିଏ ବର୍ଷ (୨୦୨୧-୨୨)ରେ ଖୋର୍ଦ୍ଧା ଜିଲ୍ଲାର ୨୨୪୪ ଜଣ ବ୍ୟକ୍ତି ନିଶା ସେବନ ଦ୍ୱାରା ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହେଉଥିବା ବେଳେ ୧୬୭୨ଜଣ ପାରିବାରିକ ପରାମର୍ଶରେ (ଫେମିଲି କାଉନ୍ସିଲିଂ ପ୍ରୋଗ୍ରାମ)ରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ସହରର ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ପକ୍ଷରୁ ଏଦିଗରେ ଏବେଠାରୁ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଖୋର୍ଦ୍ଧାର ପରିସ୍ଥିତି ସାଂଘାତିକ ହେବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe