ଧାନ କ୍ଷେତରେ ପାଣି ଭର୍ତ୍ତି, ଉଜୁଡିଯିବ ଗେଣ୍ଡୁଫୁଲ ଓ ପନିପରିବା ଚାଷ!

ଧାନ କ୍ଷେତରେ ପାଣି ଭର୍ତ୍ତି, ଉଜୁଡିଯିବ ଗେଣ୍ଡୁଫୁଲ ଓ ପନିପରିବା ଚାଷ!

Sambad

ବାଲିଅନ୍ତା: ବାତ୍ୟା ଜୱାଦ ଯୋଗୁ ବାଲିଅନ୍ତ‌ା ତଥା ଉପକଣ୍ଠ ଅଞ୍ଚଳରେ ବର୍ଷା ପବନ ଲାଗି ରହିଛି। ଖରିପ ଧାନ ଫସଲ ଅମଳ ସମୟରେ ମେଘ ପବନ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ସେହିପରି ଫୁଲ ଓ ପନିପରିବା ଚାଷୀମାନେ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଉପୁଜିଛି। ବାତ୍ୟା ପବନର ବେଗ ବେଶି ନଥିଲେ ମଧ୍ୟ ଜଉପୋକ ଝୁଣି ଦେଇଥିବା ଧାନଗଛ ମୂଳ ଦୁର୍ବଳ ହୋଇ ପଡ଼ିଥିବା ଯୋଗୁ ବର୍ଷାପାଣି ଲାଗି ଧାନକେଣ୍ଡା ତଳେ ଶୋଇ ପଡ଼ିଲାଣି। ଖାଲୁଆ ବିଲରେ ପାଣି ଜମି ରହିଥିବାରୁ ଖରିଫ ଧାନ ପଚିଯିବ ବୋଲି ଚାଷୀ ମାନେ କହିଛନ୍ତି। ତେଣୁ ବର୍ଷା ଲାଗି ରହିଲେ ବିଲରେ ପଡ଼ିଥିବା ଧାନ ନଷ୍ଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ସେହିପରି ଆଉ ଖୁବ ଜୋରରେ ପବନ ବହିଲେ ଠିଆ ହୋଇଥିବା ଧାନ କିଆରି ଉପରେ ପାଣି ଚାଲିବର ଆଶଙ୍କା ରହିଛି। କିଛି ଚା‌ଷୀ ବିଲରେ ଜଲ୍ଲା ବା ସିଆର କରି ଧାନ, ପନିପରିବା ଓ ଗେଣ୍ଡୁଫୁଲ ଫସଲକୁ ରକ୍ଷା କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଳ୍ପ ବର୍ଷା ହୋଇଥିବାରୁ ବିଲରୁ ପାଣି ନିଷ୍କାସିତ ହୋଇଯିବ, କିନ୍ତୁ ଆଉ ଅଧିକ ବର୍ଷା ଲାଗି ରହିଲେ ଲକ୍ଷଲକ୍ଷ ଟଙ୍କାର ଧାନ ବିଲରେ ଯିବ ବୋଲି ଅଧିକାଂଶ ଚାଷୀ ମତ ଦେଇଛନ୍ତି।

publive-image Sambad

ସ୍ଥାନୀୟ କୃଷି ଅଧିକାରିଣୀ ସ୍ବେତାଙ୍କୁ ପଚାରିବାରେ ଅଲଗା ବ୍ଲକ ତୁଳନାରେ ବର୍ତ୍ତମାନ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଧାନକଟା ଏବେ ଆରମ୍ଭ ହୋଇଥିଲା। ତେଣୁ ଅଧିକାଂଶ ଚାଷୀଙ୍କ ଜମିରେ ଧାନ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି। ଖୁବ କମ ସଂଖ୍ୟକ ଚାଷୀ ମେସିନ ପକାଇ ଧାନ ଅମଳ କରିଥିଲେ। ହେଲେ ଭଲଭାବେ ଶୁଖିପାରିନଥିବା ଚୂନାଧାନ ଶୁଖି ପାରିନଥିବାରୁ ଗଜା କିମ୍ବା ପଚି ନଷ୍ଟ ହୋଇଯିବ। ଧାନ ଫସଲ କ୍ଷୟକ୍ଷତି ଘଟିଲେ ବାତ୍ୟାପରେ କ୍ଷେତ୍ର ପରିଦର୍ଶନ କରାଯାଇ ରିପୋର୍ଟ ସରକାରଙ୍କ ନିକଟକୁ ପଠାଯିବ। ତେଣୁ କ୍ଷୟକ୍ଷତି ଜନିତ ସମସ୍ୟା ଚାଷୀଙ୍କୁ ଚିନ୍ତାରେ ନପକାଉ ବୋଲି କହିଛନ୍ତି। ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୋଟ ୯ ହଜାର ୯ ଶହ ୧୦ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ୯ ହଜାର ୭୫ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ବାକି ୮ ଶହ ହେକ୍ଟରରୁ ଅଧିକ ଜମିରେ ପନିପରିବା ଚାଷ କରାଯାଇଛି। ସେହିପରି ପାନବରଜ ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ପନିପରିବା ବିଲରେ ପାଣି ଜମି ରହିଥିବାରୁ ମୂଳ ପଚି ପାଣି ଛାଡ଼ିଯିବା ପରେ ଗଛ ଝାଉଁଳି ଯିବ। ଗେଣ୍ଡୁଫୁଲ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe