ଦଶରଥପୁରରେ ନକଲି ସିମେଣ୍ଟ କାରଖାନା

ଦଶରଥପୁରରେ ନକଲି ସିମେଣ୍ଟ କାରଖାନା

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗୋଳ ହାଟ ନିକଟରେ ବହୁବର୍ଷ ହେଲା ଏକ ନକଲି ସିମେଣ୍ଟ କାରଖାନା ଚାଲିଥିବା ଅଭିଯୋଗ ହେଉଛି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ଯଥା- ଅଲଟ୍ରାଟେକ୍‌, ଡାଲମିଆ, କୋଣାର୍କ ଭଳି କମ୍ପାନିର ଅଖାରେ ଭର୍ତ୍ତି କରାଯାଇ ନକଲି ସିମେଣ୍ଟ ବଜାରକୁ ଛଡ଼ା ଯାଉଛି। କିଛି ଅସାଧୁ ବ୍ୟବସାୟୀଙ୍କ ମାଧ୍ୟମରେ ଏହି ସିମେଣ୍ଟ ଶସ୍ତାରେ ସ୍ଥାନୀୟ ଜନସାଧାରଣ ଓ ସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ଠିକାଦାରମାନଙ୍କୁ ଯୋଗାଇ ଦିଆଯାଉଛି। ସେହିପରି ଆବାସ ଯୋଜନାର ଘର ପାଇଥିବା ହିତାଧିକାରୀମାନଙ୍କୁ ମଧ୍ୟ ଏହି ସିମେଣ୍ଟ ଯୋଗାଇ ଦିଆଯାଉଛି। ଫଳରେ ଏହି ସିମେଣ୍ଟରେ ନିର୍ମାଣ କରାଯାଉଥିବା ସରକାରୀ ପ୍ରକଳ୍ପ ଓ ପ୍ରଧାନମନ୍ତ୍ରୀ ଆବାସର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂପର୍କରେ ପୂର୍ବରୁ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ସେତେବେଳେ କିଛିସମୟ ପାଇଁ ଏହି କାରଖାନା ବନ୍ଦ ରହିଥିଲା। ପରେ ପୁଣି ଏହି କାରବାର ଆରମ୍ଭ ହୋଇଯାଇଛି। ପ୍ୟାକିଂ ହୋଇଥିବା ନକଲି ସିମେଣ୍ଟ ବସ୍ତା ଗୁଡ଼ିକ କାରଖାନା ମାଲିକଙ୍କ ଘର ନିକଟରେ ଥିବା ଗୋଦାମରେ ମହଜୁଦ ରଖାଯାଇ ସେଠାରୁ ତାଙ୍କ ୪୦୭ ଟ୍ରକ୍‌ ଓ ପିକ୍‌ଅପ୍ ଭ୍ୟାନ୍‌ରେ ଯାଜପୁର, ମଙ୍ଗଳପୁର ଏବଂ ବିଂଝାରପୁର ଅଞ୍ଚଳକୁ ପଠାଯାଉଛି। ସ୍ଥାନୀୟ ପୁଲିସ ପ୍ରଶାସନ ଏସଂପର୍କରେ ଜାଣି ମଧ୍ୟ ଅଜଣା ରହୁଛି ବୋଲି ଅଭିଯୋଗ ହୋଇଛି। ଯାଜପୁର ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେଇ ରାମବାଗ-ଛତ୍ରପଡ଼ା ମୁଖ୍ୟ ରାସ୍ତାର ବାମ ପାର୍ଶ୍ବରେ ‌ଥିବା ଉକ୍ତ ବେଆଇନ କାରଖାନାକୁ ସିଲ୍‌ କରିବା ସହିତ ସଂପୃକ୍ତ ବ୍ୟବସାୟୀକୁ ଗିରଫ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe