କଅଁଳ ବୟସରେ ପରିବାର ବୋଝ

କଅଁଳ ବୟସରେ ପରିବାର ବୋଝ

ଜୟପୁର: ଓମ କୁମାର। ବୟସ ଅତି ବେଶୀ ହେଲେ ୮ ହେବ। ଘର ସୁଦୂର ବିହାରର ଛାପ୍ରା ଅଞ୍ଚଳରେ। ଯେଉଁ ବୟସରେ ହସି ଖେଳି ସମୟ କାଟିବା କଥା ସେହି ବୟସରେ ପଡିଛି ପରିବାର ବୋଝ। ଯେଉଁ କଅଁଳ କାନ୍ଧରେ ବହି ବସ୍ତାନୀ ରହିବା କଥା ସେହି କାନ୍ଧରେ ରହିଛି ୪ ପ୍ରାଣୀ ପରିବାର ବୋଝ। ଆଜି ଟ୍ରାଫିକ ଛକର ମୁଖ୍ୟ ରାସ୍ତା ଉପରେ ବସି ଖୋଲିଥିଲେ ଜୀବନ ପାଇଁ ଆହାର ଯୋଗାଉଥିବା ଲୁହାଳତା ପେଡି। ପେଡିରେ ରହିଥିଲା ଭଳିକି ଭଳି ଲୁହା ସାମଗ୍ରୀ। ତେବେ କରୋନା ହେତୁ ଗାଁ ସ୍କୁଲ ଦୀର୍ଘ ଦିନ ହେଲା ବନ୍ଦ ରହିଥିବାବେଳେ ବାପାମା ଶର୍ଯ୍ୟଶାୟୀ। ତେଣୁ ବଡ ଭାଇ ସହ ମିଶି ସେ ଜୟପୁର ଆସିଛନ୍ତି।

ବୃଦ୍ଧ ବାପାମାଙ୍କ ଔଷଧ ଓ ପେଟ ଚାଖଣ୍ଡକ ଲାଗି ଆଜି କୋରାପୁଟ ଜିଲ୍ଲା ଜୟପୁର ସହରରେ ପହଞ୍ଚିଛନ୍ତି। ଆଜି ଭାରତ ବନ୍ଦରେ ମଧ୍ୟ ଖୋଲିଦେଇଥିଲା ପସରା। ଗୋଟିଏ ପଟେ ପେଟର ତାତି, ଅନ୍ୟ ପଟେ ସାହୁକାରର ନାଲି ଆଖି ଓ ଭାରତ ବନ୍ଦ। ଏହା ମଧ୍ୟରେ ଜୀବନ ସହ ଯୁଝୁଛନ୍ତି ଜଣେ ୮ବର୍ଷର ବିହାରୀ ନାବାଳକ। ସାଙ୍ଗରେ ବଡ ଭାଇ ଅମର ରହିଥିବାବେଳେ ତାକୁ ଏହିଠାରେ ଛାଡି ନିକଟ ଗାଁକୁ ଯାଇଥିବା ସେ କହିଛି। ପ୍ରତିଦିନ ତାଙ୍କ ଭାଇ କୋରାପୁଟ ଜିଲ୍ଲାର ବିଭିନ୍ନ ସହରକୁ ସହର ବୁଲି ଏହି ଲୁହାଲତା ବ୍ୟବସାୟ କରୁଥିବାବେଳେ ତାଙ୍କ ସହ ଗତ କିଛିଦିନ ହେବ ଯୋଡି ହୋଇଛନ୍ତି ଓମ୍। ଓମକୁ ଜୟପୁରରେ ଛାଡି ବଡ ଭାଇ ଅମର ସହରତଳି ଗାଁକୁ ବ୍ୟବସାୟ ପାଇଁ ଯାଇଛି।ତେବେ ଦୁଇ ଭାଇ ମିଶି ମହାଜନକୁ ପ୍ରତିଦିନ ୨୫୦ ଟଙ୍କା ଦେବେ। ବଳକା ଯାହା ହେଲା ସେଥିରେ ନିଜେ ଏହିଠାରେ ଚଳିବା ସହ ବାପାମାଙ୍କ ପାଖକୁ ପଠାଇବାକୁ ପଡେ। ଏହି ଛୋଟ ବୟସରେ ପଡିଯାଇଛି ପରିବାରର ବୋଝ ।

ଓମ କହିଛନ୍ତି ଯେ ଲକଡାଉନ ତା ପାଇଁ ଦୁଃଖ ଆଣିଦେଲା। ବାପା ମା ରେଳବାଇରେ କୁଲି କାମ କରୁଥିବାବେଳେ ରେଳ ବନ୍ଦ ହୋଇଯିବାରୁ କାମ ଠପ୍ ହୋଇଗଲା। ହଠାତ ବାପା ପ୍ରକାଶ କୁମାର ଓ ମା କୌଶଲ୍ୟାଙ୍କୁ ଅଣ୍ଟା ଦରଜ ହେଲା, ଏହାପରେ କମିବା ନାମ ନେଲାନି। ପରେ ଶର୍ଯ୍ୟଶାୟୀ ହୋଇଗଲେ ବୋଲି ସେ କହିଛନ୍ତି। ମାସିକ ୪ରୁ ୫ ହଜାର ଟଙ୍କା ଔଷଧ ଖର୍ଚ୍ଚ ଲାଗୁଥିବାରୁ ବଡଭାଇ ଅମର ଏତକ ଅର୍ଥ ଯୁଟାଇବାକୁ ଅସର୍ମଥ ହେଲା। ଏହାପରେ ଦୁଇ ଭାଇ ମିଶି ଜୟପୁର ଆସି ବ୍ୟବସାୟ କରୁଥିବା ସେ କହିଛନ୍ତି। ସେ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ସ୍କୁଲ ଖୋଲିଲେ ଯାଇ ପୁଣି ଥରେ ପଢିବାକୁ ଆଶା ରଖିଛି। ହେଲେ ପାରିବାରିକ ପରିସ୍ଥିତି ଭଲ ନ ଥିବାବେଳେ ଭାଇ ପଢାଇବାକୁ ଅସମର୍ଥ ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe