ଇକୋ ପାର୍କର ଇଏ କି ଅବସ୍ଥା? ଭାଙ୍ଗିଗଲାଣି ଦୋଳି, କଳାକୃତି

ପାଣିରେ ପଡ଼ିଲା ୩୫ ଲକ୍ଷ ଟଙ୍କା

ଇକୋ ପାର୍କର ଇଏ କି ଅବସ୍ଥା? ଭାଙ୍ଗିଗଲାଣି ଦୋଳି, କଳାକୃତି

Sambad

ନିକିରାଇ: କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ଚାରିଗାଁ ପଞ୍ଚାୟତ ସାତ ଭଉଣୀ ମାଳବଣ ପର୍ଯ୍ୟାବରଣ ଉଦ୍ୟାନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ୨୦୧୯ ମସିହାରେ ତତ୍‌କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା  ତତ୍ତ୍ୱାବଧାନରେ ଏହି ଇକୋ ପାର୍କ୍  ନିର୍ମାଣ ହୋଇଥିଲା। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମାଳ ସାତ ଭଉଣୀ ଏକ ଶକ୍ତିପୀଠ ଭାବେ କାହିଁ କେଉଁ କାଳରୁ ଖ୍ୟାତି ଅର୍ଜନ କରିଛି। ଏଠାରେ ପୂର୍ବରୁ ତେନ୍ତୁଳି ବଣ ରହିଥିଲା। ଲୋକେ ଏଠାରେ ପୂଜା ଅର୍ଚ୍ଚନା କରିଥାନ୍ତି। ଏପରିକି ଆଖ ପାଖ ଅଞ୍ଚଳ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ବଣଭୋଜି ପାଇଁ ଆସିଥାନ୍ତି। ଏହାକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ତରଫରୁ  ସେ ସମୟରେ ଏହି ପାର୍କ ନିର୍ମାଣ ପାଇଁ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ଥିଲା। ମାତ୍ର ତାହା ୩୫ ମାସ ବି ଗଲାନି। ସେତେବେଳେ ଜିଲ୍ଲାରେ ପ୍ରଥମ କରି ଏହି ଇକୋ ପାର୍କ୍ ନିର୍ମାଣ ହୋଇଥିଲା।

ଏବେ ଏହି ପାର୍କର ମାର୍ଗ ଚିହ୍ନଟକରଣ ଫଳକ ଶୋଇ ପଡ଼ିଲାଣି ଏବଂ ପାର୍କ ଓ ମନ୍ଦିର ଯିବା ପାଇଁ ନିର୍ମାଣ ହୋଇଥିବା ରାସ୍ତା ଖାଲ ଖମା ସୃଷ୍ଟି ହୋଇଛି। ଏଥିସହ ଉକ୍ତ ରାସ୍ତାରେ ଅନେକ ସ୍ଥାନରେ ଫାଟି ଆଁ ହୋଇ କଲାଣି। ଅନ୍ୟପକ୍ଷରେ ଉଦ୍ୟାନ ମଧ୍ୟରେ ପିଲାଙ୍କ ପାଇଁ ନିର୍ମିତ ଦୋଳି, ପଶୁପକ୍ଷୀଙ୍କ କଳାକୃତି ଭାଙ୍ଗି ରୁଜି ଯାଇଛି। ଶୌଚାଳୟରେ ତାଲା ଝୁଲୁଛି। ମୁକ୍ତାକାଶ ଜିମ୍ ନାହିଁ ନ ଥିଲା ଭଳି ଅବସ୍ଥାରେ ରହିଛି। ପରିବେଶ ପ୍ରଦୂଷଣ ହେଉଥିବା ସମୟରେ କେଉଁଠି ମଦବୋତଲ ଗଡୁଛି ତ କେଉଁଠି କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ପଲିଥିନ୍ ଗଦା ହୋଇଛି। ଆଶ୍ଚର୍ଯ୍ୟର କଥା ଉକ୍ତ ପାର୍କର ରକ୍ଷଣାବେକ୍ଷଣ କଥା ପ୍ରଶାସନ ଭୁଲି ଯାଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe