ସଟଡାଉନ ପ୍ରଭାବ ଛକ ବଜାର ଖାଁଖାଁ; ଗାଁ ମୁହାଁ ହେଲେ ଲୋକେ

Advertisment
ସଟଡାଉନ ପ୍ରଭାବ ଛକ ବଜାର ଖାଁଖାଁ; ଗାଁ ମୁହାଁ ହେଲେ ଲୋକେ

Sambad

ବାଲିଅନ୍ତା: କରୋନା ସଂକ୍ରମଣ ଦ୍ବିତୀୟ ଲହର ନେଇ ଆଜି ଉପକଣ୍ଠ ଅଞ୍ଚଳ ଛକ ବଜାର ସବୁ ଖାଁଖାଁ ହୋଇଯାଇଥିଲା। ଅନୁରୂପ ଭାବେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ସଟଡାଉନ ସଫଳ ହୋଇଛି। ବାଲିଅନ୍ତା ବଜାର, ବାଳକାଟି ବଜାର, ଉତରା ଛକ, ଧଉଳି ଓ ଭୁବନେଶ୍ବର-କଟକ ବାଇପାସ ଜାତୀୟ ରାଜପଥ, ପାଣ୍ଡେରା, ଝାରଫଡ଼ା, ବାଙ୍କୁଆଳ ଓ ପାହାଳ ଛକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ସଂପୂର୍ଣ୍ଣ ଅନୁଭୂତ ହୋଇଛି  ସେମିତି ଜରୁରୀ କାମ କାର୍ଯ୍ୟରେ ଲୋକମାନେ ପଦାକୁ ବାହାରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସାଙ୍ଗରେ ପରିଚୟ ପତ୍ର କିମ୍ବା ପ୍ରମାଣପତ୍ର ନେବାକୁ ଭୁଲିନଥିଲେ। ମୁଖ୍ୟରାସ୍ତା ଓ ଛକ ବଜାର ଅଞ୍ଚଳରେ ଅଳ୍ପ ସଂଖ୍ୟକ ଗାଡ଼ିମଟର ଯାତାୟତ କରିଥିଲା। କାର, ଅନ୍ୟ ଛୋଟଗାଡ଼ି ଏବଂ ବାଇକ ଆରୋହୀମାନେ ବିଭିନ୍ନ ସ୍ଥାନରେ ମୁତୟନ ଥିବା ପୁଲିସକୁ ନିଜ ନିଜର ପରିଚୟପତ୍ର ଦେଖାଇବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା। ସେହିପରି ଅସୁସ୍ଥ ବ୍ୟକ୍ତି ଓ ତାଙ୍କ ସଂପର୍କୀୟମାନେ ପାଖରେ ଥିବା ଔଷଧ ଚିଠା ଦେଖାଇ ଯିବାରେ କିଛି ସମସ୍ୟା ହୋଇନଥିଲା। ଆଉ ଯେଉଁ ଅମାନିଆ ଯୁବକମାନେ ଯିବା ଆସିବା ବେଳେ ଏସବୁ କିଛି ବି ପ୍ରମାଣ ପତ୍ର ଦେଖାଇ ପାରିନଥିଲେ ପୁଲିସ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଥିଲା।

publive-image Sambad

ଆଜି ବାଲିଅନ୍ତା ଅଞ୍ଚଳରୁ ଅମାନିଆଙ୍କ ଠାରୁ ବିଭିନ୍ନ ସ୍ଥାନରୁ ୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଗାଁ ଗହଳି ଭିତରେ ସଟ ହାଉନ ସଫଳ ହୋଇଥିଲେ ହେଁ ଗାଁ ଛକ ବଜାର ଓ ଖଟି ସ୍ଥାନରେ ସଟଡାଉନର ବିପରୀତ ପ୍ରତିଫଳନ ଦେଖାଯାଇଥିଲା। ଅନ୍ୟ ସବୁ ଦିନମାନଙ୍କ ଭଳି ଗାଁ ତେଜରାତି ଦୋକାନ, ଜଳଖିଆ ଦୋକାନ, ପାନ ଦୋକାନ, ମନୋହରି ସାମଗ୍ରୀ ଦୋକାନ, ବିଦ୍ୟୁତ ସାମଗ୍ରୀ ତଥା ମୋବାଇଲ ଦୋକାନରେ ଲୋକଙ୍କ ଭିଡ଼ ଲାଗିଥିଲା। କ୍ଲବ, କୋଠଘର ଓ ଯୁବକ ସଂଘ ଘରେ ଚାଲିଥିଲା ଅମାନିଆ ଯୁବକମାନଙ୍କର ଭୋଜିଭାତର ଆସର। କିଛି ସ୍ଥାନରେ ମଦ ପିଇ ଯୁବକମାନେ ଅପ୍ରୀତିକର ପରିସ୍ଥିତି ଉପୁଜାଇଥିବା ଖବର ମିଳିଛି। ବଡ଼ କଥା ହେଉଛି, ଗାଁ ରାସ୍ତାରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ନହେବା ଦ୍ବାରା ଏସବୁ ସ୍ଥାନରେ ସବୁ ଦୋକାନ ବଜାର ଖୋଲା ରହିଥିଲା। ପ୍ରଶାସନିକ ଅଧିକାରୀଙ୍କ ଚଢ଼ଉ ଭୟ ବିନଥିଲା। ତେଣୁ ଲୋକମାନେ ଅନ୍ୟ ସବୁଦିନ ଭଳି ଭିଡ଼ ଜମାଇଥିଲେ। ବଜାର ବନ୍ଧ ରହିବା ଯୋଗୁ ସେଠାକାର ଲୋକମାନେ ଆବଶ୍ୟକ ସାମଗ୍ରୀ ନେବାପାଇଁ ଗାଁ ଦୋକାନ ଏବଂ ବଜାର ମୁହାଁ ହୋଇଥିଲେ। ଏଦିଗରେ ପୁଲିସ କମିଶନର ଏବଂ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe