Sambad
ଖୋର୍ଦ୍ଧା: ଭାଷା ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଖୋର୍ଦ୍ଧାର ଅନ୍ୟତମ ପୁରାତନ ସଂଗଠନ ଭାଷା ସୁରକ୍ଷା ସମ୍ମିଳନୀର ୮ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଆଲୋଚନାରେ, ଦୋକାନ ବଜାର, କାର୍ଯ୍ୟାଳୟ, ନିମନ୍ତ୍ରଣପତ୍ର ଆଦିରେ ଓଡ଼ିଆ ଭାଷାର ପ୍ରୟୋଗକୁ ନଶ୍ଚିତ କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ସମସ୍ତ ବକ୍ତା ମତ ଦେଇଥିଲେ। ଗବେଷକ ମଦନ ମୋହନ ମହାପାତ୍ର, ପ୍ରଫେସର ସର୍ବେଶ୍ୱର ଷଙ୍ଗୀ, ରବୀନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟରେ ବାଣପୁରର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସମ୍ମିଳନୀର ସଂଗଠନ ପ୍ରସଙ୍ଗରେ ଆଲୋଚନା ଓ କର୍ମକର୍ତା ଚୟନ ହୋଇଥିଲା।
ଚିଲିକା ଭାଷା ସୁରକ୍ଷା ସମ୍ମିଳନୀର ଉପଦେଷ୍ଟା ଭାବେ ମଦନ ମୋହନ ମହାପାତ୍ର ଓ ସର୍ବେଶ୍ୱର ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଥିଲା। ସଙ୍ଗଠନ ନୂତନ କର୍ମକର୍ତା ଭାବେ ସଭାପତି ରଙ୍କନାଥ ସେଠୀ, ଉପସଭାପତି ରବୀନ୍ଦ୍ରନାଥ ପ୍ରଧାନ, ଦିଲ୍ଲୀପ କୁମାର ମହାନ୍ତି, ସଂପାଦକ ଶେଷଦେବ ମହାରଣା, ସହ-ସଂପାଦିକା ବନ୍ଦନା ମହାପାତ୍ର, ସଂଗଠନ ସଂପାଦିକା କୁନ୍ତଳା ବେହେରା, କୋଷାଧ୍ୟକ୍ଷା ଝରଣାରାଣି ଷଡଙ୍ଗୀ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରାଜକିଶୋର କେଇ, ସୁବାସଚନ୍ଦ୍ର ସେଠୀ, ମାଧବ ମହାରଣା, ଗତିକୃଷ୍ଣ ଜଗଦେବ ଓ କୃଷ୍ଣଚନ୍ଦ୍ର ବିଶ୍ୱାଳ ମନୋନୀତ ହୋଇଥିଲେ। ଅଧିବକ୍ତା ଶେଷଦେବ ମହାରଣା ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁର, ଚିଲିକା, ଟାଙ୍ଗୀ, ଖୋର୍ଦ୍ଧା ଓ ଖଲ୍ଲିକୋଟର କବି,ଲେଖକ, ପ୍ରାବନ୍ଧିକ, ସାହିତ୍ୟିକମାନେ ଯୋଗ ଦେଇଥିଲେ।
Follow Us