ଘର ଭାଙ୍ଗିଲେ, ଫସଲ ଦଳିଦେଲେ ହାତୀ

Advertisment
ଘର ଭାଙ୍ଗିଲେ, ଫସଲ ଦଳିଦେଲେ ହାତୀ

ତେଲକୋଇ/ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ହାତୀପଲ ଧାନ ଫସଲକୁ ମାଡ଼ିଦଳି ନଷ୍ଟ କରିବା ସହ ଲୋକଙ୍କ ଘରଦ୍ବାର ଭାଙ୍ଗୁଛନ୍ତି। କିଛିଦିନ ହେଲା ତେଲକୋଇ ଅଞ୍ଚଳରେ ହାତୀ-ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଛି। କେତେ‌ବେଳେ ହାତୀ ମରୁଛି ତ କେତେବେଳେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯାଉଛି। ଗତକାଲି ରାତିରେ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗିବାରୁ ଜଣେ ବୃଦ୍ଧା ଆହତ ହୋଇଛନ୍ତି।ଆହତ ଜଣକ ହେଲେ ବୁଦୁନୀ ଶୁଣ୍ଢି(୮୦)।ଘରେ ପରିବାର ଲୋକେ ଖାଇବାକୁ ବସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଦନ୍ତା ଘର ଭାଙ୍ଗିଥିଲା। ଫଳରେ ଘରର କାନ୍ଥ ଓ କବାକ ପଡ଼ି ଯିବାରୁ ସେ ଆହତ ହୋଇଛନ୍ତି।ତାକୁ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ଆଉ ଏକ ଦନ୍ତାହାତୀ ଆକୁଳ ଗ୍ରାମ ମାହାରିସାହିରେ ପଶି ନିର ମହାକୁଡ଼, ନିରାକାର ସେଠୀ ଓ ବିଶୁ ପାତ୍ରଙ୍କ ଘର ଭାଙ୍ଗି ଧାନ ଖାଇଦେଇଛି। ସେହିପରି ଗ୍ରାମର ପରମେଶ୍ବର ବେହେରା, ଲୋଚନ ବେହେରା, ଫଗୁଦାସ ବେହେରା, ନିଶାକର ବେହେରା, ଋଷିଶେଖର ବେହେରା, ପଦୁ ବେହେରା, ଭୋଲେଶ୍ବର ନାୟକ, ଭଗବାନ ମହାକୁଡ଼ଙ୍କ ବିଲରେ ପଶି ହାତୀପଲ ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ ଖାଇବା ସହ ମାଡ଼ିଦଳି ଫସଲ ନଷ୍ଟ କରିଛନ୍ତି। ଉପରୋକ୍ତ ଚାଷୀମାନଙ୍କର ୧୦ ଏକରରୁ ଊର୍ଦ୍ଧ୍ୱ ପାଚିଲା ଧାନ ହାତୀମୁହଁରେ ଯାଇଛି। ଖାଲୁଆ ଜମି ହୋଇଥିବାରୁ ହାତୀପଲ ମାଡ଼ିଦଳି ଦେବାରୁ ଧାନକେଣ୍ଡା ସବୁ ପାଣିକାଦୁଅରେ ବୁଡ଼ି ରହିଛି। ଅମଳ କରିବା ସମ୍ଭବ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଏକର ଏକର ଫସଲ ଉଜୁଡ଼ି ଯାଉଥିବାରୁ ଚାଷୀମାନେ ବର୍ଷକ ପାଇଁ କିପରି ଦାନା ଯୋଗାଡ଼ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି। କିଛି ସ୍ଥାନରେ ହାତୀ ଭୟରେ ଚାଷୀମାନେ ଧାନ କାଟିବାକୁ ଜମିକୁ ଯାଇପାରୁ ନଥିବା କହିଛନ୍ତି। ତେଲକୋଇରେ ଏବେ ୩ଟି ଦଳରେ ୪୭ ହାତୀ ଅଛନ୍ତି। ସଞ୍ଜ ନଇଁଲେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଧାନ କିଆରିରେ ପଶୁଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe