ପ୍ରଚାର ସମୟର ରୋଚକ ଦୃଶ୍ୟ: ଯୋଗେଶଙ୍କୁ ଘରେ ବସାଇ ପଖାଳ ଖୁଆଇଲେ ମହିଳା ଭୋଟର

Advertisment
ପ୍ରଚାର ସମୟର ରୋଚକ ଦୃଶ୍ୟ: ଯୋଗେଶଙ୍କୁ ଘରେ ବସାଇ ପଖାଳ ଖୁଆଇଲେ ମହିଳା ଭୋଟର

ସୁନ୍ଦରଗଡ଼: ଟାଣ ଖରାରେ ଚାଲିଥିଲା ନିର୍ବାଚନୀ ପ୍ରଚାର। ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ଟାଙ୍ଗରପାଲି ବ୍ଲକ୍ କିରିପସିରା ଓ ନିଆଲିପାଲି ପଞ୍ଚାୟତର ୨୦ରୁ ଅଧିକ ଗାଁକୁ ଯାଇ ଭୋଟ ମାଗିଥିଲେ। କିରିପସିରା ପଞ୍ଚାସୟତର ଖମାରବାହାଲ ଗାଁରେ ପ୍ରଚାର କଲା ବେଳେ ହାଲିଆ ହୋଇପଡ଼ିଥିଲେ ଯୋଗେଶ। ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ପ୍ରଚାର କରି ଝାଳନାଳ ହୋଇପଡ଼ିଥିବା ଯୋଗେଶଙ୍କୁ ଗାଁର ଜଣେ ମହିଳା ଭୋଟର କେତକୀ ସା ଘରକୁ ଡାକି ନେଇଥିଲେ। ଘର ପିଣ୍ଡାରେ ବସାଇ ନିଜ ପରିବାର ପାଇଁ ରାନ୍ଧିଥିବା ପଖାଳ ଖାଇବାକୁ ଦେଇଥିଲେ। ଯୋଗେଶଙ୍କ ପାଖରେ ବସି କେତକୀଙ୍କ ଅଜା ଶ୍ବଶୁର ମହାବୀର ସା ଓ ଗ୍ରାମର ଜଣେ ମୁରବି ଭକ୍ତରାମ ବୁଡ଼ା ମଧ୍ୟ ପଖାଳ ଖାଇଥିଲେ। ପଖାଳ ସହ ଶାଗ, ବଡ଼ି ଓ ଖଡ଼ା ଖଟା ପରଶି ଦେଇଥିଲେ ମହିଳା। କେତକୀ କହିଥିଲେ, ‘ଯୋଗେଶ ଆମ ପସନ୍ଦର ନେତା। ସିଏ ପ୍ରଚାର କରି ହାଲିଆ ହୋଇପଡ଼ିଥିବା ଦେଖି ମୋ ମନ ବୁଝିଲା ନାହିଁ। ତେଣୁ ଘରକୁ ଡାକି ଆଣି ପଖାଳ ଖୁଏଇଲି’। ଖୁସିରେ ଖୁସିରେ ଖାଇଥିଲେ ଯୋଗେଶ। କହିଥିଲେ, ‘ନିର୍ବାଚନ ୫ ବର୍ଷକୁ ଥରେ ଆସିବ। କିଏ କେଉଁ ନେତା ବା ଦଳକୁ ବାଛିବ, ସେଇଟା ତା’ ପସନ୍ଦର କଥା। କିନ୍ତୁ ଗାଁର ସମ୍ପର୍କ, ଆତ୍ମୀୟତା ସବୁବେଳେ ଥିବ। ଖମାରବାହାଲରେ ତାହା ଅନୁଭବ କଲି’ ବୋଲି କହିଥିଲେ ଯୋଗେଶ। ନିର୍ବାଚନ ସମୟରେ ନିଜ ପାଇଁ ପ୍ରଚାର କରୁଥିବା ନେତାଙ୍କୁ ଆପଣାର ଲୋକଟେ ଭଳି ଗାଁର ଜଣେ ମହିଳା ପଖାଳ ଖୁଏଇବା ଚର୍ଚ୍ଚାର ବିଷୟ ହୋଇଛି।

publive-image

ଯୋଗେଶଙ୍କ ସହଯୋଗକୁ ମନେ ପକାଇଲେ
‘ସେଦିନ ଥିଲା ୨୦୧୩ ମେ ୧୨ ତାରିଖ। ଛଟେନପାଲିକୁ ବରାତିରେ କିରିପସିରା ପଞ୍ଚାୟତ ଖମାରବାହାଲ ଗାଁର ୧୮ ଜଣ ଲୋକ ଯାଉଥିଲେ ଗାଡ଼ିରେ। ବାଟରେ ଏକ ଡମ୍ପର ଧକ୍କା ଦେଇଥିଲା ବରାତି ଗାଡ଼ିକୁ। ସମସ୍ତେ ଆହତ ହେଲେ, ଗାଁର ୧୫ ବର୍ଷର ବାଳକ ସୁମନ ଚୌଧୁରୀଙ୍କ ମୃତ୍ୟୁ ହୋଇଗଲା। ଖବର ପାଇ ଘଟଣାସ୍ଥଳକୁ ଛୁଟି ଆସିଥିଲେ ସୁନ୍ଦରଗଡ଼ର ତତ୍କାଳୀନ ବିଧାୟକ ଯୋଗେଶ ସିଂ। ଆହତଙ୍କୁ ବିଭିନ୍ନ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ। ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦେଇଥିଲେ। ସେ ସମୟର ସହଯୋଗ ଭୁଲି ହେବ ନାହିଁ’। ଭୋଟ ମାଗିବାକୁ ବିଜେଡି ପ୍ରାର୍ଥୀ ଯୋଗେଶ କିରିପସିରା ପଞ୍ଚାୟତ ଖମାରବାହାଲ ଗାଁକୁ ପହଞ୍ଚିଥିବାବେଳେ ସେ କଥାକୁ ଗୋଟି ଗୋଟି କରି ମନେ ପକାଇ ମୃତ ସୁମନଙ୍କ ଅଜା ଗୁଣସାଗର ଚୌଧୁରୀ କାନ୍ଦି ପକାଇଥିଲେ। ସେହିପରି ସଭାରେ ଜଣେ କହୁ କହୁ ଯୋଗେଶଙ୍କ ସହଯୋଗ କଥା କହିଦେଲେ, କିଛି ମାସ ତଳେ ମଙ୍ଗସପୁରଠାରେ ଦୁର୍ଘଟଣାରେ ଜଣେ ବିଜେପି ନେତାଙ୍କ ପୁଅ ପ୍ରାଣ ହରାଇବା ପରେ ଯୋଗେଶ ଦଳରୁ ଉର୍ଦ୍ଧ୍ବକୁ ଉଠି ୨ ଲକ୍ଷ ଟଙ୍କା ସହାୟତା ଦେଇ ମାନବିକତା ଦେଖାଇଥିଲେ। ସଭା ଶେଷରେ ଗାଁର ଶ୍ୟାମ ଗୋଖରା ନାମକ ଜଣେ ବ୍ୟକ୍ତି ମଞ୍ଚକୁ ଉଠି ଶଂଖ ଚିହ୍ନ ସମ୍ପର୍କରେ ଗୀତ ଗାଇ ଯୋଗେଶଙ୍କୁ କୁଣ୍ଢାଇ ପକାଇଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe