Sambad
ଜଗତସିଂହପୁର: ବହୁ ପ୍ରତୀକ୍ଷିତ ପୌର ନିର୍ବାଚନ ନିମନ୍ତେ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ପ୍ରକାଶ ପାଇବା ପରେ ପାରାଦୀପରେ କିଛି ନେତା ଆଶ୍ୱସ୍ତ ହୋଇଥିବା ବେଳେ ଆଉ କେତେକଙ୍କ ପାଇଁ ଏହା ଆଶ୍ୱସ୍ତିର କାରଣ ହୋଇଛି। ଏମିତିକି କିଛି ନେତାଙ୍କ ରାଜନୀତି ଶେଷ ହୋଇଗଲା ବୋଲି ଚର୍ଚ୍ଚା ହେଉଛି। ପାରାଦୀପ ପୌରପାଳିକାର ୧୯ଟି ଓ ଜଗତସିଂହପୁରର ୨୧ଟି ୱାର୍ଡ ପାଇଁ ପ୍ରକାଶିତ ପ୍ରସ୍ତାବିତ ସଂରକ୍ଷିତ ଆସନ ମଧ୍ୟରୁ ୬ଟି ଲେଖାଏଁ ଆସନ ଅସଂରକ୍ଷିତ ରହିଛି। ଜଗତସିଂହପୁର ପୌରପାଳିକାରେ ୧୧ଟି ଓ ପାରାଦୀପରେ ୧୦ଟି ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ତାଲିକା ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପାଇଁ ସମୟ ଥିଲେ ହେଁ ଏହି ସଂରକ୍ଷଣ ଆସନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ପାରାଦୀପ ପୌରପାଳିକାର ସବୁଠାରୁ ହେଭିୱେଟ୍ ନେତା ହେଲେ ବସନ୍ତ ବିଶ୍ବାଳ। ବସନ୍ତ ଗତ ଥର ୱାର୍ଡ-୧୨ରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ପୌରପାଳିକାର ଅଧ୍ୟକ୍ଷ ହୋଇଥିଲେ। ବସନ୍ତଙ୍କ ଏହି ୱାର୍ଡଟି କ'ଣ ହେବ ବୋଲି ସମସ୍ତଙ୍କ ନଜର ଥିଲା। ବତର୍ମାନ ହିସାବରେ ଏହି ୱାର୍ଡ-୧୨ ଅଣସଂରକ୍ଷିତ ପ୍ରସ୍ତାବ ଥିବାରୁ ବସନ୍ତ ଏକ ପ୍ରକାର ଆଶ୍ବସ୍ତ। ନିର୍ବାଚନ ପରେ ଯଦି ବସନ୍ତଙ୍କୁ ଦଳ ପୌରପାଳିକାର ଅଧ୍ୟକ୍ଷ ଭାବେ ଚୟନ ନକରେ, ତେବେ ସେ ଭିନ୍ନ କଥା ହେବ। କିନ୍ତୁ ଏଥର ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ବସନ୍ତ ଆଉ ପାରିଷଦ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ନ ପାରନ୍ତି। ଏଣୁ ବସନ୍ତ ଏହି ୱାର୍ଡରୁ କାହାକୁ ପ୍ରାର୍ଥୀ କରିବେ, ତାହା ମଧ୍ୟ ସ୍ପଷ୍ଟ ହୋଇଯିବ। ସେହିପରି ପୂର୍ବତନ ଉପାଧ୍ୟକ୍ଷା ପ୍ରଭାତୀ ନାୟକ ୱାର୍ଡ-୧୧ରୁ ବିଜୟୀ ହୋଇଥିଲେ। ଏହି ୱାର୍ଡଟି ମଧ୍ୟ ଅସଂରକ୍ଷିତ ରହିଛି। ୱାର୍ଡ-୪କୁ କଂଗ୍ରେସର ଟାଣୁଆ ନେତା କେଦାର ଜେନାଙ୍କର ଗଡ଼ ବୋଲି କୁହାଯାଏ। ସେ ଲଗାତର ଭାବେ ସେଠାରୁ ନିର୍ବାଚିତ ହେଉଥିବା ବେଳେ ଗତ ଥର ତାଙ୍କ ପତ୍ନୀ ନିର୍ବାଚିତ ହୋଇଥିଲେ।
ଏଥର ଏହି ୱାର୍ଡଟି ଅସଂରକ୍ଷିତ ଥିବାରୁ ପୁଣି ଥରେ କେଦାର ନିଜର ଦବଦବା ଦେଖାଇବାକୁ ସୁଯୋଗ ପାଇବେ। ମାତ୍ର ଆଉ କିଛି ନେତା ଯେମିତିକି ଅଜୟ ନାୟକ, ମାନସ ରଂଜନ ବିଶ୍ବାଳ, ଚିତ୍ତରଂଜନ ରାଉତରାୟ, ଶଙ୍କର ପ୍ରସାଦ ରାଉତ ଓ ଚପଳା ସ୍ବାଇଁଙ୍କ ଭଳି ପ୍ରାର୍ଥୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅଜୟ ନାୟକଙ୍କ ୱାର୍ଡ-୨ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ସେହିପରି ମାନସଙ୍କ ୱାର୍ଡ-୧୫ ମହିଳା, ଚିତ୍ତରଂଜନଙ୍କ ୱାର୍ଡ-୧୬ ମହିଳା, ଶଙ୍କର ପ୍ରସାଦଙ୍କ ୱାର୍ଡ-୧୦ ଅନୁସୂଚିତ ଜାତି ଓ ଚପଳା ପ୍ରାର୍ଥୀ ହୋଇଥିବା ୱାର୍ଡ-୧୩ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ପ୍ରସ୍ତାବ ରହିଛି। ଫଳରେ ଏହି ନେତାମାନେ ଏବେ କ’ଣ କରିବେ, ତା ଉପରେ ସମସ୍ତଙ୍କ ନଜର। କେବଳ ସେତିକି ନୁହେଁ ଏହି ସଂରକ୍ଷଣ ପରେ କିଛି ନୂଆ ନେତାଙ୍କୁ ମଧ୍ୟ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିବ। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏହି ସବୁ ଚିତ୍ର ସ୍ପଷ୍ଟ ହୋଇଯିବ। ପାରାଦୀପ ପୌରପାଳିକାରେ ଏଥର ନିର୍ବାଚନ ବେଶ୍ ରୋଚକ ହେବ, ଏଥିରେ ସନ୍ଦେହ ନାହିଁ। ବରିଷ୍ଠ ନେତାମାନେ ଯୁବକମାନଙ୍କୁ ବାଟ ଛାଡ଼ିବେ, ନା ପୁଣି ଥରେ ପ୍ରାର୍ଥୀ ହେବେ ଏହା ଜଣାପଡ଼ିଯିବ। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ୩ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ଦେଇଛନ୍ତି। ସେପଟେ ୫ ବର୍ଷରେ ଥରେ ସୁଯୋଗ ମିଳିଥିବାରୁ ଭୋଟରମାନେ ମଧ୍ୟ ଠିକ୍ ନେତା ବାଛିବେ ବୋଲି ସମସ୍ତଙ୍କ ଆଶା।
Follow Us