ମୋଡ଼ ନେଉଛି ପାରାଦୀପ ରାଜନୀତି, ପୌର ନିର୍ବାଚନରେ ପ୍ରାର୍ଥୀ ଦେବନି କଂଗ୍ରେସ!

‘ଆମ ପାରାଦୀପ, ଆମ ପ୍ରଗତି’ ବ୍ୟାନରରେ ପ୍ରାର୍ଥୀ ଦେବେ ବାପି ସର୍ଖେଲ

ମୋଡ଼ ନେଉଛି ପାରାଦୀପ ରାଜନୀତି, ପୌର ନିର୍ବାଚନରେ ପ୍ରାର୍ଥୀ ଦେବନି କଂଗ୍ରେସ!

Sambad

ଜଗତସିଂହପୁର: ଆସନ୍ତା ପୌର ନିର୍ବାଚନରେ ପାରାଦୀପରେ କୌଣସି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେବ କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁ ନାହିଁ। ଦଳର ସମସ୍ତ ପ୍ରାର୍ଥୀ ସ୍ବାଧୀନ ଭାବେ ଏଥର ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି। ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ବାପି ସର୍ଖେଲ ଏ ନେଇ ସ୍ପଷ୍ଟ ଭାବେ କିଛି କହୁ ନାହାନ୍ତି। ମାତ୍ର ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବାପିଙ୍କ ନେତୃତ୍ବରେ ଆୟୋଜିତ ବୈଠକକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ସମସ୍ତ ୧୯ଟି ୱାର୍ଡର କଂଗ୍ରେସ କର୍ମୀଙ୍କୁ ଡକାଇ ବାପି ବୈଠକ କରିଛନ୍ତି। ପୌର ନିର୍ବାଚନ ପାଇଁ ବାପି କି ରଣନୀତି ପ୍ରସ୍ତୁତ କରୁଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୯ଟି ୱାର୍ଡରୁ ୧୫ଟିରେ ‘ଆମ ପାରାଦୀପ, ଆମ ପ୍ରଗତି’ ବ୍ୟାନର୍‌ରେ ପ୍ରାର୍ଥୀ ଦେବ। ବାକି ୪ଟି ୱାର୍ଡ ଓ ଅଧ୍ୟକ୍ଷ ପ୍ରାର୍ଥୀ କଂଗ୍ରେସରୁ ଦିଆଯିବ। ଫଳରେ ଏକ ନୂଆ ସମୀକରଣ ନେଇ ବାପି ଏଥର ପୌର ନିର୍ବାଚନକୁ ଓହ୍ଲାଉଥିବା ଚର୍ଚ୍ଚା ଚାଲିଛି। ବାପିଙ୍କର ଏହି ସଂଗଠନରେ ସବୁ ଦଳର ଅସନ୍ତୁଷ୍ଟଙ୍କୁ ସାମିଲ କରାଯାଇ ପ୍ରାର୍ଥୀ ଦିଆଯିବ ବୋଲି ଶୁଣିବାକୁ ମିଳୁଛି।

ବି‌ଶେଷ କରି ବିଜେଡିରୁ ଅଧିକ ଲୋକଙ୍କୁ ଆଣିବା ପାଇଁ ସଂଗଠନ ପକ୍ଷରୁ ଯୋଜନା କରାଯାଇଛି। ଏହାସହ ପାରାଦୀପରେ ବିଜେପିରୁ ଦୂରେଇ ଯାଇଥିବା ଏକ ଗୋଷ୍ଠୀ ମଧ୍ୟ ଏଥିରେ ମିଶିଛନ୍ତି। ପାରାଦୀପରେ ଥିବା ଏକାଧିକ ଶ୍ରମିକ ସଂଘର ସଦସ୍ୟମାନେ ମଧ୍ୟ ଏହି ସଂଗଠନକୁ ସମର୍ଥନ କରି ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବ‌େ ବ‌ୋଲି ବାପି ଦୃଢ଼ ଆଶାବାଦୀ ଅଛନ୍ତି। ତେବେ ବାପିଙ୍କ ଏହି ରଣନୀତି କେତେଦୂର ସଫଳ‌ ହେବ ଏହା ଭବିଷ୍ୟତ କହିବ। ବିଶେଷ କରି କେଉଁମାନେ ଏହି ସଂଗଠନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ହେ‌ବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଗତ ପୌର ନିର୍ବାଚନରେ କଂଗ୍ରେସ ଖାତାକୁ ଦୁଇଟି ୱାର୍ଡ ଯାଇଥିଲା। ମାତ୍ର ଏହାର କିଛିଦିନ ପରେ ଜଣେ ପାରିଷଦ ବିଜେଡିରେ ଯୋଗ ଦେଇଥିଲେ।

ଏହାସହ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ କୁଜଙ୍ଗ ବ୍ଲକରେ ଦଳର ୪ ଜିଲ୍ଲା ପରିଷଦ ପ୍ରାର୍ଥୀ ଖୁବ କମ୍ ଭୋଟ୍ ପାଇଥିଲେ। ସେହି କାରଣରୁ ବୋଧହୁଏ ପୌର ନିର୍ବାଚନରେ କଂଗ୍ରେସ ଉପରେ ଆଉ ବାପିଙ୍କ ଭରସା ପାଉ ନାହିଁ। କେବଳ ଯେଉଁ ୱାର୍ଡରେ କଂଗ୍ରେସର ଭୋଟ୍ ଅଧିକ ରହିଛି, ସେହି ୪ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ସେ ସ୍ଥିର କରିଛନ୍ତି। ଏ ନେଇ କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ କୁହନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏ ନେଇ ବାପି ତାଙ୍କୁ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। ତଥାପି ଅଳ୍ପ କିଛି ପ୍ରାର୍ଥୀ ଓ ଅଧ୍ୟକ୍ଷ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ। ବାକି ସବୁ ୱାର୍ଡରେ ସ୍ବାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀମାନଙ୍କୁ ଦଳ ସମର୍ଥନ କରିବ ବୋଲି ଅନୁମାନ କରାଯାଉଛି। ଆଜି ଏ ନେଇ ବାପି ସ୍ପଷ୍ଟ କରିବେ ବୋଲି ତାଙ୍କୁ କହିଥିଲେ ମଧ୍ୟ କିଛି ସୂଚନା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe