ଢିଙ୍କିଆ ଭୋଟ୍ ଉପରେ ରାଜ୍ୟବାସୀଙ୍କ ନଜର, ବି‌ଜେଡି ପ୍ରାର୍ଥୀଙ୍କ ବିରୋଧରେ ସବୁ ବିରୋଧୀ ଏକାଠି!

Advertisment
ଢିଙ୍କିଆ ଭୋଟ୍ ଉପରେ ରାଜ୍ୟବାସୀଙ୍କ ନଜର, ବି‌ଜେଡି ପ୍ରାର୍ଥୀଙ୍କ ବିରୋଧରେ ସବୁ ବିରୋଧୀ ଏକାଠି!

Sambad

ଜଗତସିଂହପୁର: ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଏବେ ଢିଙ୍କିଆ ଗାଁ ହୁଲସ୍ତୁଲ। ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ ଏବେ ଜେଲ୍ ଚାରି କାନ୍ଥରେ ବନ୍ଦି। ଗାଁରେ ଏବେ ଭୟ ଓ ଉତ୍ତେଜନାର ମାହୋଲ। ଏହି ସମୟରେ ପଞ୍ଚାୟତ ନିର୍ବାଚନ ପାର୍ଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଯାହା ଶୁଣାଯାଉଛି ରାଜ୍ୟ ସରକାରଙ୍କ ଉପରେ ଏଠାରେ ଜୋରଦାର ଅସନ୍ତୋଷ କୁହୁଳୁଛି। ଏଣୁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇବା ପାଇଁ ସେଠାରେ ଯୋଜନା ଚାଲିଛି। ଅନ୍ୟପଟେ ବିରୋଧୀଙ୍କୁ ଏଥର ମାତ୍ ଦେବାକୁ ବିଜେଡି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ପୋସ୍କୋ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ସେତେ‌ବେଳେ ସରପଞ୍ଚ ଥିବା ଶିଶିର ମହାପାତ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିବାରୁ ସେ ଆଇନରେ ଆଶ୍ରୟ ନେଇଥିଲେ। ଏହି ମାମଲାର ରାୟ ଆସିବାରେ ବିଳମ୍ବ ହେବା ଯୋଗୁଁ ସରପଞ୍ଚ ଓ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ପାଖାପାଖି ଅଢ଼େଇ ବର୍ଷ ଘୁଞ୍ଚି ଯାଇଥିଲା। ଏଣୁ ଏହି ଦୁଇଟି ପଦକୁ ବାଦ୍ ଦେଇ ଅନ୍ୟ ସବୁ ପଦବି ପାଇଁ ନିର୍ବାଚନ ହୁଏ। ଏଥର ଢିଙ୍କିଆ ସମିତି ସଭ୍ୟ ପଦଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ। ଏହି ପଞ୍ଚାୟତ ଅଧୀନରେ ୫ଟି ରାଜସ୍ବ ଗାଁ ଗୋବିନ୍ଦପୁର, ପାଟଣା, ମାହାଳ, ଢ଼ିଙ୍କିଆ ଓ ତ୍ରିଲୋଚନପୁର ରହୁଛି। ଗୋବିନ୍ଦପୁରରେ ୭ଟି ୱାର୍ଡ, ପାଟଣାରେ ଗୋଟିଏ ୱାର୍ଡ, ମାହାଳରେ ୨ଟି ୱାର୍ଡ, ଢିଙ୍କିଆରେ ୬ଟି ୱାର୍ଡ ଓ ତ୍ରିଲୋଚନପୁରରେ ୭ଟି ୱାର୍ଡ ରହିଛି।

ଏହି ପଞ୍ଚାୟତରେ ସର୍ବଦା ଦ୍ବିମୁଖୀ ଲଢ଼େଇ ହେବାର ନଜର ରହିଛି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଗୋଟିଏ ପ୍ରାର୍ଥୀ ଦିଆଯାଏ। ଏହାକୁ ବିରୋଧୀ ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟ ସମସ୍ତେ ସମର୍ଥନ କରନ୍ତି। ଏ ସମସ୍ତଙ୍କ ମିଳିତ ସମର୍ଥନ ମିଳିଥିବାରୁ ଦେବେନ୍ଦ୍ର ଖୁବ୍ ସହଜରେ ଗତ ଥର ବିଜୟୀ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ବିରୋଧୀ ଦଳଗୁଡ଼ିକ ସମାନ ରଣନୀତି ଆପଣେଇବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଢିଙ୍କିଆ ଗାଁରୁ ଦୁଇ ଜଣ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି। ଏଣୁ ଢିଙ୍କିଆରୁ ପୁଣି ପ୍ରାର୍ଥୀ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ ଗୋବିନ୍ଦପୁର ଗାଁରୁ ପ୍ରାର୍ଥୀ କରିବାକୁ ବିଜେଡି ପକ୍ଷରୁ ଯୋଜନା କରାଯାଇଛି। ବର୍ତ୍ତମାନ ଢିଙ୍କିଆରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି। ପୁଲିସ ଭୟରେ ଏବେ ବି କିଛି ଆନ୍ଦୋଳନକାରୀ ବାହାରେ ଲୁଚିଛନ୍ତି। ନିର୍ବାଚନ ସମୟରେ ଦେବେନ୍ଦ୍ର ଜାମିନରେ ମୁକିଳିବା ସମ୍ଭାବନା ମଧ୍ୟ କ୍ଷୀଣ ବୋଲି ଅନୁମାନ କରାଯାଉଛି। କେବଳ ସେତିକି ନୁହେଁ ଢିଙ୍କିଆର ଗାଁ ସାରା ଲୋକଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି। ଏଣୁ ଭୋଟ୍ ଦେବାକୁ ଆସିଲେ ଗିରଫଦାରୀର ଭୟ ମଧ୍ୟ ରହିଛି। ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମୋଟାମୋଟି ଭାବେ ଦେଖିବାକୁ ‌ଗଲେ ଚଳିତ ପଞ୍ଚାୟତ ନିର୍ବାଚନ ଏଠାରେ ବେଶ୍ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe