ତାଣ୍ଡବ ରଚାଇଛନ୍ତି ୨ ଦନ୍ତା

Advertisment
ତାଣ୍ଡବ ରଚାଇଛନ୍ତି ୨ ଦନ୍ତା

ସୁନ୍ଦରଗଡ/ ତେଲକୋଇ: କିଛି ଦିନର ନିରବତା ପରେ ପୁଣି ସୁନ୍ଦରଗଡ଼ ବଡଗାଁ ବନାଞ୍ଚଳର କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିରେ ଗତକାଲି ରାତିରେ ୨ଟି ଦନ୍ତା ହାତୀ ଆସି ଗ୍ରାମର ୪ ଟି ଘର ଭାଙ୍ଗିଥିବା ଜଣାପଡିଛି । ହାତୀ ଦ୍ବୟ ଗ୍ରାମର ସୁରଜ ମହାନନ୍ଦିଆ, ଅରୁଣ ତିର୍କି, ସୁସ୍ମିତା ତିର୍କି ଓ କୁଆଁରୀ ସିଂ ଙ୍କ ଘର ଭାଙ୍ଗିଥିବାବେଳେ ଘରଲୋକ ଘର ବାହାରକୁ ଚାଲି ଆସିଥିବାରୁ ରକ୍ଷା ପାଇଯାଇଛନ୍ତି । ତେବେ ଦନ୍ତା ଏମାନଙ୍କ ଘରେ ଥିବା ଧାନ, ଚାଳ, ବିଭିନ୍ନ ପନିପରିବା ସହିତ ଅଟା ଖାଇ ଦଳିମକଚି ନଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ହାତି ଦ୍ବୟ କଟଙ୍ଗଝରିଆ ଜଙ୍ଗଲରେ ଥିବାବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଅନ୍ୟପଟେ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ନିତିଦିନିଆ ସମସ୍ୟା ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କୁଳଙ୍ଗ ଗ୍ରାମର ବଲାଙ୍ଗି ଜୁଆଙ୍ଗସାହିରେ ୧୨ଟି ହାତୀ ପଶିଥିଲେ। ପଞ୍ଚୁ ମହାରଣାଙ୍କ ୩ ବଖରା ଘରକୁ ଭାଙ୍ଗି ଧାନଚାଉଳ ଖାଇଯାଇଥିଲେ। କଂସାବାସନ ସମେତ ଆସବାବପତ୍ର, ଫ୍ରିଜ, ଆଲମିରା, ପଙ୍ଖା ଆଦି ମାଡ଼ିଦଳି ନଷ୍ଟ କରିଦେଇଛନ୍ତି। ହାତୀପଲ ଘର ଭାଙ୍ଗୁଥିବା ଜାଣିପାରି ପରିବାର ୭ ଜଣ ଗୋଟିଏ ଘରେ ଆଶ୍ରୟ ନେଇଥିଲେ। ସେହି ଘରକୁ ମଧ୍ୟ ହାତୀ ଭାଙ୍ଗିବାରୁ କୌଣସି ପ୍ରକାରେ ବାହାରି ସାହିକୁ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ।

ପରିବାରର ଅନ୍ୟ ୫ ଜଣ ଲୋକ ରହିଯାଇଥିଲେ। ସାହିଲୋକେ ପାଟିକରି ନିଆଁହୁଳା ଦେଖାଇ ହାତୀଙ୍କୁ ଘଉଡ଼ାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଏବେ ବର୍ଷାଦିନ ହୋଇଥିବାରୁ ଘର ଭାଙ୍ଗୁଥିବା ପରିବାରର ଲୋକମାନେ ଆଶ୍ରୟ ନେବାପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ବନ ବିଭାଗ ଜରିପାଲ ଦେବା ସହ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe