ହାତୀପଲ ଗାଁ ମୁହାଁ: ଅମଳ ଧାନ ଜଗିଥିବା ‌ବେଳେ ଦନ୍ତା କଲା ଆକ୍ରମଣ

Advertisment

ଉତ୍ତର ଘୁମୁସରରେ ହାତୀ ଉପଦ୍ରବ ଜାରି

ଉତ୍ତର ଘୁମୁସରରେ ହାତୀ ଉପଦ୍ରବ ଜାରି

ହାତୀପଲ ଗାଁ ମୁହାଁ: ଅମଳ ଧାନ ଜଗିଥିବା ‌ବେଳେ ଦନ୍ତା କଲା ଆକ୍ରମଣ

ଭଞ୍ଜନଗର/ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି। ଗଲା କିଛି ଦିନ ହେଲା ଧାନ ଫସଲ ଅମଳ ହୋଇଥିବା ବେଳେ ପାଚିଲା ଧାନର ବାସ୍ନାରେ ହାତୀପଲ ଗାଁ ମୁହାଁ ହୋଇଛନ୍ତି। ଏହି ସମୟରେ ଅନେକ ସମୟରେ ହାତୀ ମଣିଷ ମୁହାଁମୁହିଁ ପରିସ୍ଥତି ଉପୁଜିବା ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଦିନ ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳରେ ହାତୀପଲ ଆକ୍ରମଣରେ ଦୁଇଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏହି ଘଟଣାକୁ ୭୨ ଘଣ୍ଟା ନପୁରୁଣୁ ଆଜି ଏହି ବନଖଣ୍ଡର ଜଗନ୍ନାଥପ୍ରସାଦ ରେଞ୍ଜ ହରିପୁର ଗ୍ରାମରେ ଏକ ଦନ୍ତା ଆକ୍ରମଣରେ ଗ୍ରାମର ସୁରେନ୍ଦ୍ର ନାୟକ(୬୫) ଗୁରୁତର ଆହାତ ହୋଇଛନ୍ତି। ଜଗନ୍ନାଥପ୍ରସାଦ ରେଞ୍ଜ ଗେରେଡା ସେକ୍‌ସନ୍‌ରର ସମରବନ୍ଧ ବିଟ୍‌ ହରିପୁର ଗ୍ରାମ ନିକଟ ଏକ ଖଳାରେ ସୁରେନ୍ଦ୍ର ଧାନ ଅମଳ କରି ଗଦା କରିଥିଲେ।

ଗତ ରାତିରେ ଧାନ ଜଗିବା ନିମନ୍ତେ ଖାଇପିଇ ସେଠାକୁ ଯାଇ ସେଠାରେ ଥିବା ଏକ କୁଡିଆରେ ‌‌ଶୋଇଥିଲେ। ରାତି ପ୍ରାୟ ସାଢେ ୧୦ଟା ସମୟରେ ହାତୀ ଡାଳ ଭାଙ୍ଗି ଧାନ ଖଳା ଆଡକୁ ଆସିଥିଲା। ଏହି ସମୟରେ ଧାନ ଗଦାରେ କିଛି ଶଦ୍ଦ ହେଉଥିବା ଶୁଣି ସୁରେନ୍ଦ୍ର ଧାନ ଗଦା ନିକଟକୁ ଯାଇଥିବା ବେଳେ ହଠାତ୍‌ ଏକ ଦନ୍ତା ହାତୀ ଶୁଣ୍ଢରେ ସୁରେନ୍ଦ୍ରକୁ ଆକ୍ରମଣ କରିଥିଲା। ସେହି ଆକ୍ରମଣରେ ସୁରେନ୍ଦ୍ର କିଛି ଦୂର ଯାଏଁ କଚାଡି ହୋଇ ପଡିଥିଲେ। ଯାହା ଫଳରେ ତାଙ୍କ ଛାତିରେ ପ୍ରବଳ ଆଘାତ ଲାଗିଥିଲା।

publive-image Sambad

ସୁରେନ୍ଦ୍ରଙ୍କ ପାଟିଶୁଣି ଗ୍ରାମବାସୀ ସେଠାକୁ ଦୌଡି ଆସି ସୁରେନ୍ଦ୍ରକୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଥମିକ ଚିକିତ୍ସା ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଆଜି ସହକାରୀ ବନ ସଂରକ୍ଷକ ସୁଦର୍ଶନ ବାଦୀ, ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାଶ ଏବଂ ଗେରେଡା ବନପାଳ କଳାବଦନ ଦାସ ପ୍ରମୁଖ ସୁରେନ୍ଦ୍ରଙ୍କୁ ଭେଟି ସ୍ବାସ୍ଥ ଅବସ୍ଥା ସଂର୍ପକରେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ ସୁରେନ୍ଦ୍ରଙ୍କୁ ସିଧା ସଳଖ ହାତୀ ଆକ୍ରମଣ କରିନଥିବା ବ‌େଳେ ହାତୀ ଧାନ ଖଳାକୁ ଆସିଥିବା ଦେଖି ଭୟରେ ଦୌଡି ଆସିବାରେ ତଳେ ପଡି ସୁରେନ୍ଦ୍ର ଆହାତ ହୋଇଥିବା ରେଞ୍ଜର ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଜଗନ୍ନାଥପ୍ରସାଦ ବନାଞ୍ଚଳର ଗେରେଡା, ସମରବନ୍ଧ, କଟକଟି, ତିରିକୁମ୍ପା, ଆକୁଳକୁମ୍ପା, ଲଣ୍ଡେଇହିଲ, କନ୍ଧକନ୍ତା, ଶାଳୁଆପଲ୍ଳୀ, କୁଡୁତାଇ ଆଦି ଇଲାକାରେ ୧୩ ଟିକିଆ ହାତୀପଲ ଘୁରୀ ବୁଲୁଥିଲେ।

ଗତ କିଛି ଦିନ ହେଲା ଧାନ ଫସଲ ପାଚିବା ପରେ ସେହି ହତୀ ପଲ ଦୁଇ ଭାଗରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଯାଗାରେ ବୁଲୁଥିବା ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ ସମୟରେ ଜାଣିବାକୁ ପାଇଥିଲେ। ଗୋଟିଏ ପଲରେ ୧୦ ଟି ହାତୀ ଗେରେଡା ଇଲାକରେ ବୁଲୁଥିବା ବେଳେ ସମରବନ୍ଧ ଇଲାକାରେ ଦନ୍ତା ସହ ୩ଟି ହାତୀ ବୁଲୁଥିବା ବନ ବିଭାଗ ପ୍ରକାଶ କରିଛି। ତେବେ ବର୍ତ୍ତମାନ ଧାନର ବାସ୍ନା ପାଇଁ ହାତୀପଲ ଗାଁ ମୁହାଁ ‌ହୋଇଥିବା ବେଳେ ନୀରିହ ଲୋକ ମାନେ ହାତୀ ଆକ୍ରମଣର ଶୀକାର ହେଉଛନ୍ତି। ହାତୀ ମଣିଷ ମୁହାଁମୁହିଁ ସ୍ଥିତି ଉଦ୍‌ବେଗ ଜନକ ହୋଇଥିବା ବେଳେ ଲୋକ ମାନଙ୍କୁ ଧାନ ଫସଲ ସୁରକ୍ଷିତ ରଖିବା ସହ ହାତୀମାନଙ୍କୁ ସୁରକ୍ଷା ଦେବା ବନ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe