Sambad
ନରସିଂହପୁର: ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ଉପରକଟା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ଅଢ଼େଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପାନୀୟଜଳ ଅଭାବରୁ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲା ବେଳେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଯାଦବ, ଏସିଏଫ୍ ଘନଶ୍ୟାମ ମୁଦୁଲି, ନରସିଂହପୁର ପଶ୍ଚିମାଞ୍ଚଳ ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ, ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତିଙ୍କ ସମେତ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀଟି ୮ରୁ ୧୦ଦିନ ତଳେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ତା’ର ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।
ପ୍ରାଣୀ ଚିକିତ୍ସକ ଶ୍ରୀ ସେନାପତି ହାତୀଟିର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ହାତୀଟିକୁ ଜଙ୍ଗଲରେ ପୋତି ଦିଆଯାଇଥିଲା ବେଳେ ହାତୀ ଦାନ୍ତ ବନ ବିଭାଗ କାର୍ଯ୍ୟାଳୟକୁ ଅଣା ଯାଇଥିବା ପଶ୍ଚିମାଞ୍ଚଳ ବନାଧିକାରୀ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଖୋଳା ଯାଇଥିବା ପୋଖରୀଗୁଡ଼ିକ ବର୍ତ୍ତମାନ ଶୁଖିଲା ପଡ଼ିଛି। ଫଳରେ ପଶୁପକ୍ଷୀ ପିଇବା ପାଣି ନ ପାଇ ଅକାଳରେ ପ୍ରାଣ ହରାଉଥିବା ଜଣାପଡ଼ିଛି। ସେମାନଙ୍କ ପାଇଁ ଯଥାଶୀଘ୍ର ବିକଳ୍ପ ପାନୀୟଜଳ ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡ଼ିବେ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
Follow Us