ଗିରଫ ତିନି ହାତୀ ଶିକାରୀଙ୍କ ଅଭିଯୋଗ, ମାଡ଼ ମାରି ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଇଛି

Advertisment

ନରସିଂହପୁର ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣା

ନରସିଂହପୁର ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣା

ଗିରଫ ତିନି ହାତୀ ଶିକାରୀଙ୍କ ଅଭିଯୋଗ, ମାଡ଼ ମାରି ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଇଛି

Sambad

ନରସିଂହପୁର: ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ବୟାନ ଏବେ ଆଉ ଏକ ବିବାଦ ସୃଷ୍ଟି କରିଛି। ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସମୟରେ ସେମାନେ ଗଣମାଧ୍ୟମ ନିକଟରେ ଚାଞ୍ଚଲ୍ୟକର ଅଭିଯୋଗ ରଖିଛନ୍ତି। ସେମାନେ କହିଛନ୍ତି ଯେ ହାତୀ ମୃତ୍ୟୁ ସଂପର୍କରେ ସେମାନେ କିଛି ଜାଣନ୍ତି ନାହିଁ। ସେମାନଙ୍କୁ ଗିରଫ କରି ଏକ ନିଭୃତ କୋଠରୀରେ ରଖା ଯାଇଥିଲା। ପ୍ରବଳ ମାଡ଼ ଦିଆଯାଇ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା। ଏବଂ ସେମାନଙ୍କୁ ଏବେ କୋର୍ଟ ଚାଲାଣ କରାଯାଉଛି। ଗିରଫ ଅଭିଯୁକ୍ତ ରାମଚନ୍ଦ୍ରପୁର ଗ୍ରାମର ସୂର୍ଯ୍ୟମଣି ନାୟକ(୪୨), ନୂଆଭୂଇଁର ଗଙ୍ଗାଧର ନାୟକ(୬୨) ଓ ଅନନ୍ତପ୍ରସାଦ ଗ୍ରାମର ଦିବାକର ସାହୁ(୩୬)ଙ୍କୁ ଆଜି ନରସିଂହପୁର ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ବୋଲି ପଶ୍ଚିମାଞ୍ଚଳ ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତି ଥିବା ବନ ବିଭାଗ ଜାଣିବାକୁ ପାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ନରସିଂହପୁରର ଏହି ଦନ୍ତାହାତୀ ଦେହରେ ୫ଟି ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପାଖାପାଖି ୮ ଦିନ ଚିକିତ୍ସା କରାଯାଇଥିଲେ ବି ତାର ମୃତ୍ୟୁ ଘଟିଥିଲା। ପୂର୍ବରୁ ଏକାଧିକ ସ୍ଥାନରୁ ମାଟି ତଳୁ ହାତୀ ମୃତଦେହ ବାହାରିବା ଏବଂ ପରେ ଗୁଳିବିଦ୍ଧ ଦନ୍ତାହାତୀ ଜଙ୍ଗଲରେ ଛଟପଟ ଅବସ୍ଥାରେ ପଡି ରହିବା ଘଟଣା ଅଞ୍ଚଳରେ ହାତୀ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ଏଥିରେ ବନବିଭାଗ କର୍ମଚାରୀଙ୍କ ବିବାଦୀୟ ଭୂମିକା ଓ ସଂପୃକ୍ତି ସାମନାକୁ ଆସୁଥିବା ବେଳେ ଏବେ ୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରାଯିବା ଘଟଣା ବି ପୁଣି ଏକ ବିବାଦର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe