ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁମିଙ୍ଗିଆ ନିକଟ ରାଇପଦା ନିକଟରେ ହାତୀପଲ ବିତ୍ପାତ ଚଳାଇଛନ୍ତି। କିଛିଦିନ ହେଲା ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ରମ୍ଭା ସେକ୍ସନରୁ ୧୭ଟି ହାତୀ ପଳାଇ ଆସିଥିବା ସ୍ଥାନୀୟ ବନବିଭାଗ ସୂଚନା ଦେଇଛି। ସେଥି ମଧ୍ୟରୁ ୪ଟି ଅଣ୍ଡିରା ହାତୀ, ୮ଟି ମାଈ ହାତୀ ଏବଂ ୫ଟି ଛୁଆହାତୀ ବୁଲୁଥିବା ସୂଚନା ମିଳିଛି। ଗତ ଦୁଇଦିନ ତଳେ ଏହି ହାତୀପଲ ଜନବସତିରେ କ୍ଷୟକ୍ଷତି କରିଥିବା ବେଳେ ବନବିଭାଗ ପକ୍ଷରୁ ଘଉଡ଼ାଇ ଦିଆ ଯାଇଥିଲା। ହେଲେ ଗତକାଲି ରାତିରେ ପୁଣି ହାତୀପଲ ଏହି ଅଞ୍ଚଳରେ ପଶି ବ୍ୟାପକ କ୍ଷତି କରିଛନ୍ତି। ଏହି ଦଳରେ କେତେ ହାତୀ ଥିଲେ ସୂଚନା ମିଳିନାହିଁ। ତେବେ ଆଜି ଭୋର୍ ପ୍ରାୟ ୫ଟା ବେଳେ ରାମେଶ୍ବର ପ୍ରଧାନ ଓ ତଙ୍କ ସ୍ତ୍ରୀ ମାର୍ଥା ପ୍ରଧାନ ୩ଟି ହାତୀ ଦେଖିଥିବା ପ୍ରକାଶ କରିଛନ୍ତି।
Sambadହାତୀପଲ କୁରୁମିଙ୍ଗିଆ ଗ୍ରାମର ନିକୁନ୍ତ ପ୍ରଧାନଙ୍କ ୪ଟି ସ୍ଥାନରେ ଥିବା କଦଳୀ ଗଛ, ପ୍ରାୟ ୩୦ଟି ଆମ୍ବ ଗଛ ଓ ବଗିଚାରେ ଥିବା ଗୋଟିଏ ଘରର କାନ୍ଥ ଭାଙ୍ଗି ଦେଇଥିବା ବେଳେ କଳିଙ୍ଗା ଗ୍ରାମରେ ପ୍ରବୀଣ ମଲ୍ଲିକଙ୍କ ଚିନାବାଦାମ ଖାଇ ଦେଇଛନ୍ତି। ଏହାସହ ଧାନତଳି ଓ କୁଡ଼ିଆ ଘର ଭାଙ୍ଗି ନଷ୍ଟ କରିବା ସହିତ କୁଡ଼ିଆରେ ଥିବା ୨ବସ୍ତା ସାର ଟାଣି ଆଣି ଦଳି ନଷ୍ଟ କରି ଦେଇଛନ୍ତି। ପରେ କୁରୁମିଙ୍ଗିଆ ନିବାସୀ ସଞ୍ଜିତ କୁମାର ପ୍ରଧାନ ଗଦା କରି ରଖିଥିବା ଧାନ ଖାଇଦେବା ସହିତ ୨୦ରୁ ୨୫ ବସ୍ତା ଧାନା ନଷ୍ଟ କରିଛନ୍ତି। ସେହିପରି ତରେଡ ପ୍ରଧାନଙ୍କ ଧାନ ତଳି ମଧ୍ୟ ନଷ୍ଟ କରିଛନ୍ତି। ବନ ବିଭାଗ ହାତୀ ଘଉଡ଼ାଇବାରେ ସଫଳ ହୋଇ ନାହାନ୍ତି। ଗ୍ରାମବାସୀ କେବଳ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ହାତୀପଲ ଏବେ ଗାମୁଲି ଜଙ୍ଗଲରେ ରହିଥିବା ବେଳେ କେତେବେଳେ ପୁଣି ଜନବସତିକୁ ଆସିଯିବେ, ସେ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ସେପଟେ ବନ ବିଭାଗ ପକ୍ଷରୁ ହାତୀପଲକୁ ଘଉଡ଼ାଇବା ପାଇଁ ଚେଷ୍ଟା ଚାଲିଥିବା କୁହାଯାଇଛି।
Follow Us