ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୁଲାବିରା ସରକାରୀ ଡାକ୍ତରଖାନା ସମ୍ମୁଖରେ ଆଜି ସକାଳୁ ୩ଟି ହାତୀଙ୍କୁ ଦେଖି ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟକୁ ହାତୀ ତିନୋଟି କାହାର କିଛି ଅନିଷ୍ଟ ନ କରି ଜଙ୍ଗଲ ଆଡକୁ ଚାଲି ଯାଇଥିଲେ। ତେବେ ଦିନବେଳା ହୋଇଥିବାରୁ ଲୋକେ ସତର୍କ ହୋଇ ଯାଇଥିଲେ, ଫଳରେ କାହାର କିଛି ହୋଇ ନ ଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ କୁଲାବିରା ମେଡିକାଲ ସମ୍ମୁଖରେ ଆସି ୩ଟି ହାତୀ ପହଞ୍ଚିଥିଲେ। ନିକଟସ୍ଥ ଜଙ୍ଗଲରୁ ଆସିଥିବା ଏହି ହାତୀ ପଲଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଥିଲା। ତେବେ କିଛି ସମୟ ମେଡିକାଲ ସମ୍ମୁଖ ରାସ୍ତାରେ ଚାଲିବା ପରେ ଏହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ମହୁଲମୁଣ୍ଡା ସଂରକ୍ଷିତ ଜଙ୍ଗଲକୁ , ଗୋଟିଏ ପାଖ ଜଙ୍ଗଲକୁ ଓ ଅନ୍ୟଟି ଭେଡେନ ନଦୀ ପାର ହୋଇ ଜଙ୍ଗଲ ଆଡକୁ ଚାଲିଯାଇଥିଲେ। ତେବେ ହାତୀ ପଲ ଥରେ ଆସିଥିବାରୁ ପୁଣି ଆସିପାରନ୍ତି ବୋଲି ଆଶଙ୍କା କରି ସେମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Follow Us