ଭଞ୍ଜନଗର: ପୁଣି ରାସ୍ତା ଉପରେ ଦନ୍ତାହାତୀକୁ ଦେଖିବାକୁ ମିଳିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ଏକ ଦନ୍ତାହାତୀର ଉପଦ୍ରବ ବୃଦ୍ଧି ପାଇଛି। ଗତ ୨ ମାସ ତଳେ ମୁଜାଗଡ ବନାଞ୍ଚଳର ଦଦରଲୁଣ୍ଡା, ଖାରିଗୁଡ଼ା, ନିଧିଆପଲ୍ଲୀ ଇଲାକାରେ ଲଗତାର ରାସ୍ତା ଉପରକୁ ଆସୁଥିବା ବେଳେ ଏବେ ସେହି ଦନ୍ତାହାତୀ ତାରସିଂ ବନାଞ୍ଚଳର ତିଛକିଆ ରାସ୍ତାରେ ଦେଖିବାକୁ ମିଳିଛି। ଦନ୍ତାଟି ପ୍ରାୟ ସମୟ ମୁଜାଗଡ ବନାଞ୍ଚଳରେ ରହୁଥିବା ବେଳେ ଗଲା କିଛି ଦିନ ହେଲା ତାରସିଂ ଆଡ଼କୁ ମୁହାଁଇଛି।
ଗତ ଶନିବାର ଦିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତା ପାର ହେଉଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତା ବରଣ ସୃଷ୍ଟି ହୋଇଛି। ମାଲ୍ ବୋଝେଇ ଯାନ ବାହାନ କିଛି ଅଟକି ରହିଥିବା ବେଳେ କିଛି ସ୍ଥାନୀୟ ଲୋକ ଦନ୍ତାର ପଟୋ ଭିଡ଼ିଓ ଉତ୍ତୋଳନ କରିଥିଲେ। ଦନ୍ତାହାତୀଟି ଚନ୍ଦ୍ରଗିରି ଜଙ୍ଗଲ ଭାଗ ନମ୍ବର ୯ରୁ ବାହାରି ରାସ୍ତା ଉପରକୁ ଆସି କିଛି ସମୟ ଅଟକି ରହିଥିଲା। ରାସ୍ତାର ଉଭୟ ପଟେ ଲୋକ ମାନେ ରହିଥିଲେ ମଧ୍ୟ କାହାରି କିଛି କ୍ଷୟକ୍ଷତି କରୁନଥିବା ଦେଖବାକୁ ମିଳିଛି। ଏଥିସହ ତିନି ଛକିଆ ଇଲାକାରେ କିଛି ଲୋକଙ୍କ ବାରିପଟେ ପଶି ପଣସ ଓ କଦଳୀ ଗଛ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଜଣେ ଚାଷୀଙ୍କ ମକା ଜମିରେ ପଶି ଦନ୍ତାଟି ନଷ୍ଟ କରିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ସଂପୃ୍କ୍ତ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ତାରସିଂ ରେଞ୍ଜର ଆଶାଲତା ଦିଗାଲ ସୂଚନା ଦେଇଛନ୍ତି। ଶ୍ରୀମତୀ ଦିଗାଲଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ସୁରକ୍ଷା ପାଇଁ ଜଙ୍ଗଲ ଭିତରକୁ ଘଉଡାଇଥିଲେ।
ଗତ ଫେବୃଆରି ମାସରେ ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ରେଞ୍ଜ ଅଧୀନ ହରିଗଡ ବିଟ୍ ନୂଆଁପଲ୍ଲୀ କାଜୁ ବଗିଚାରେ ହାତୀପଲ ଜମା ହୋଇଥିବା ବେଳେ ଗୋଟିଏ ମାଇ ହାତୀ ଛୁଆ ଜନ୍ମ କରିଥିଲା। ଏହି ସମୟରେ ଲୋକ ମାନେ ହାତୀ ଦେଖିବା ପାଇଁ ସେଠାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ୨ ଜଣ ନୀରିହଙ୍କ ପ୍ରାଣହାନୀ ଘଟିଥିଲା। ହାତୀ ମାନଙ୍କ କବଳରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିବା ପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା। ସେହି ଦିନରୁ ହାତୀପଲ ଛାଡି ଦନ୍ତା ଏକୁଟିଆ ଘୂରୀ ବୁଲୁଛି। ଦନ୍ତାଟି ଏକୁଟିଆ ବୁଲୁଥିବାରୁ ଲୋକଙ୍କ ଜୀବନ ରକ୍ଷା ସହ ଦନ୍ତାର ସୁରକ୍ଷା ଜରୁରୀ ହୋଇପଡ଼ିଛି।
Follow Us