ଆନ୍ଧ୍ର ମାଫିଆଙ୍କ କବଜାରେ ଖିଲିମିସିଗୁଡ଼ା ବାଲିଘାଟ; ଲକଡାଉନରେ ବୋହିନେଲେ ୧୧ହଜାର ସିଏମ୍

Advertisment

୬୦୦ କ୍ୟୁବିକ ମିଟର ପାଇଁ ତହସିଲ ଦେଇଥିଲା ୱାଇ ଫର୍ମ; ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ୱାଇ ଫର୍ମ ଦେଖାଇ ଖସୁଛନ୍ତି

୬୦୦ କ୍ୟୁବିକ ମିଟର ପାଇଁ ତହସିଲ ଦେଇଥିଲା ୱାଇ ଫର୍ମ; ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ୱାଇ ଫର୍ମ ଦେଖାଇ ଖସୁଛନ୍ତି

ଆନ୍ଧ୍ର ମାଫିଆଙ୍କ କବଜାରେ ଖିଲିମିସିଗୁଡ଼ା ବାଲିଘାଟ; ଲକଡାଉନରେ ବୋହିନେଲେ ୧୧ହଜାର ସିଏମ୍

Sambad

ରାୟଗଡ଼ା: ଅନୁମତି ମିଳିଥିଲା ୬୦୦ କ୍ୟୁବିକ ମିଟର (ସିଏମ୍) ପାଇଁ। ଲକଡାଉନର ସୁଯୋଗ ନେଇ ନଦୀଶର୍ଯ୍ୟାରୁ ମାଫିଆ ବୋହି ନେଲେ ୧୦ ହଜାର ୮୦୦ କ୍ୟୁବିକ ମିଟର। ଜେସିବି ମେସିନରେ ଖୋଳାଯାଇଥିବା ବାଲିର ସିଂହଭାଗ ଆନ୍ଧ୍ରକୁ ଚାଲାଣ ହୋଇଛି। ବେଆଇନ ଚାଲାଣ ବାବଦରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କ ସହ ହୋଇଛି ବଡ଼ ଧରଣର ଡିଲ୍। ମାସିକ ହାତଗୁଞ୍ଜା ବାବଦକୁ ମାଫିଆଙ୍କଠୁ ଆସୁଛି ୭ ଲକ୍ଷ ୫୦ ହଜାର ଟଙ୍କା। ରାୟଗଡ଼ା ତହସିଲ ଖିଲିମିସିଗୁଡା ବାଲିଘାଟ ଆନ୍ଧ୍ର ମାଫିଆଙ୍କ ଚରାଭୂଇଁ ପାଲଟିଛି। ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୩-୨୪ ପାଞ୍ଚ ଆର୍ଥିକ ବର୍ଷ ପାଇଁ ଏହି ଘାଟକୁ ଲିଜ୍ ଆକାରରେ ପ୍ରଦାନ କରାଯାଇଛି। ୫ ବର୍ଷରେ ଲିଜଧାରୀ ୪୨ ହଜାର ୮୭୩ କ୍ୟୁବିକ ମିଟର ବାଲି ଉଠାଇବାକୁ ଚୁକ୍ତି ହୋଇଛି।

ପ୍ରତି ବର୍ଷ ଲିଜଧାରୀ ସର୍ବାଧିକ ୭ ହଜାର ୮୫୬ କ୍ୟୁବିକ ମିଟର ବାଲି ଉଠାଇବାର ନିୟମ ରହିଛି। କିନ୍ତୁ ଲିଜ ଅବଧିର ପ୍ରଥମ ଆର୍ଥିକ ବର୍ଷରେ ଲିଜଧାରୀ କେତେ ବାଲି ଉଠାଇଛନ୍ତି ସେ ସଂପର୍କରେ ତହସିଲରେ କୌଣସି ସୂଚନା ନଥିବା ବେଳେ ତହସିଲ କର୍ତ୍ତୃପକ୍ଷ ମଧ୍ୟ କୌଣସି ଯାଞ୍ଚ କରିନାହାଁନ୍ତି। ଯାହାର ଫାଇଦା ଉଠାଉଛନ୍ତି ମାଫିଆ। ସିଧା ନଦୀରେ ଜେସିବି ମେସିନ୍ ଲଗାଇ ନଦୀ ଗର୍ଭରୁ ବାଲି ଖୋଲି ଟ୍ରକରେ ଲୋଡିଂ କରି ଚାଲାଣ କରୁଛନ୍ତି। ଖିଲିମିସିଗୁଡା ଗ୍ରାମର ସିନା ଆପଲୁ ପୁଆଲା ନାମରେ ବାଲି ଘାଟ ଲିଜ୍ ହୋଇଥିବା ବେଳେ ଏହାକୁ ପ୍ରକୃତରେ ଚଲାଇଛନ୍ତି ଆନ୍ଧ୍ର ମାଫିଆ।

ଲିଜଧାରୀଙ୍କୁ ମୋଟା ଅଙ୍କର ଉତ୍କୋଚ ଦେଇ ମାଫିଆ ଦୈନିକ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଛନ୍ତି। ଏପ୍ରିଲ୍, ମେ’ ଦୁଇ ମାସରେ ଲିଜଧାରୀଙ୍କୁ ୬୦୦ କ୍ୟୁବିକ ମିଟର ବାଲି ଉଠାଇବାକୁ ୱାଇ ଫର୍ମ ଦିଆଯାଇଥିବା ବେଳେ କଳାହାଣ୍ଡି ଓ ନବରଙ୍ଗପୁରରୁ ୱାଇ ଫର୍ମ ଆଣି ଚଞ୍ଚକତା କରି ମାଫିଆ ଆନ୍ଧ୍ରକୁ ବାଲି ଚାଲାଣ କରିଛନ୍ତି। ଏପଟେ ତହସିଲ ପକ୍ଷରୁ ଦିଆଯାଇଥିବା ୱାଇ ଫର୍ମ ହିସାବ ଲିଜଧାରୀଙ୍କ ନିକଟରେ ଠିକ୍ ଥିବା ବେଳେ ବାହାର ରାଜ୍ୟ ୱାଇ ଫର୍ମରେ ନଦୀରୁ ବାଲି ଚୋରା ଚାଲାଣ ଜାରି ରହିଛି। ଓଡ଼ିଶା ମାଇନସ୍ ମିନେରାଲ୍ ରୁଲସ୍ ୨୦୧୬କୁ ଉଲ୍ଲଂଘନ କରି ନାଗାବଳୀ ନଦୀଶର୍ଯ୍ୟାରୁ ବାଲି ଉଠୁଥିବା ବେଳେ ଏହା ନିକଟରେ ଥିବା ପୋଲ ପ୍ରତି ବିପଦ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଲିଜଧାରୀ ଗାଙ୍ଗନାପେଟା ସ୍କୁଲ୍ ଗୃହକୁ ଅକ୍ତିଆର କରି ନିଜ ଅଫିସ୍ ଚଲାଇବା ସହ ମେସିନ୍ ଅପରେଟର ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଶ୍ରେଣୀ ପ୍ରକୋଷ୍ଠରେ ରଖିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏ ନେଇ ପାଟି ଖୋଲୁନଥିବା ବେଳେ ତହସିଲ କର୍ତ୍ତୃପକ୍ଷ କାଗଜପତ୍ରରେ ସବୁ କିଛି ଠିକ ଚାଲିଥିବା ଦର୍ଶାଇ ମାଫିଆଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। ବେଆଇନ ବାଲି ଚାଲାଣ ସଂପର୍କିତ କାଗଜପତ୍ର ଓ ଜିପିଏସ୍ ଲୋକେସନ୍ ମାଧ୍ୟମରେ ଉଠାଯାଇଥିବା ଫଟୋକୁ ଆଜି କିଛି ବୁଦ୍ଧିଜୀବୀ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିବା ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ବାଲି ଚୋରା ଚାଲାଣ ରୋକିବା ସହ ଆଇନ ଉଲ୍ଲଂଘନ କରିଥିବା ଲିଜଧାରୀଙ୍କ ଲିଜ୍ ବାତିଲ୍ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe