ଛତୁ ଓ ମହୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା

Advertisment
ଛତୁ ଓ ମହୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୀର୍ତ୍ତନପାଲି ଗ୍ରାମରେ ଦୁଇ ଜଣ ମହିଳା ଛତୁ, ମହୁ, ଆଲବେରା ଚାଷ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ସେମାନଙ୍କ ସଫଳତାର କାହାଣୀ ଏବେ ଜିଲ୍ଲାରେ ଚର୍ଚ୍ଚାକୁ ଆସିଛି। ସେମାନେ ହେଲେ ଗ୍ରାମର ସୁଶିଳ ସାହୁଙ୍କ ସ୍ତ୍ରୀ ସୁରତି ସାହୁ ଏବଂ ବାବାଜୀ ବେହେରାଙ୍କ ସ୍ତ୍ରୀ ଶ୍ରୀମତି ବେହେରା।

ସୁରତି ସାହୁ
ସୁରତି ଲୁଲଙ୍ଗ ପଞ୍ଚାୟତର ପ୍ରାଣୀମିତ୍ର ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୧ ମସିହାରେ ମିସନ ଶକ୍ତି ସହାୟତାରେ ୩୦ ହଜାର ଟଙ୍କା ଓ ୨୦୨୨ ବର୍ଷରେ ୫୦ ହଜାର ଟଙ୍କା ଋଣ ନେଇ ମହୁ, ଛତୁ, ଆଲବେରା ଓ ପନିପରିବା ଚାଷ କରିଥିଲେ। ପ୍ରଥମେ ୧୦ ଟି ବାକ୍ସରେ ମହୁ ଚାଷ ଆରମ୍ଭ କରିଥିଲେ। ୨୦୨୨ ବର୍ଷରେ ୧୨ କେଜି ଓ ଚଳିତ ୨୦୨୩ ବର୍ଷରେ ୨୦ କେଜି ମହୁ ବିକ୍ରି କରି ସାରିଲେଣି। ବଜାରରେ କେଜି ପ୍ରତି ୮୦୦ ଟଙ୍କା ହିସାବରେ ସେ ବିକ୍ରି କରିଥିଲେ। ସେହିପରି ୨୦୨୨ ମସିହାରେ ସେ ୨୦୦ ବେଡ୍‌ରେ ଛତୁ ଚାଷ ଆରମ୍ଭ କରିଥିଲେ। କେଜି ପ୍ରତି ଛତୁ ୧୦୦ ଟଙ୍କା ହିସାବରେ ସେ ୭୦ ହଜାର ଟଙ୍କା ବିକ୍ରି କରି ସାରିଲେଣି। ଚଳିତ ବର୍ଷ ପାଇଁ ସେ ବେଡ୍‌ ନିର୍ମାଣ କରୁଛନ୍ତି। ଗୋଟିଏ ବେଡ଼ ଓ ମଞ୍ଜି ପାଇଁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯାହାକି ସ୍ବଳ୍ପ ଖର୍ଚ୍ଚରେ ଭଲ ଆୟ କରିଥିବା ସେ କୁହନ୍ତି। ସେହିପରି ୧ ଏକର ଜମିରେ ୨୫୦୦ ଶହ ଆଲବେର ଗଛ ଲଗାଛନ୍ତି। ଯଦି ଗୋଟିଏ ଗଛରୁ ୧ କେଜି ଉତ୍ପାଦନ ହେବ ତାହାଲେ ୨୫ କ୍ବିଣ୍ଟାଲ ଆଲବେରା ଉତ୍ପାଦନ କରିବେ। ବଜାରରେ କି ବେପାରି ଏହାର ଯଦି ଭଲ ଦର ଦେଇ କ୍ରୟ କରିବେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିବେ। ସେହିପରି ୨ ଏକର ଜମିରେ ଟମାଟୋ, ବାଇଗଣ, ଲଙ୍କା, କାକୁଡି, କାଙ୍କଡ଼, କୋବି ସମେତ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରି ସୁରଭି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ଏସବୁ ଚାଷ ପାଇଁ ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତମ ଜ୍ଞାନ କୌଶଳ ସହ ମଞ୍ଜି, ଔଷଧ ଯୋଗାଇ ଦେଇ ଥିବା ସେ କୁହନ୍ତି। ଏସବୁ କ୍ଷେତ୍ରରେ ସ୍ବାମୀ ଓ‌ ପରିବାର ତାଙ୍କୁ ସହଯୋଗ କରୁଛନ୍ତି।

ଶ୍ରୀମତୀ ବେହେରା

publive-image
ଶ୍ରୀମତୀ କିର୍ତ୍ତନପାଲି ଗ୍ରାମ ସିଏଲ୍‌ଏଫ୍‌ର‌ ସିଆର୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ସେ ୨୦୨୦ ବର୍ଷରୁ ମିସନ ଶକ୍ତି ସହାୟତାରେ ୫୦ ହଜାର ଓ ପରେ ୬୦ ହଜାର ଟଙ୍କା ଋଣ ନେଇଥିଲେ। ପ୍ରଥମେ ୪୦ ଟି ବେଡ୍‌ରେ ଛତୁ ଚାଷ ଓ ପନିପରିବା ଚାଷ ଆରମ୍ଭ କରିଥିଲେ। ବେଡ୍ ପିଛା ୧୫୦ ରୁ ୨୦୦ ଶହ ଟଙ୍କା ମିଳୁଥିବା ଦେଖି ୨୦୨୧ ବର୍ଷରେ ୧୦୦ଟି ବେଡ୍, ୨୦୨୨ ବର୍ଷରେ ୨୦୦ ଟି ବେଡ୍ ଓ ଚଳିତ ୨୦୨୩ ବର୍ଷ ରେ ୩୦୦ ଶହଟି ବେଡ୍‌ରେ ଚାଷ କରୁଛନ୍ତି। ଯାହାକି ୪ ବର୍ଷ ଚାଷ କରି ସେ ୧ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଆୟ କରି ସାରିଲେଣି। ସ୍ଥାନୀୟ ଜନସାଧାରଣ ସୁଲଭ‌ ଦରରେ ଛତୁ ନେଇଥାନ୍ତି। ସେହିପରି ବିଭିନ୍ନ ପନିପରିବା ଚାଷ ମଧ୍ୟ କରିଥାନ୍ତି। ଏସବୁରୁ ବାର୍ଷିକ ୫୦ ହଜାର ଟଙ୍କାରୁ‌ ଅଧିକ ଲାଭ ପାଇଥାନ୍ତି। ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀଙ୍କ ଠାରେ ସେ ତାଲିମ ନେଇଛନ୍ତି। ସ୍ବାମୀ, ପୁଅ ଓ ଝିଅ ଏଥିରେ ତାଙ୍କୁ ସହଯୋଗ କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe