Sambad English
ପଦ୍ମପୁର: କେନ୍ଦୁଝର ସଦର ଥାନା ବନାଯୋଡ଼ି ଟୋଲ୍ପ୍ଲାଜା ନିକଟରେ ଟ୍ରକ୍ ଧକ୍କାରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କର ଜଣେ ସାଥୀ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଯୋଡ଼ା ଅଞ୍ଚଳର ଘନଶ୍ୟାମ ମୁଣ୍ତାଙ୍କ ପୁଅ ବିଶ୍ବଜିତ ମୁଣ୍ତା (୧୭)। ଗୁରୁତର ହେଲେ ଲକ୍ଷ୍ମୀଧର ବେହେରାଙ୍କ ପୁଅ ଅଶିଷ କୁମାର ବେହେରା।
ଉଭୟ ଆଜି ଭୋର ସାଢ଼େ ୪ଟାବେଳେ ଜଣେ ସାଙ୍ଗର ବାଇକ୍ ଖରାପ ହୋଇଯାଇଥିବାରୁ ତାଙ୍କୁ ସହାୟତା କରିବାକୁ ଯାଇଥିଲେ। ବନାଯୋଡ଼ି ଟୋଲପ୍ଲାଜା ନିକଟରେ ବାଇକ୍ ରଖି ଉଭୟ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟୋଲପ୍ଲାଜାର ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବଜିତଙ୍କ ମୃତ୍ୟୁ ଘଟିଛି। ଆଶିଷ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ କେନ୍ଦୁଝର ସଦର ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଶ୍ବଜିତ ଘରର ଏକମାତ୍ର ପୁଅ ଥିଲେ। ତାଙ୍କ ମୃତ୍ୟୁରେ ବାପାମା’ ଓ ୪ଭଉଣୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Follow Us