ସରକାରୀ ଡାକ୍ତରଖାନା କାନ୍ଥଲେଖାରେ ଓଡ଼ିଆ ଭାଷାକୁ କଦର୍ଥ

Advertisment
ସରକାରୀ ଡାକ୍ତରଖାନା କାନ୍ଥଲେଖାରେ ଓଡ଼ିଆ ଭାଷାକୁ କଦର୍ଥ

ବୁଗୁଡ଼ା : ଓଡ଼ିଆ ଭାଷାର ପ୍ରଚାରପ୍ରସାର ଲାଗି ରାଜ୍ୟ‌ରେ ସରକାରୀ ଓ ବେସରକାରୀସ୍ତରରେ ଅନେକ ପ୍ରୟାସ ହେଉଛି। ଏଥିସହ ମାତୃଭାଷା ଓଡ଼ିଆର ସୁରକ୍ଷା ଲାଗି ବିଭିନ୍ନ ସଂଗଠନ ଓ ସାହିତ୍ୟପ୍ରେମୀ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ସରକାରୀସ୍ତରରେ ଓଡ଼ିଆ ଭ‌ାଷାର ବହୁଳମାତ୍ରାରେ ବ୍ୟବହାର ସହ ପ୍ରତି ସରକାରୀ କାର୍ଯ୍ୟାଳୟର ନାମଫଳକକୁ ବି ଏହି ଭାଷାରେ ଲେଖିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି।

ହେଲେ ଓଡ଼ିଆ ଭାଷା ପ୍ରତି ସରକାରୀସ୍ତରରେ କେତେ ଆନ୍ତରିକତା ରହିଛି, ଏହା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ମୋଟାବାଡ଼ିରେ ଥିବା ପ୍ରାଣୀ ଚିକିତ୍ସାଳୟର କାନ୍ଥଲେଖାରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଏହି ଚିକିତ୍ସାଳୟ କାର୍ଯ୍ୟାଳୟ କୋଠାର ଉପରିଭାଗ କାନ୍ଥରେ ଓଡ଼ିଆ ଭାଷାକୁ କଦର୍ଥ କରାଯାଇଥିବା ଦେଖିବାକୁ ମିଳିଛି। ସଂପୃକ୍ତ ଫଳକରେ ‘ପ୍ରାଣୀ’ ଓ ‘ଚିକିତ୍ସାଳୟ’ ଦୁଇଟି ନିର୍ଭୁଲ୍ ଶଦ୍ଦକୁ ତ୍ରୁଟିପୂର୍ଣ୍ଣ ଭାବେ ‘ପ୍ରାଣି’ ଓ ‘ଚିସ୍ତ୍ରାଳୟ’ ବୋଲି ଲେଖାଯାଇଛି। ଫଳରେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। ତେବେ ନାମ ଲେଖାଯିବା ଆଗରୁ କର୍ତ୍ତୃପକ୍ଷ ଏହାକୁ ଠିକ୍ ଭାବେ ଯାଞ୍ଚ କରିଥିଲେ କି ନାହିଁ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହି ଲଜ୍ଜାଜନକ ତ୍ରୁଟିକୁ ସୁଧାରିବା ଦିଗ‌ରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଓଡ଼ିଆ ଭାଷାର ସୁରକ୍ଷା ପ୍ରତି ସରକାରୀ ଅଧିକାରୀଙ୍କ ଏଭଳି ଅବହେଳା ମନୋଭାବ ଉଦ୍‌ବେଗର ବିଷୟ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe