ପ୍ରତିବର୍ଷ ବୃକ୍ଷରୋପଣ ହେଉଛି, ପର ବର୍ଷ କେତେ ସଫଳ ?

Advertisment
ପ୍ରତିବର୍ଷ ବୃକ୍ଷରୋପଣ ହେଉଛି, ପର ବର୍ଷ କେତେ ସଫଳ ?

ଜୟପୁର: ସରକାର ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଦେଉଛନ୍ତି। ହେଲେ ଜଙ୍ଗଲ ଯେତିକି ଅନୁପାତରେ ବଢିବା କଥା ବଢିପାରୁନି । ପ୍ରତିବର୍ଷ କୋରାପୁଟ ଜିଲ୍ଲାର କୋରାପୁଟ ବନଖଣ୍ଡର ୬ଟି ରେଂଜ ଓ ଜୟପୁର ବନଖଣ୍ଡର ୬ଟି ରେଂଜରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମଜିନରେଗା, କାମ୍ପା , ଏଗ୍ରୋ ଫରେଷ୍ଟରୀ, ଏଭିନ୍ୟୁ ପ୍ଲାଣ୍ଟେସନ ସହ ପ୍ଲାନିଂ ଏବଂ ନନ୍ ପ୍ଲାନିଂ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନରେ ଲକ୍ଷାଧିକ ବୃକ୍ଷରୋପଣ ହେଉଛି।

ତେବେ ପରବର୍ତ୍ତୀ ବର୍ଷ ଏହି ଗଛ ଗୁଡିକ କେଉଁ ଅବସ୍ଥାରେ ରହିଛି, ବଂଚିଛି ନା ମରିଗଲାଣି,ନା ବଂଚିବା ପ୍ରୟାସରେ ରହିଛି, ବର୍ଷ ତମାମ ତାହାର ରକ୍ଷଣାବେକ୍ଷଣ ହେଲା କି ନାହିଁ , ଗଛର ଆକାର ଓ ପ୍ରକାର ଏବଂ ବୃଦ୍ଧି ଆଦିର ତଦାରଖ କିମ୍ବା କ୍ଷେତ୍ର ପ୍ରଦର୍ଶନ ହେଉନ ଥିବା ପରିବେଶବିତ୍ ମାନେ ଅଭିଯୋଗ କରିଛନ୍ତି। ଏସବୁ ନ କରି ପୁଣି ସରକାର ଦେଇଥିବା ଟାର୍ଗେଟ ପୁରଣ କରିବା ପାଇଁ ପୁଣି ଲକ୍ଷ ଲକ୍ଷ ଗଛ ଲଗାଯାଉଛି। ପୂର୍ବ ବର୍ଷ କେତେ ଗଛ ବଂଚିଥିଲା ତାହାର ଉତ୍ତର କେହି ଦେବାକୁ ନାରାଜ। ଅନ୍ୟ ପଟେ କାଠ ମାପିଆ, କାଠ ଚୋରମାନେ ବିଭାଗୀୟ କିଛି ନ୍ୟାସ୍ତସ୍ବାର୍ଥ କର୍ମଚାରୀଙ୍କୁ ହାତବାରିସୀ କରି ଗ୍ରାମାଂଚଳର ନିରୀହଯୁବକ ମାନଙ୍କୁ କାଠ ଚୋରିରେ ନିୟୋଜିତ କରୁଛନ୍ତି। ଏମାନେ ଘଂଚ ଜଙ୍ଗଲକୁ ପଦା କରି ସାରିଲେଣି।ଏହି ସ୍ଥିତିରେ ଜିଲ୍ଲା ପରିବେଶର ସନ୍ତୁଳନ ବିଗଡିଯାଇଛି। ଜିଲ୍ଲାର ସବୁଜ ହରାଭରା ପାହାଡ ପର୍ବତ ଆଜି ଟାଙ୍ଗାରା ଭୁଇଁ ପାଲଟିଛି। ଠିକଣା ସମୟରେ ଯେଉଁ ଅନୁପାତରେ ଏବଂ ଯେତେ ପରିମାଣର ବର୍ଷା ହେବା କଥା ଜିଲ୍ଲାରେ ହେଉନି।

ଜିଲ୍ଲାର ଭୌଗଳିକ ସ୍ଥିତି ୮୮୦୭ସ୍କୋୟର କିଲୋ ମିଟର। ଏଥିରୁ ୧୮୭୯.୫୩ସ୍କୋୟର କିଲୋ ମିଟର ପରିମିତ ପରିଧି ଅଂଚଳରେ ଜଙ୍ଗଲ ରହିଛି। ଏଥିରେ ସଂରକ୍ଷିତ ଜଙ୍ଗଲ ୩୦ହଜାର୨୫୧.୨ହେକ୍ଟର, ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ୩୯୭୭୯ ହେକ୍ଟର, ଅତ୍ୟନ୍ତ ଘଂଚ ଜଙ୍ଗଲ ୧୬୨ହେକ୍ଟର, ଦୁର୍ଗମ ଘଂଚ ଜଙ୍ଗଲ ୧୦୦ହେକ୍ଟର, ଗ୍ରାମ୍ୟ ଜଙ୍ଗଲ ୫୫୩.୧୬ହେକ୍ଟର, ରାଜସ୍ବ ବିଭାଗର ଜଙ୍ଗଲ ୯୪୦୩ହେକ୍ଟର ଜଙ୍ଗଲ ରହିଥିବା ସରକାରୀ ଭାବେ ସୂଚନା ମିଳିଛି। ଜଙ୍ଗଲରୁ ଶାଳ ମଂଜି, ବାଉଁଶ, ଔଷଧୀୟ ଗୁଳ୍ମ, ଝୁଣା, ମହୁଲ, ଲାଖ ଆଦି ବନ୍ୟ ଜାତ ଦ୍ରବ୍ୟ ସଂଗ୍ରହ କରି ଜଙ୍ଗଲପାର୍ଶ୍ବ ବନବାସୀମାନେ ବଂଚୁଥିଲେ। ଏବେ ଜଙ୍ଗଲ ପଦା ହେବା ପରେ ବନ୍ୟଜନ୍ତୁଙ୍କ ଅବସ୍ଥା ଶୋଚନୀୟ ହେବା ଜଙ୍ଗଲ ଛାଡି ସହର ମୁହାଁ ହେଲେଣି।

ଜୟପୁରରୁ କୋରାପୁଟ ଘାଟିର ଦେଓଘାଟି , ଜୟପୁରରୁ ମାଲକାନଗିରୀ ଯିବା ରାସ୍ତାରେ ପାତ୍ରପୁଟ, ବୈପାରୀଗୁଡା-ଟାଙ୍ଗିନୀଗୁଡା ମଧ୍ୟରେ ଜାତୀୟ ରାଜପଥ ଉପରେ ଏହି ମାଙ୍କଡ ପଲ ଆସି ବସା ପକାଇଛନ୍ତି। ଖାଦ୍ୟ ଅନ୍ବେଷଣରେ ମାଙ୍କଡ ଗୁଡିକ ରାସ୍ତା ଉପରକୁ ପଳାଇ ଆସୁଛନ୍ତି। ବହୁ ସମୟରେ ଦୁର୍ଘଟଣାର ବି ଶିକାର ହେଉଥିବା ନଜିର ରହିଛି। ଜୟପୁର ବନଖଣ୍ଡର ଭୌଗଳିକ ପରିଧିରେ ୪୯ପ୍ରତିଶତ ଜଙ୍ଗଲ ରହିଛି , ଏବଂ ଜଙ୍ଗଲ କେତେ ପ୍ରତିଶତ ବୃଦ୍ଧି ପାଇଛି ସେ ନେଇ ଏଫ୍ଏସ୍ଆଇର ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଜୟପୁର ଡିଏଫଓ ଏନଏସଜେପି ସିଂ। ପ୍ରତିବର୍ଷ ବିଭିନ୍ନ ଯୋଜନାରେ ବୃକ୍ଷ ରୋପଣ କରିବା ପରେ ଖରା ମାସ ବେଳେ କିଛି ଗଛ ମରି ଯାଇଥାଏ। ତେବେ ସେହି ସ୍ଥାନରେ ପରବର୍ତ୍ତୀ ବର୍ଷ ଲଗାଯାଏ ବୋଲି କହିଛନ୍ତି ଡିଏଫଓ।

ପ୍ରତ୍ୟେକ ଯୋଜନାରେ ପୂର୍ବରୁ ପ୍ଲାନିଂ, ମ୍ୟାପିଂ କରାଯିବା ସହ ଏହାର ଦାୟିତ୍ବରେ ଅଧିକାରୀ ମାନେ ରହିଥାନ୍ତି। ଏବଂ ସେମାନେ ତଦାରଖ କରନ୍ତି ବୋଲି କହିଛନ୍ତି ଡିଏଫଓ। କାଠ ଚୋର, ଅଙ୍ଗାର କାଉଡିଆ ଏବଂ ପୋଡ଼ୁଚାଷୀ ମାନେ ଚିରାଚରିତ ଭାବେ ଅଭ୍ୟାସଗତ ଭାବେ କରି ଆସୁଛନ୍ତି। ଆମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନିୟମିତ ଚଢ଼ାଉ କଲେ ଏମାନେ ବନ୍ଦ କରିଥାଅନ୍ତି , ଆମେ ଢ଼ିଲା ହେଲେ ସେମାନେ ଅଧିକା କରୁଛନ୍ତି ବୋଲି କହିଛନ୍ତି ଡିଏଫଓ। ଏତେ ସବୁ ଯୋଜନାରେ ଗଛ ଲାଗୁଥିବାରୁ ଜଙ୍ଗଲ ପଦା ହେଉନି ତେବେ କେତେ ପ୍ରତିଶତ ବୃଦ୍ଧି ପାଇଛି ତାହା ଏଫ୍ଏସ୍ଆଇ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ସ୍ପଷ୍ଟ ଭାବେ କହିବା ଠିକ୍ ବୋଲି କହିଛନ୍ତି ଡିଏଫଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe