ବନ୍ତଳା: ଅନୁଗୁଳ ବ୍ଲକ ଅଞ୍ଚଳର ଜଣେ ଜଣାଶୁଣା ବିଜେଡ଼ିର ଟାଣୁଆ ନେତା ଆଜି ଦଳ ଛାଡିଛନ୍ତି। ଦଳରେ ରହି ସେ ବନ୍ତଳା ଅଞ୍ଚଳ ତଥା ଅନୁଗୁଳ ବ୍ଲକ ଅଞ୍ଚଳରେ ବିଜେଡିର ଜଣେ ଛାମୁଆ ନେତା ଭାବରେ ବେଶ ପରିଚିତ ଥିଲେ। ସଂଗଠନ କିଭଳି ମଜୁବୁତ ହେବ ସେନେଇ ତାଙ୍କ ଉପରେ ଦିନ ଥିଲା ସବୁ ଦାୟିତ୍ୱ ଦିଆଯାଉଥିଲା। କିନ୍ତୁ ଦଳରେ ସେ ଦୀର୍ଘ ଦିନ ହେଲା କୋଣଠେସା ହୋଇଆସୁଥିଲେ। ଫଳରେ ସେ ଆଜି ବିଜେଡି ଛାଡିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ଦୁର୍ଗା ଚରଣ ପ୍ରଧାନ ଜଣେ ବିଜେଡ଼ି ନେତା। ତାଙ୍କର ଛାତ୍ର ଜୀବନରୁ ରାଜନୀତି ଭିତରେ ବିଜେଡି ଦଳ ପକ୍ଷରୁ ଇଙ୍କରବନ୍ଧ ପଞ୍ଚାୟତରୁ ୨ଥର ସମିତି ମେମ୍ବର, ବନ୍ତଳା ପଞ୍ଚାୟତରୁ ଗୋଟିଏ ଥର ସମିତି ମେମ୍ବର ଭାବରେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏପରି କି ଶ୍ରୀ ପ୍ରଧାନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ସ୍ତ୍ରୀ ଦେବକୀ ପ୍ରଧାନ ମଧ୍ୟ ୨୦୦୪/୦୫ମସିହାରେ ବିଜେଡ଼ିରୁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ଏକଦା ଅନୁଗୁଳ ବ୍ଲକ ଅଫିସରେ ନିଜର କର୍ତୁତ୍ୟ ବିସ୍ତାର କରିଥିବା ଦୁର୍ଗା ଦିନେ ଯେ ବିଜେଡିରୁ କୋଣଠେସା ହେବେ ସେ ଭାବି ନଥିବା କହିଛନ୍ତି।
ଅନ୍ୟପକ୍ଷରେ ଆଜି ବିଜେଡ଼ି ଛାଡିଥିବା ସେ କହିଥିବା ବେଳେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ତେବେ କିଛି ଦିନ ପୂର୍ବରୁ ଅନୁଗୁଳର ଆଉ ଜଣେ ବିଜେଡି ନେତା ସଂଜୀବ ସାହୁ ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ବନ୍ତଳା ଅଞ୍ଚଳର ଏହି ବିଜେଡି ନେତା ଦଳ ଛାଡିବା ଘଟଣା ବିଜେଡ଼ିର ସାଙ୍ଗଠନିକ ନେତୃତ୍ୱ ପ୍ରତି ବିପଦ ସଙ୍କେତ ହୋଇଛି।
Follow Us