ଲକଡାଉନରେ ପୂର୍ବତନ ବିଧାୟକଙ୍କ ନିଆରା ପ୍ରୟାସ: ରକ୍ତ ଭଣ୍ଡାରକୁ ଯୋଗାଇ ଦେଲେ ୬୨ ୟୁନିଟ ରକ୍ତ

Advertisment
ଲକଡାଉନରେ ପୂର୍ବତନ ବିଧାୟକଙ୍କ ନିଆରା ପ୍ରୟାସ: ରକ୍ତ ଭଣ୍ଡାରକୁ ଯୋଗାଇ ଦେଲେ ୬୨ ୟୁନିଟ ରକ୍ତ

ରେମୁଣା: କରୋନା ମହାମାରୀର ଭୟଙ୍କର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି। କରୋନା ଭୁତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା କଟକଣା ଓ ଲକଡାଉନ ଯୋଗୁଁ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି। ଏହି ଜରୁରୀ ସମୟରେ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହଯୋଗର ହାତ ବଢ଼ାଇବାକୁ ରକ୍ତ ଭଣ୍ଡାର ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ନିବେଦନ କରାଯାଇଥିଲା।

ତେବେ ରକ୍ତଦାନ ପାଇଁ ବିଭିନ୍ନ ସମୟରେ ଶିବିର ଆୟୋଜନ କରି ଏକ ପ୍ରୟାସ ଜାରି ରଖିଥିବା ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଆଜି ପୁଣିଥରେ ଏହି ଜରୁରୀ ସମୟରେ ସହଯୋଗର ହାତ ବଢ଼ାଇଛନ୍ତି। ଶ୍ରୀ ଦାସ ଓ ତାଙ୍କ ସହଯୋଗୀ ତଥା ନୂଆଗାଁ ପଂଚାୟତର ବିଜେପି ସଭାପତି ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଆଜି ଦିଖାପଦା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

publive-image

ଶିବିରକୁ ନିଜେ ଶ୍ରୀ ଦାସ, ବିଜେପି ରାଜ୍ୟ ସଂଯୋଜିକା ଶୋଭନା ମହାନ୍ତି, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ବାଳ, ଜିଲ୍ଲା ଆଇନ ପ୍ରାଧିକରଣ ସ୍ୱେଚ୍ଛାସେବୀ ଭବାନୀଶଙ୍କର ବେହେରା, ଗ୍ରାମ୍ୟ ଉନ୍ନୟନ ପରିଷଦର ସଭାପତି ଦେବେନ୍ଦ୍ର ବାରିକ, ସମ୍ପାଦକ ରଞ୍ଜିତ ବାରିକ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏଥିସହ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସାମାଜିକ କଟକଣା ଉପରେ ଗୁରୁତ୍ୱ ଦିଆଯାଇ ରକ୍ତଦାତାଙ୍କୁ ହାତଧୋଇ ରକ୍ତଦାନ କରିବାକୁ ସଚେତନ କରାଯାଇଥିଲା।

ପ୍ରତ୍ୟେକ ରକ୍ତଦାତାଙ୍କୁ ଶ୍ରୀ ଦାସ ଗୋଟିଏ ଲେଖାଏଁ ମାସ୍କ ପ୍ରଦାନ କରିବା ସହିତ ନିୟମିତ ଏହାର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଶିବିରରୁ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡା ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଟେକ୍ନିସିଆନ ଜ୍ୟୋତିଷ ପ୍ରଧାନ, ସହଯୋଗୀ ହେମଲତା ସେଠୀ, ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବେହେରା, ନିରଞ୍ଜନ ଦାସ, ମାନସ ମହାନ୍ତି, ଚନ୍ଦ୍ରକାନ୍ତ ଦାସ, ବିଶ୍ୱରଞ୍ଜନ ପଣ୍ଡା, ରବୀନ୍ଦ୍ର ସିଂଙ୍କ ସମେତ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଓ ସହ ଉନ୍ନୟନ କମିଟିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଶିବିରକୁ ସଫଳ କରିବାରେ ସକ୍ରିୟ ଭୂମିକା ନିଭାଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe