ମାମଲା କୋହଳ କରିବାକୁ ଲାଞ୍ଚ: ପୂର୍ବତନ ଭଷ୍ମା ଥାନାଧିକାରୀଙ୍କୁ ୨ ବର୍ଷ ଜେଲ୍

କୋର୍ଟରେ ବୟାନ ବଦଳାଇଥିଲେ ଅଭିଯୋଗକାରୀ

ମାମଲା କୋହଳ କରିବାକୁ ଲାଞ୍ଚ: ପୂର୍ବତନ ଭଷ୍ମା ଥାନାଧିକାରୀଙ୍କୁ ୨ ବର୍ଷ ଜେଲ୍

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭଷ୍ମା ଥାନାର ପୂର୍ବତନ ପୁଲିସ ଅଧିକାରୀ ତଥା ଅଧୁନା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦାଦରାଘାଟି ଫାଣ୍ଡି ଏସଆଇ ଭାବେ କାର୍ଯ୍ୟରତ ସୁଜିତ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟ ହେଲେ ଜେଲଦଣ୍ଡ ୧ ମାସ ବୃଦ୍ଧି ହେବ ବୋଲି କୋର୍ଟ ଆଦେଶରେ ଉଲ୍ଲେଖ କରିଛନ୍ତି। ପୁଲିସ ଅଧିକାରୀଙ୍କ ଘର ଅନୁଗୁଳ ସହର ତୁରଙ୍ଗାରେ।

୨୦୦୭ ଜୁଲାଇ ୧୮ରେ ସୁନ୍ଦରଗଡ଼ ସହରର ମହାନ୍ତିପଡ଼ାର ତ୍ରିବିକ୍ରମ ବକ୍ସିଙ୍କ ପୁଅଙ୍କ ନାମରେ ଥିବା ଏକ ମାମଲା କୋହଳ କରିବାକୁ ତତ୍କାଳୀନ ଥାନାଧିକାରୀ ସୁଜିତ କୁମାର ସାହୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେବେ ମାମଲାର ବିଚାର ଚାଲିଥିବା ବେଳେ ଏକ ରୋଚକ ଘଟଣା ଘଟିଥିଲା। ସମସ୍ତଙ୍କୁ ଚକିତ କରି ଅଭିଯୋଗକାରୀ ତ୍ରିବିକ୍ରମ କୋର୍ଟରେ ବୟାନ ବଦଳାଇଥିଲେ। ଲାଞ୍ଚ ସମ୍ପର୍କରେ କିଛି ଜାଣି ନଥିବା କି ଲାଞ୍ଚ ଦେଇ ନଥିବା ସେ କହିଥିଲେ। କିନ୍ତୁ କୋର୍ଟ ତାକୁ ଗ୍ରହଣ ନକରି ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଦଣ୍ଡିତ କରିଥିଲେ। ଅନେକ ସମୟରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ପ୍ରଭାବିତ କରି ବୟାନ ବଦଳାଇ ମାମଲାକୁ ନିଜ ପକ୍ଷରେ ନେବାକୁ ଉଦ୍ୟମ କରୁଥିବା ଦେଖାଯାଇଛି।

ତେବେ ଅଭିଯୋଗକାରୀ ଉଦ୍ଦେଶ୍ୟମୂଳକ ଭାବେ ବୟାନ ବଦଳାଉଥିବା କୋର୍ଟ ହୃଦୟଙ୍ଗମ କଲେ ଅଭିଯୁକ୍ତ ଛାଡ଼ ପାଇବା ଅସମ୍ଭବ। ଶୁକ୍ରବାର ପୁଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡ ଶୁଣାଇ ତାର ଦୃଷ୍ଟାନ୍ତ ରଖିଛନ୍ତି କୋର୍ଟ। ସୁନ୍ଦରଗଡ଼ ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ପରମେଶ୍ବର କିସାନଙ୍କ ନେତୃତ୍ବରେ ଝାରସୁଗୁଡ଼ା ଭିଜିଲାନ୍ସ ନିରୀକ୍ଷକ ଧୀରେନ୍ଦ୍ର କୁମାର ଦାସ ମାମଲାର ତଦନ୍ତ କରି କୋର୍ଟର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ମାମଲାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe