ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ ଚେତାବନୀ ଦେଲା ନାଗରିକ ମଞ୍ଚ

Advertisment
ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ ଚେତାବନୀ ଦେଲା ନାଗରିକ ମଞ୍ଚ

ରାୟଗଡ଼ା: ରାୟଗଡ଼ା-ସମ୍ବଲପୁର ରେଳ ଲାଇନର ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି କରିଛି ଥେରୁବାଲି ନାଗରିକ ମଞ୍ଚ। ଏ ନେଇ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ଅକ୍ଟୋବର ୧୫ ସୁଦ୍ଧା ଏ ଦିଗରେ ରେଳ ବିଭାଗ ପଦକ୍ଷେପ ନ ନେଲେ ୧୨ ଘଣ୍ଟିଆ ରେଳରୋକ କରିବାକୁ ଚେତାବନୀ ଦେଇଛି ନାଗରିକ ମଞ୍ଚ।

ସ୍ମାରକପତ୍ରରେ ନାଗରିକ ମଞ୍ଚ ଉଲ୍ଲେଖ କରିଛି ଥେରୁବାଲି ଦେଇ ଧାନବାଦ-ଆଲେପି, ବିଶାଖାପାଟଣା-ନୂଆଦିଲ୍ଲୀ, ବିଶାଖାପାଟଣା-କୋରବା, ଜୁନାଗଡ଼-ଭୁବନେଶ୍ବର, ତିରୁପତି ବିଳାସପୁର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି। କିନ୍ତୁ ଏହି ସବୁ ଏକ୍ସପ୍ରେସ୍ ଟ୍ରେନ୍ ଥେରୁବାଲି ଷ୍ଟେସନରେ ରହୁନି। ଫଳରେ ଅଞ୍ଚଳବାସୀ ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାୟପୁର, ବିଶାଖାପାଟଣା ସମେତ ଦିଲ୍ଲୀକୁ ସ୍ବାସ୍ଥ୍ୟସେବା ଓ ଜରୁରି କାମରେ ଯାତାୟାତ କରିବାରୁ ବଞ୍ଚିତ ହୋଇ ଆସୁଛନ୍ତି।

ଥେରୁବାଲି ଷ୍ଟେସନରୁ ୩୦ କିମି ଦୂରରେ ରାୟଗଡ଼ା ଏବଂ ୪୫ କିମି ଦୂରରେ ମୁନିଗୁଡ଼ା ଷ୍ଟେସନ ରହିଛି। ଏତେ ଦୂର ଯାତ୍ରା କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବା ପାଇଁ ଖର୍ଚ୍ଚାନ୍ତ ସହ ରାସ୍ତାର ଦୂରାବସ୍ଥା ପାଇଁ ଥେରୁବାଲି ସମେତ ଆଖାପାଖରେ ଥିବା ପଞ୍ଚାୟତର ଲୋକ ଯାତ୍ରା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଥେରୁବାଲି ଅଞ୍ଚଳ ଶିଳ୍ପ ସମୃଦ୍ଧ ହୋଇଥିବାରୁ ପ୍ରାଥମିକତା ଦୃଷ୍ଟିରୁ ଏଠାରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ପାଇଁ ଦାବି ହୋଇ ଆସୁଛି। ମନ୍ତ୍ରୀ, ସାଂସଦ, ବିଧାୟକ ମଧ୍ୟ ଟ୍ରେନ୍ ରହଣି ପାଇଁ ଡିଆରଏମ୍ ଓ ରେଳ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ଏହା ପରେ ବି ଟ୍ରେନ୍ ଅଟକୁ ନଥିବାରୁ ୧୨ ଘଣ୍ଟିଆ ରେଳ ରୋକ କରିବାକୁ ମଞ୍ଚ ଚେତାବନୀ ଦେଇଛନ୍ତି।

ସ୍ମାରକପତ୍ର ପ୍ରଦାନ ସମୟରେ ନାଗରିକ ମଞ୍ଚ ସଭାପତି ଏମ୍. ଗୌରୀ ଶଙ୍କର ରାଓ, ସାଧାରଣ ସଂପାଦକ ଭାସ୍କର ଅମର ସିଂ, ଉପସଭାପତି ଜଗଦୀଶ ମହାପାତ୍ର, କୋଷାଧ୍ୟକ୍ଷ ରଘୁନାଥ କାମ୍ବା, କାର୍ଯ୍ୟକର୍ତ୍ତା ନିରଞ୍ଜନ ପାତ୍ର, ଗଗନ ବିହାରୀ ପଣ୍ଡା, ରବୀନ୍ଦ୍ର କୌଶଲ୍ୟା, ନେହୁରୁ ରତନ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମାରକପତ୍ରର ଏକକ ନକଲ ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର୍, ପ୍ରିନିସପାଲ୍ ଚିଫ୍ ଅପରେସନ୍ ମ୍ୟାନେଜର୍, ରାୟଗଡ଼ା ଜିଲ୍ଲାପାଳ, ଏସପିଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe