ପିଇଓ ପଦ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ସନ୍ଦେହ

Advertisment
ପିଇଓ ପଦ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ସନ୍ଦେହ

Odisha Police

ଦେବଗଡ଼: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ପକ୍ଷରୁ ଗତ ୯ ତାରିଖ ଦିନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପଦ ପାଇଁ ଦେବଗଡ଼ ସହରର ୯ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଦେବଗଡ଼ ଟାଉନ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଜଣେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଏ ନେଇ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ପଦ୍ମାଳୀ ଲାକ୍ରା ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ଫଳରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ୍‌ ସଂପୃକ୍ତା ପରୀକ୍ଷାର୍ଥୀଙ୍କ ବିରୋଧରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁସାରେ ଟାଉନ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବବିତା ବଣିଚୂଳଙ୍କ ପ୍ରବେଶପତ୍ରରେ ଥିବା ନାମ ଓ ଫଟୋ ଉପସ୍ଥାନ ରେଜିଷ୍ଟରରେ ଥିବା ନାମ ଓ ଫଟୋ ସହିତ ମେଳ ଖାଇନଥିଲା। ଫଳରେ ତାଙ୍କ ପରିଚୟ ବାବଦରେ ସନ୍ଦେହ ହେବାରୁ କେନ୍ଦ୍ର ଅଧୀକ୍ଷିକା ତଥା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ଲାକ୍ରା ଏ ନେଇ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତ ଜାରି ରହିଥିବା ବେଳେ ଖୁବ୍‌ ଶୀଘ୍ର ପ୍ରକୃତ ଘଟଣା ଜଣାପଡ଼ିଯିବ ବୋଲି ପୁଲିସ୍ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe