କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଜାଲ ଜାତିଗତ ଓ ଶିକ୍ଷାଗତ ପ୍ରମାଣପତ୍ରରେ ବର୍ଷ ବର୍ଷ ଧରି ଶିକ୍ଷକତା କରୁଥିଲେ ମଧ୍ୟ ସେଭଳି ଶିକ୍ଷକ ଶିକ୍ଷୟତ୍ରୀ ବିରୁଦ୍ଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବ୍ଲକର ଅନେକ ଶିକ୍ଷକ ଶିକ୍ଷୟତ୍ରୀ କିଛି ଅଣ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ତାଲିମ କେନ୍ଦ୍ରରୁ ସିଟି, ବିଇଡି ପାସ ପ୍ରମାଣପତ୍ର ଆଣି ଚାକିରି କରୁଥିବା ବେଳେ କିଛି ଫେଲ ଶିକ୍ଷକ ମଧ୍ୟ ପ୍ରମାଣପତ୍ରରେ ଦର୍ଶାଯାଇଥିବା ମାର୍କରେ ଚଞ୍ଚକତା କରି ଅଧିକ ମାର୍କ ବସେଇ ଚାକିରି କରୁଥିବା ସାଧାରଣରେ ଅଭିଯୋଗ ହେଉଛି।
ତେବେ ସେଭଳି ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି କିଛି ଚାକିରିରୁ ଅବସରଗ୍ରହଣ କରିସାରିଥିବା ବେଳେ କିଛି ଏ ପର୍ଯ୍ୟନ୍ତ ଚାକିରି କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସେଭଳି ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ବ୍ଲକରେ ବିଭିନ୍ନ ବିଦ୍ୟାଳୟର ଜାଲ ଶିକ୍ଷାଗତ ପ୍ରମାଣପତ୍ର ଶିକ୍ଷକ ଚାକିରି କରୁଥିବା ଜଣାପଡ଼ିବା ପରେ ସରକାର ବିଭିନ୍ନ ସମୟରେ ବାରମ୍ବାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରଗୁଡ଼ିକୁ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ବ୍ଲକ ଶିକ୍ଷା ଗୋଷ୍ଠୀ ଅଧିକାରୀ କାର୍ଯ୍ୟାଳୟରେ ଯାଞ୍ଚ କରାଯାଇସାରିଛି। କିନ୍ତୁ ଏବେ ବି ଜାଲ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକତା କରୁଥିଲେ ମଧ୍ୟ ଯାଞ୍ଚ ସମୟରେ କିପରି ଧରିପାରୁନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଳରେ ପ୍ରମାଣପତ୍ର ଯାଞ୍ଚ କରୁଥିବା କିଛି ଅଧିକାରୀ ମଧ୍ୟ ଏଭଳି କାର୍ଯ୍ୟରେ ସାମିଲ ରହିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସେହିପରି ଜାତିଗତ ପ୍ରମାଣପତ୍ରକୁ ଜାଲ୍ କରିଥିବା ଶିକ୍ଷକ ଥିଲେ ବି ଅଦ୍ୟାବଧି ସେମାନଙ୍କର ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। କେଉଁ କାରଣରୁ ଶିକ୍ଷକ ଧରାପଡ଼ି ପାରୁନାହାନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏପରିକି ଯାଞ୍ଚ କରୁଥିବା ଅଧିକାରୀ ତଥା କର୍ମଚାରୀମାନଙ୍କ ମଧ୍ୟରୁ ସବୁ ଜାଣିଶୁଣି ଚପାଇ ଦେବାରେ ସହାୟକ ହେଉଥିବା ମଧ୍ୟ ଅଭିଯୋଗ କରନ୍ତି। ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନଥିବା ଦେଖାଦେଇଛି।
ଗୋଟିଏ ପଟେ ବ୍ଲକର ଶହ ଶହ ଉଚ୍ଚ ଶିକ୍ଷିତ ଯୁବକ ଚାକିରି କରିବା ଆଶାରେ ରହିଥିବା ବେଳେ ଅନ୍ୟ ପଟେ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକ ବର୍ଷ ବର୍ଷ ଧରି ସରକାରୀ ତହବିଲରୁ କୋଟି କୋଟି ଟଙ୍କା ହାତେଇ ନେବାରେ ସକ୍ଷମ ହେଉଛନ୍ତି। ନିକଟ ଅତୀତରେ ଦୁଇ ଜଣ ଶିକ୍ଷକ ଚାକିରିରୁ ଅବସର ବି ଗ୍ରହଣ କରି ସାରିଛନ୍ତି। ଅଧିକ ଜାଣିବା ପାଇଁ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷାଅଧିକାରିଣୀ ସୁଶ୍ରୀ ବିଜୟ ଲକ୍ଷ୍ମୀ ନାଗଙ୍କୁ ସାକ୍ଷାତ କରି ପଚାରିବାରୁ ସେ ସ୍ୱୀକାର କରିବା ସହ ସେମାନଙ୍କ ପ୍ରମାଣ ପତ୍ର ଯାଞ୍ଚ ପାଇଁ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟକୁ ଯାଞ୍ଚ ପାଇଁ ପ୍ରେରଣ କରିଥିବା କହିଥିଲେ ଓ ସେଠାରୁ ତଥ୍ୟ ହସ୍ତଗତ ହେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହା ସହ ନିକଟ ଅତୀତରେ ଦୁଇଜଣ ଶିକ୍ଷକ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ଅବସର ଗ୍ରହଣ କରିଥିବା ମଧ୍ୟ ସ୍ୱୀକାର କରିଥିଲେ ସେ। ତେଣୁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଚାକିରି କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।
Follow Us