ପୁଲିସ ନାଁ ନେଇ ବ୍ୟବସାୟୀଙ୍କୁ ଚାନ୍ଦା, ଗିରଫ ହେଲେ ନକଲି କନ୍‌ଷ୍ଟେବଲ୍‌

ପୁଲିସ ନାଁ ନେଇ ବ୍ୟବସାୟୀଙ୍କୁ ଚାନ୍ଦା, ଗିରଫ ହେଲେ ନକଲି କନ୍‌ଷ୍ଟେବଲ୍‌

ବ୍ରହ୍ମପୁର: ନିଜକୁ ପୁଲିସ ବୋଲି କହି ବ୍ୟବସାୟୀଙ୍କୁ ତାଗିଦ୍‌ କରି ଆସୁଥିଲେ। ଏପରିକି ଖାକି ପିନ୍ଧି କନ୍‌ଷ୍ଟେବଲ୍‌ ପରିଚୟ ଦେଇ ରାସ୍ତାକଡ଼ରେ ବସିଥିବା ଉଠା ଦୋକାନୀଙ୍କୁ ନାଲି ଆଖି ଦେଖାଇ ଚାନ୍ଦା ଆଦାୟ କରୁଥିଲେ। ଏଭଳି ଜଣେ ନକଲି ପୁଲିସର ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ଜଣେ ବ୍ୟବସାୟୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଶେଷରେ ଆଜି ସମ୍ପୃକ୍ତ ଠକକୁ କାବୁ କରିଛି। ଗିରଫ ଅଭିଯୁକ୍ତ ଜଣକ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗ୍ରାମର ଅରୁଣ ନାୟକ ବୋଲି ପୁଲିସ କହିଛି।

ସୂଚନା ଅନୁସାରେ ଅରୁଣ ନିଜକୁ ପୁଲିସ କନ୍‌ଷ୍ଟେବଲ୍‌ ପରିଚୟ ଦେଇ ବିଭିନ୍ନ ସମୟରେ ଷ୍ଟେଟ୍‌ ବ୍ୟାଙ୍କ ରାସ୍ତା ଓ ବାବାଜୀତୋଟା ସାହି ଅଞ୍ଚଳରେ ବୁଲାବୁଲି କରୁଥିଲେ। ଏପରିକି ସେ ଖାକି ପିନ୍ଧି ରାସ୍ତାକଡ଼ରେ ବେପାର କରୁଥିବା ବ୍ୟବସାୟୀଙ୍କୁ ଧମକ୍‌ ଦେଇ ଚାନ୍ଦା ଆଦାୟ କରୁଥିଲେ। ଯେଉଁମାନେ ଟଙ୍କା ଦେଉ ନଥିଲେ ସେମାନଙ୍କ ଦୋକାନ ହଟାଇବାକୁ ଧମକ୍‌ ଦେଉଥିଲେ। ପୁଲିସ ପୋଷାକ ପିନ୍ଧିଥିବା ଅରୁଣଙ୍କୁ ବ୍ୟବସାୟୀମାନେ ଭୟ କରି ଟଙ୍କା ଦେଇ ଆସୁଥିଲେ। ବାରମ୍ବାର ଅରୁଣ ରାସ୍ତାକଡ଼ରେ ପସରା ମେଲୁଥିବା ବ୍ୟବସାୟୀଙ୍କୁ ହଇରାଣ କରି ଆସୁଥିଲେ। ଚିତ୍ତରଂଜନ ପାତ୍ର ନାମକ ଜଣେ ବ୍ୟବସାୟୀ ଏହାର ପ୍ରତିବାଦ କରି ବରି‌ଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଣିଥରେ ଅରୁଣ ପୁଲିସ ପୋଷାକ ପିନ୍ଧି ଷ୍ଟେଟ୍ ବ୍ୟାଙ୍କ ରୋଡ଼ରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଖବର ମିଳିଥିଲା। ସେ ନେଇ ବୈଦ୍ୟନାଥପୁର ଥାନାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅରୁଣଙ୍କୁ କାବୁ କରିଥିଲା। କେସ୍ ନମ୍ବର ୬/୨୧ରେ ଅଭିଯୁକ୍ତ ଅରୁଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe